Iran VS US: ଆମେରିକା ଉପରେ ଆମର ଟିକେ ବି ବିଶ୍ୱାସ ନାହିଁ: ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତ, ଟ୍ରମ୍ପଙ୍କ ଧମକ ପରେ ସ୍ପଷ୍ଟ କଲେ ଗାଲିବାଫ
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକା ଉପରେ କୌଣସି ଭରସା ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ଆମେ ଆମେରିକାକୁ ଦୃଢ଼ ଭାବରେ ସାମ୍ନା କରିବୁ ଏବଂ ଇରାନ ଲୋକଙ୍କ ଅଧିକାରକୁ ରକ୍ଷା କରିବୁ।

ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକା ଉପରେ କୌଣସି ଭରସା ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି, ଯଦି ଆମେରିକା ଚୁକ୍ତିର ଉଲ୍ଲଂଘନ କରେ କିମ୍ବା ବିଶ୍ୱାସଘାତକତା କରିବାକୁ ଚେଷ୍ଟା କରେ, ତେବେ ଇରାନ ନିଜର ପ୍ରତିରକ୍ଷା ପାଇଁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହିଛି। ଆମେ ଆମେରିକାକୁ ଦୃଢ଼ ଭାବରେ ସାମ୍ନା କରିବୁ ଏବଂ ଇରାନ ଲୋକଙ୍କ ଅଧିକାରକୁ ରକ୍ଷା କରିବୁ। ଇଣ୍ଡୋନେସିଆର ପିପୁଲ୍ସ କନସଲଟେଟିଭ୍ ଆସେମ୍ବଲି ବାଚସ୍ପତି ଅହମଦ ମୁଜାନିଙ୍କ ସହ ସାକ୍ଷାତ ପରେ ଏକ ସରକାରୀ ଟେଲିଗ୍ରାମ ପୋଷ୍ଟରେ ଗାଲିବାଫ କହିଛନ୍ତି, ସମ୍ପ୍ରତି ଶାନ୍ତି ଆଲୋଚନା ସମୟରେ ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ଇରାନର ଆମେରିକା ଉପରେ ଆଦୌ ବିଶ୍ୱାସ ନାହିଁ।
ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ଗ୍ରହଣ
ଗାଲିବାଫ୍ ତାଙ୍କ ବିବୃତିରେ କହିଛନ୍ତି, ଆଲୋଚନା ସମୟରେ, ମୁଁ ସ୍ପଷ୍ଟ ଭାବରେ ଆମେରିକାର ଉପରାଷ୍ଟ୍ରପତିଙ୍କୁ କହିଥିଲି, ଆମର ତାଙ୍କ ଉପରେ କୌଣସି ଭରସା ନାହିଁ। ମୋ ମତରେ, ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦେଶ ହିଁ କେବଳ ଆମେରିକା ସହିତ ଆଲୋଚନା କରିପାରିବ। ଆମେ ଆମ ଦେଶକୁ ରକ୍ଷା କରିବା ପାଇଁ ପ୍ରସ୍ତୁତି କରିବା ବନ୍ଦ କରିନାହୁଁ। ଗାଲିବାଫଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ଇରାନ ଆମେରିକାକୁ ଆଲୋଚନା ଜାରି ରଖିବାକୁ ଅନୁରୋଧ କରିଛି, ଏବଂ ଆମେରିକା ଏଥିପାଇଁ ପ୍ରସ୍ତୁତ, କିନ୍ତୁ ମୁଁ ଇରାନକୁ ସ୍ପଷ୍ଟ ଭାବରେ କହିଛି ଯେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଏବେ ଶେଷ ହୋଇଛି।
ଇତିମଧ୍ୟରେ କତାର ଆଲୋଚନାକାରୀମାନେ ଇରାନରେ ପହଞ୍ଚିଛନ୍ତି। ସେମାନଙ୍କର ଲକ୍ଷ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ହ୍ରାସ କରିବା ଏବଂ ଆମେରିକା-ଇରାନ ଆଲୋଚନାକୁ ପୁନଃ ଆରମ୍ଭ କରିବା। ରିପୋର୍ଟ ଅନୁଯାୟୀ, କୂଟନୀତିଜ୍ଞ କହିଛନ୍ତି ଯେ, କତାର ପ୍ରତିନିଧିଙ୍କ ଗସ୍ତ ଆମେରିକା ସମନ୍ୱୟରେ ଆୟୋଜନ କରାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ୱାସିଂଟନ ଏବଂ ତେହେରାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଏବଂ ଭବିଷ୍ୟତରେ ଆଲୋଚନା ପାଇଁ ପଥ ପ୍ରଶସ୍ତ କରିବା।
ସୌଜନ୍ୟ ସମ୍ବାଦ




