ରାଜ୍ୟ

Judgement: ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିଦ୍ୟାଭାରତୀ

ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ପତ୍ନୀ ବିଦ୍ୟାଭରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରେ ଏସଏଲପି ଖାରଜ ହେବା ପରେ ବିଦ୍ୟାଭରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି।

କଟକ: ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ପତ୍ନୀ ବିଦ୍ୟାଭରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରେ ଏସଏଲପି ଖାରଜ ହେବା ପରେ ବିଦ୍ୟାଭରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପ୍ରସଂଗ ‌ନେଇ ବିଦ୍ୟାଭରତୀ ସିଆରପିସିର ଧାରା ୨୦୫ରେ ଦାୟର କରିଥିବା ଆବେଦନକୁ ଖାରଜ କରି ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ୨୦୨୩, ଜୁନ ୨୩ ଓ ୨୦୨୪, ମାର୍ଚ୍ଚ ୧୧ରେ ଦେଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଥିଲେ। ଏଥି ସହିତ ଏସଡିଜେଏମ ଅଦାଲତଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ଦାୟର କରିଥିବା ଦୁଇ ଆବେଦନକୁ ଗତ ସେପ୍ଟେମ୍ବର ୩ରେ ହାଇକୋର୍ଟ ଖାରଜ କରିଥିଲେ। ଅକ୍ଟୋବର ୧ ତାରିଖ ବା ଏହା ପୂର୍ବରୁ ଏସଡିଜେଏମ ଅଦାଲତରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ସେ ସୁପ୍ରିମକୋର୍ଟରେ ଏସଏଲପି ଦାୟର କରିଥିଲେ। ବିଦ୍ୟାଭାରତୀ ଆଗୁଆ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ସୁପ୍ରିମକୋର୍ଟ କହିବା ସହିତ ତାଙ୍କ ଏସଏଲପିକୁ ସେପ୍ଟେମ୍ବର ୨୮ରେ ଖାରଜ କରିଥିଲେ। ଏହାପରେ ଆତ୍ମସମର୍ପଣ ପାଇଁ ଅଧିକ ସମୟ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ସେପ୍ଟେମ୍ବର ୩୦ରେ ପ୍ରଦାନ କରିଥିଲେ। ଅକ୍ଟୋବର ୩୦ ସୁଦ୍ଧା ଏସଡିଜେଏମ ଅଦାଲତରେ ହାଜର ହୋବକୁ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ଅନୁମତି ଦେଇଥିଲେ।

୨୦୨୧ରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଜୁଲାଇ ୧୨ ରାତିରେ ଫରେଷ୍ଟ କଲୋନିସ୍ଥିତ ନିଜ ସରକାରୀ ବାସଭବନରେ ଏସିଏଫ୍‌ ସୌମ୍ୟରଞ୍ଜନ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ୧୩ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସୌମ୍ୟରଞ୍ଜନଙ୍କ ପତ୍ନୀ, ତତ୍କାଳୀନ ଡିଏଫଓ ଓ ରୋଷେୟାଙ୍କ ସଂପୃକ୍ତି ଥିବା ପରିବାର ତରଫରୁ ଅଭିଯୋଗ କରାଯାଇଥିଲା।

ପ୍ରୋଟେଷ୍ଟ ପିଟିସନ ଦାୟର

ତଦନ୍ତକାରୀ ସଂସ୍ଥାର ତଦନ୍ତରେ ଅସନ୍ତୋଷବ୍ୟକ୍ତ କରି ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ର ଏସଡିଜେଏମ ଅଦାଲତରେ ପ୍ରୋଟେଷ୍ଟ ପିଟିସନ ଦାୟର କରିଥିଲେ। ୨୦୨୩, ଏପ୍ରିଲ ୧୨ରେ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ଏହି ପିଟିସନର ଶୁଣାଣି କରି ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ ଶ୍ରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଆଇପିସିର ଦଫା ୩୦୨ ଓ ୧୨୦-ଖ’ରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏହି କଗନିଜାନ୍ସ ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ନିରାଶ ହୋଇଥିଲେ। ଏହାପରେ ଏସଡିଜେଏମ ଅଦାଲତରେ ବିଚାରାଧୀନ ମୂଳ ମାମଲା ଓ ‌ପ୍ରୋଟେଷ୍ଟ ପିଟିସନ ଆଧାରରେ ବିଚାରାଧୀନ ମାମଲାରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ବିଦ୍ୟାଭାରତୀ ଦାୟର କରିଥିବା ଆବେଦନ ଏସଡିଜେଏମ ଅଦାଲତରେ ଖାରଜ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button