House Robbery: ଅଭିନେତ୍ରୀ ଲୋପାମୁଦ୍ରାଙ୍କ ଘରୁ ଚୋରି, ବିହାରରୁ ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ମୁମ୍ବାଇ, ୧୦/୦୮: ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରୁ ପ୍ରାୟ ୭୬.୩୯ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ଦରଭଙ୍ଗାରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ୫୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚୋରି ସାମଗ୍ରୀ ଜବତ କରାଯାଇଥିବା ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି।
ପୋଲିସର ସୂଚନା ଅନୁସାରେ, ଜୁଲାଇ ମାସରେ ମୁମ୍ବାଇର ସାନ୍ତାକ୍ରୁଜ୍ ଅଞ୍ଚଳରେ ଥିବା ଲୋପାମୁଦ୍ରା ରାଉତଙ୍କ ଘରେ ଏହି ଚୋରି ହୋଇଥିଲା। ଚୋରମାନେ ଘରୁ ଏକ ଦାମୀ ଘଣ୍ଟା, ଦୁଇଟି ସୁନା ବିସ୍କୁଟ୍, ସୁନା ଅଳଙ୍କାର, ନଗଦ ଟଙ୍କା ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ। ଚୋରି ହୋଇଥିବା ସମସ୍ତ ସାମଗ୍ରୀର ଆନୁମାନିକ ମୂଲ୍ୟ ୭୬.୩୯ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ଘଟଣାର ତଦନ୍ତ ବେଳେ ପୋଲିସ ବୈଷୟିକ ତଥ୍ୟ ଏବଂ ସ୍ଥାନୀୟ ଗୁଇନ୍ଦା ସୂଚନା ଆଧାରରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ ପାଇଥିଲା। ଅଭିଯୁକ୍ତ ବିହାରରେ ଥିବା ଜଣାପଡ଼ିବା ପରେ ମୁମ୍ବାଇ ପୋଲିସର ଏକ ଟିମ୍ ଦରଭଙ୍ଗା ଯାଇ ତାଙ୍କୁ ଗିରଫ କରିଥିଲା।
ଅଭିଯୁକ୍ତଙ୍କ ନିକଟରୁ ୫୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ତେବେ ଏହି ଚୋରି ଘଟଣାରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହାସହ ଚୋରି ହୋଇଥିବା ଅବଶିଷ୍ଟ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର ପାଇଁ ମଧ୍ୟ ଉଦ୍ୟମ ଚାଲିଛି।
ସୌଜନ୍ୟ ପ୍ରମେୟ




