INDIA bloc Meet: ସିଇସିଙ୍କୁ ହଟାଇବା ଲାଗି ଆରପାର୍ ମୁଡରେ ବିରୋଧୀ, ମହାଭିଯୋଗ ପ୍ରସ୍ତାବ ମୁଖ୍ୟ ଏଜେଣ୍ଡା

ନୂଆଦିଲ୍ଲୀ,୩୦/୦୯; ନୂଆଦିଲ୍ଲୀର କନ୍ଷ୍ଟିଚ୍ୟୁସନ୍ କ୍ଲବ୍ରେ ଆଜି ବିରୋଧୀ ‘ଇଣ୍ଡି’ ମେଣ୍ଟର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ସେଥିରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ଏବଂ ଏହାକୁ ନେଇ ନିର୍ବାଚନ କମିଶନଙ୍କ ମଧ୍ୟରେ ଦେଖାଦେଇଥିବା ମତଭେଦ ଉପରେ ଚର୍ଚ୍ଚା ହୋଇପାରେ । ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଜ୍ଞାନେଶ କୁମାରଙ୍କୁ ହଟାଇବା ଲାଗି ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବା, ଏଥିଲାଗି ବିରୋଧୀ ଦଳର ନେତାମାନଙ୍କର ସ୍ୱାକ୍ଷର ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇପାରେ । ଏଥିସହ ଜ୍ଞାନେଶ କୁମାରଙ୍କ ଇସ୍ତଫା, ନିର୍ବାଚନ କମିଶନଙ୍କ ନିଷ୍ପତ୍ତିର ନିରପେକ୍ଷ ଯାଞ୍ଚ ଦାବିକୁ ଜୋରଦାର କରିବା, ଦେଶବ୍ୟାପୀ ବିଶେଷକରି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିକ୍ଷୋଭ ଲାଗି ଏକ ରୂପରେଖ ପ୍ରସ୍ତୁତ କରିବା ଉପରେ ଫୋକସ୍ ରହିପାରେ ।
ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ, ସାଂସଦ ଅଭିଷେକ ବାନାର୍ଜୀ, ଆର୍ଜେଡି ନେତା ତେଜସ୍ୱୀ ଯାଦବ, ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ପିଡିପି ମୁଖ୍ୟ ମେବବୁବା ମୁଫ୍ତି, ସିପିଆଇ(ଏମ୍) ମହାସଚିବ ଏମ୍ଏ ବେବି ପ୍ରମୁଖ ଯୋଗ ଦେବେ । ଏନ୍ସିପି(ଶରଦଚନ୍ଦ୍ର ପାୱାର) ପକ୍ଷରୁ ସୁପ୍ରିୟା ସୁଲେ ଏବଂ ଆଉ କିଛି ନେତା ‘ଇଣ୍ଡିଆ’ ବ୍ଲକ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜେଏମ୍ଏମ୍, ଭିସିକେ, ଆଇୟୁଏମଏଲ୍, ଏମ୍ଡିଏମ୍କେ ଭଳି ଆଞ୍ଚଳିକ ଦଳ ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି । ମୁମ୍ବାଇରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁ ଶିବସେନା(ୟୁବିଟି) ପ୍ରମୁଖ ଉଦ୍ଧବ ଠାକ୍ରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ବୈଠକରେ ଯୋଗ ଦେବେ । ତେବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବୈଠକରେ ସାମିଲ ହେବେ ନାହିଁ ବୋଲି ଜଣାପଡିିଛି । ତାଙ୍କ ସ୍ଥାନରେ ଦଳର ଅନ୍ୟ ନେତା ଯୋଗ ଦେବେ । ଲକ୍ଷ୍ନୌରେ ଏକ କୃଷକ ସମ୍ମିଳନୀରେ ଅଖିଳେଶ ଆଜି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସୌଜନ୍ୟ ପ୍ରମେୟ




