ସୁଦୀପ୍ତ ଷଡ଼ଙ୍ଗୀ
ବରଗଡ଼: ବରଗଡ଼ର ଜୀବନରେଖା ଜୀରା ନଦୀର ସତ୍ତା ହଜିବାକୁ ବସିଲାଣି। ନଦୀଶଯ୍ୟା ଶୁଖିଲା ପଡ଼ିଥିବା ବେଳେ ଚାରିଆଡ଼େ ଅନାବନା ଘାସ ଭର୍ତ୍ତି। ନଦୀର ପାଣି ଶୁଖି ଛୋଟ ଧାର ହୋଇଗଲାଣି। ଏପରିକି ନଦୀରେ ଆଉ ବାଲି ମଧ୍ୟ ନାହିଁ। ବର୍ଷସାରା ପ୍ରଦୂଷଣ ମାଡ଼ ସହୁଥିବା ଜୀରା ନଦୀ ଏବେ ଶେଷ ଦିନ ଗଣୁଥିବା ଭଳି ଅନୁଭବ ହେଉଛି। ସୁରକ୍ଷା ପାଇଁ ତୁରନ୍ତ କିଛି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏହି ନଦୀର ଅସ୍ତିତ୍ବ ହଜିଯିବ ବୋଲି ତଥ୍ୟାଭିଜ୍ଞ ମହଲ ପ୍ରକାଶ କରିଛନ୍ତି।
ଛତିଶଗଡ଼ର ଜୀରାବାହାଲିରୁ ଉତ୍ପତ୍ତି ଲାଭ କରିଥିବାରୁ ଏହାର ନାମ ଜୀରା ନଦୀ ରହିଛି। ସୋହେଲା, ଭଟଲି, ବରଗଡ଼, ବରପାଲି ଓ ଭେଡ଼େନ ବ୍ଲକ୍ ହୋଇ ଜୀରା ନଦୀ ତୁରୁମ ପାଖରେ ମହାନଦୀରେ ମିଶିଛି। ପ୍ରାୟ ୮୦ କିମି ଲମ୍ବ ଜୀରା ନଦୀରେ ବର୍ଷା ଋତୁର କିଛିଦିନ ଛାଡ଼ିଦେଲେ ଅନ୍ୟ ସମୟରେ ପାଣି ରହୁନି। ଅନ୍ୟପଟେ ବରଗଡ଼ ସହର ସମେତ ବିଭିନ୍ନ ଅଞ୍ଚଳର ନର୍ଦ୍ଦମା ପାଣି ସିଧାସଳଖ ଜୀରାରେ ମିଶୁଛି। ଯାହାକି ପାଣିକୁ ଆହୁରି ପ୍ରଦୂଷିତ କରିବା ସହିତ ଜଳଜୀବଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ଜୀରା ନଦୀରେ ବାଲି ମଧ୍ୟ ସରିଗଲାଣି। ସରକାରୀ ବାଲିଘାଟ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ମାଫିଆମାନେ ବାଲି ଉଠାଇ ନଦୀକୁ ଖୋଳ କରି ସାରିଲେଣି। ଅଧିକାଂଶ ସ୍ଥାନରେ ବାଲିସ୍ତର ନଥିବା ବେଳେ ମାଟି ଦେଖାଯାଉଛି।
ନଦୀଶଯ୍ୟା ବିଭିନ୍ନ ପ୍ରକାର ଲଟାବୁଦା ଓ ଘାସରେ ପରିପୂର୍ଣ୍ଣ ହୋଇଗଲାଣି। ବର୍ତ୍ତମାନ ଯେଉଁ ଗୋଟିଏ ଧାର ପାଣି ଆସୁଛି ତାହା ମଧ୍ୟ ନର୍ଦ୍ଦମା ପାଣି। ମୋଟାମୋଟି ଭାବେ କହିବାକୁ ଗଲେ ଜୀରା ନଦୀରେ ବାଲି, ପାଣି ସବୁ ସରିଗଲାଣି। ଜୀରାନଦୀର ପାଣିକୁ ସଂରକ୍ଷିତ ରଖିବା ପାଇଁ କଂଗ୍ରେସ ସରକାର ଅମଳରେ ଜୀରା ମଧ୍ୟମ ସେଚ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ଭଟଲି ବ୍ଲକ୍ର ଦୁଆନପାଲି ନିକଟରେ ଏହି ପ୍ରକଳ୍ପ କରିବାକୁ ନିଷ୍ପତ୍ତି ହୋଇଥିଲା। ୧୯୫୮ ମିଟର୍ ଲମ୍ବ ଡ୍ୟାମ୍ ଜରିଆରେ ପାଣି ସଂରକ୍ଷିତ ରଖି ଭଟଲି, ବରଗଡ଼ ଓ ସୋହେଲା ବ୍ଲକ୍ର ପ୍ରାୟ ୪ ହଜାର ୮ଶହ ହେକ୍ଟର୍ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକ ବ୍ୟାରେଜ୍ କରିବାରୁ ଏହି ପ୍ରକଳ୍ପ ବାସ୍ତବ ରୂପ ନେଇ ପାରି ନଥିଲା।
ଜୀରା ନଦୀର ଜଳ ସଂରକ୍ଷଣ ପାଇଁ ବର୍ତ୍ତମାନ ଅନ୍ତଃନଦୀ ଜଳାଶୟ ଯୋଜନା (ଆଇଏସ୍ଏସ୍)ରେ ଆନିକଟ କରାଯିବ। ଏଥିପାଇଁ ବାଲିଟିକ୍ରା ନିକଟରେ ନିର୍ମାଣ କାର୍ଯ୍ୟ ଲାଗି ସର୍ଭେ ସରିଛି। କାମ ଆରମ୍ଭ ହୋଇ ବାସ୍ତବ ରୂପ ନେଲେ ଯାଇ ଜୀରାନଦୀର ପାଣି ସଂରକ୍ଷିତ ରଖାଯାଇ ପାରିବ ବୋଲି ଆଶା କରାଯାଉଛି।
ସୌଜନ୍ୟ Prameya News7

