Mines Spreading Disease: ରୋଗ ବାଣ୍ଟୁଛି ଖଣି, ଡାକ୍ତର ନିଯୁକ୍ତିକୁ ଉପେକ୍ଷା: ରାଜ୍ୟରେ ୩,୪୬୪ ଡାକ୍ତର ପଦ ଖାଲି, ଡିଏମ୍ଏଫ୍ରୁ ମାତ୍ର ୧୧୧ ନିଯୁକ୍ତି
ରାଜ୍ୟରେ ୩୪୬୪ ଡାକ୍ତର ପଦ ଖାଲି ରହିଛି। ଏଣେ ଖଣି ଓ କାରଖାନାଗୁଡ଼ିକ ପ୍ରଦୂଷଣ କରି ସାରା ରାଜ୍ୟକୁ ରୋଗଣା କରୁଥିବାବେଳେ ଡିଏମ୍ଏଫ୍ ପାଣ୍ଠିରୁ କେବଳ ୬ଟି ଜିଲ୍ଲାରେ ମାତ୍ର ୧୧୧ ଜଣ ଡାକ୍ତର...

ସମ୍ବଲପୁର: ରାଜ୍ୟରେ ୩୪୬୪ ଡାକ୍ତର ପଦ ଖାଲି ରହିଛି। ଏଣେ ଖଣି ଓ କାରଖାନାଗୁଡ଼ିକ ପ୍ରଦୂଷଣ କରି ସାରା ରାଜ୍ୟକୁ ରୋଗଣା କରୁଥିବାବେଳେ ଡିଏମ୍ଏଫ୍ ପାଣ୍ଠିରୁ କେବଳ ୬ଟି ଜିଲ୍ଲାରେ ମାତ୍ର ୧୧୧ ଜଣ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ପ୍ରଶ୍ନରେ ଏହି ତଥ୍ୟ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହି ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ସମୁଦାୟ ୧୫ ହଜାର ୭୯୩ ପଦରେ ୧୨ ହଜାର ୩୨୯ ଡାକ୍ତର ନିଯୁକ୍ତ ଅଛନ୍ତି। ଏଥିରେ ନିୟମିତ ୧୦ ହଜାର ୫୭୪ ଡାକ୍ତରଙ୍କ ମଧ୍ୟରୁ ୬୮ ଜଣଙ୍କୁ ରିଲିଭ୍ କରାଯାଇଛି, କିନ୍ତୁ ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ୧୬୮ ଜଣ ଅବୈଧ ଭାବରେ ଛୁଟିରେ ଅଛନ୍ତି।
ଅର୍ଥାତ୍ ଯେତେ ସଂଖ୍ୟାରେ ଡାକ୍ତର ଅଛନ୍ତି କୁହାଯାଉଛି, ସେହି ଅନୁଯାୟୀ ଡାକ୍ତରଖାନାରେ ନାହାନ୍ତି। ମେଡିକାଲ କଲେଜରେ ପିଜି, ଏସ୍ଆର, ଟ୍ୟୁଟର୍ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଥିବା ଡାକ୍ତରଙ୍କ ସଂଖ୍ୟା ୪୯୩୭, ଆଡ୍ହକ୍ ସଂଖ୍ୟା ୧୯ ଏବଂ ଠିକା ଡାକ୍ତର ୧୬୨୨ ଜଣ ଅଛନ୍ତି। ପଛୁଆ ଜିଲ୍ଲା ବୌଦ୍ଧରେ ସର୍ବାଧିକ ୭୩%, ଦେବଗଡ଼ରେ ୭୦%, ସୁନ୍ଦରଗଡ଼ରେ ୬୭%, ସମ୍ବଲପୁରରେ ୬୪%, ମାଲକାନଗିରିରେ ୬୨% ଡାକ୍ତର ପଦ ଖାଲି ରହିଛି। ୨ ଜିଲ୍ଲାରେ ୭୦%ରୁ ଅଧିକ, ୧୨ ଜିଲ୍ଲାରେ ୬୦-୬୯%, ୭ ଜିଲ୍ଲାରେ ୫୦-୫୯%, ୭ ଜିଲ୍ଲାରେ ୪୦-୪୯% ପଦ ଖାଲି ପଡ଼ିଛି। ଏକମାତ୍ର ଭୁବନେଶ୍ବରର କ୍ୟାପିଟାଲ୍ ଡାକ୍ତରଖାନାରେ ସର୍ବନିମ୍ନ ୧୩% ପଦ ଖାଲି ରହିଛି। ରାଜ୍ୟରେ ଯେଉଁଠି ଡାକ୍ତର ଅଭାବ ଚିତ୍ର ଏତେ ସାଂଘାତିକ, ସାମାଜିକ ଦାୟିତ୍ବ (ସିଏସ୍ଆର୍) ଜରିଆରେ ରାଜ୍ୟକୁ ଡାକ୍ତର ଦେବା ଖଣି ଓ କାରଖାନାଗୁଡ଼ିକର ମୁଖ୍ୟ କର୍ତ୍ତବ୍ୟ। ଅନ୍ୟ ରାଜ୍ୟମାନଙ୍କରେ ଖଣି କର୍ତ୍ତୃପକ୍ଷମାନେ ଏଭଳି ଉଦାହରଣ ସୃଷ୍ଟି କରିଛନ୍ତି।
କିନ୍ତୁ ଓଡ଼ିଶାରେ ଡିଏମ୍ଏଫ୍ ପାଣ୍ଠିରୁ ଅନୁଗୁଳରେ ୨୯, ଯାଜପୁରରେ ୩୩, ଝାରସୁଗୁଡ଼ାରେ ୩, କେନ୍ଦୁଝରରେ ୨୩, ସୁନ୍ଦରଗଡ଼ରେ ୧୧, ଆରଜିଏଚ୍ ରାଉରକେଲାରେ ୧୨ ଡାକ୍ତର ନିଯୁକ୍ତ କରାଯାଇଛି। ଏଣେ ଖଣି, କଳକାରଖାନାର ଧୂଳି ଏବଂ ପ୍ରଦୂଷଣର ଭୟଙ୍କର ପରିଣାମ ସ୍ବରୂପ ଓଡ଼ିଶା ଆଜି ଯକ୍ଷ୍ମା, କିଡ୍ନି, ଶ୍ବାସ, କର୍କଟ, ଚର୍ମଜନିତ ରୋଗ, ଏପରିକି ସିଲିକୋସିସ୍ ଭଳି ରୋଗ ବଢ଼ିବାରେ ଲାଗିଛି, ଯାହା ସରକାରୀ ରିପୋର୍ଟରେ ପ୍ରତିଫଳିତ ହୋଇଛି। ମହାନଦୀ ପାଣିରେ ଆର୍ସେନିକ୍, ସୀସା, ମର୍କ୍ୟୁରି, କ୍ରୋମିୟମ୍ ଭଳି ଭାରୀ ଧାତୁ ଚିହ୍ନଟ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଏବଂ ଆଇଆଇଟି ଖଡ଼ଗପୁରର ରିପୋର୍ଟରେ ପୃଥକ୍ ଭାବରେ ଉଲ୍ଲେଖ ରହିଛି। ସମ୍ବଲପୁରରେ ଯେଉଁଭଳି ଭାବରେ କାରଖାନାର ଭାରୀଯାନ ଯୋଗୁଁ ଦୁର୍ଘଟଣା ବଢୁଛି, ତଲାବିରା କୋଇଲା ଖଣି ଟ୍ରମା କେୟାର ସେଣ୍ଟର କରିବା ଉଚିତ ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ ମତ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




