କଟକ: କେନ୍ଦ୍ରାପଡ଼ା ସହରର ପୌରାଞ୍ଚଳ ଅନ୍ତର୍ଗତ ଈଶ୍ବରପୁର ମୌଜାରେ ଥିବା ୧୦୦ବର୍ଷର ପୁରାତନ ଚଉଁରା ଓ ପିଣ୍ଡି ଭାଙ୍ଗିବା ପାଇଁ ଜିଲ୍ଲାପାଳ ପ୍ରଦାନ କରିଥିବା ୨୦୨୬, ଏପ୍ରିଲ ୧୫ର ଉଚ୍ଛେଦ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଓଡ଼ିଶା ସରକାରୀ ଜମି ଜବରଦଖଲ ନିବାରଣ ଆଇନ (ଓପିଏଲଇ), ୧୯୭୨ ଅନୁସାରେ ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ପ୍ରଦାନ କରି ନଥିବା ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଆଇନ ପ୍ରଦତ୍ତ କ୍ଷମତା ବାହାରକୁ ଯାଇ ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ପ୍ରଦାନ କରିଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରାପଡ଼ା ସହରର ଭଗବାନପୁରର ବାସିନ୍ଦା ଗୌରୀଶଙ୍କର କର ଓ ଅନ୍ୟ ତିନି ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଓପିଏଲଇ ଆଇନ, ୧୯୭୨ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଜବରଦଖଲ ହଟାଇବା ଓ ନୋଟିସ ଜାରି କରିବାର କ୍ଷମତା କେବଳ ତହସିଲଦାରଙ୍କ ରହିଛି। ଏହି ପ୍ରସଂଗରେ ଜାରି ନିର୍ଦ୍ଦେଶ ବିରୋଧରେ ଅପିଲ୍ ଓ ରିଭିଜନ୍ ଶୁଣିବାର କ୍ଷମତା କେବଳ ଜିଲ୍ଲାପାଳଙ୍କ ନିକଟରେ ରହିଛି। ପ୍ରାଥମିକ ସ୍ତରରେ ଉଚ୍ଛେଦ ଆଦେଶ ପ୍ରଦାନ ଜିଲ୍ଲାପାଳଙ୍କ କ୍ଷମତା ବହିର୍ଭୂତ। ଯାହା ଦ୍ବାରା ଆବେଦନକାରୀମାନେ ଆଇନଗତ ଅପିଲ୍ କରିବାର ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ୨୦୨୬, ଏପ୍ରିଲ ୧୫ର ଉଚ୍ଛେଦ ଆଦେଶ ଓ କେନ୍ଦ୍ରାପଡା ପୌରସଂସ୍ଥାର ସେପ୍ଟେମ୍ବର୧୮ର ଉଚ୍ଛେଦ ନୋଟିସକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥିସହିତ ଏହି ମାମଲାକୁ ବିଚାର ପାଇଁ କେନ୍ଦ୍ରାପଡ଼ା ତହସିଲଦାରଙ୍କ ନିକଟକୁ ପଠାଇଛନ୍ତି ହାଇକୋର୍ଟ। ତହସିଲଦାର ଉଭୟ ପକ୍ଷଙ୍କୁ ଆଗୁଆ ନୋଟିସ ଦେଇ, ପକ୍ଷ ରଖିବାକୁ ସୁଯୋଗ ଦେଇ ଆଇନ ଅନୁଯାୟୀ ୩୦ ଦିନ ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି।
ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା
ମାମଲାର ବିବରଣୀରୁ ପ୍ରକାଶ ଯେ, ଈଶ୍ବରପୁର ମୌଜାର ଏକ ଜମିରେ ଶହେ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଏକ ସାଂସ୍କୃତିକ ଓ ଧାର୍ମିକ ମହତ୍ତ୍ବ ବହନ କରୁଥିବା ”ଚଉଁରା” ରହିଛି । ଏହି ଜମିଟି କେନ୍ଦ୍ରାପଡ଼ା ପୌରସଂସ୍ଥା ନାମରେ ରହିଛି। କୁମାର ପୂର୍ଣ୍ଣିମା ଆଦି ବିଭିନ୍ନ ପର୍ବପର୍ବାଣିରେ ଶ୍ରୀ ବଳଦେବଜୀଉଙ୍କ ଚଳନ୍ତି ପ୍ରତିମା ଏଠାକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଏ। ପୂର୍ବରୁ ମହିଳାଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ନିଜେ ଏହାର ଶୁଣାଣି କରି ଏପ୍ରିଲ ୧୫ରେ ଚଉଁରା, ପିଣ୍ଡି ଓ ଗଛ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତ ସେପ୍ଟେମ୍ବର୧୮ରେ କେନ୍ଦ୍ରାପଡ଼ା ପୌରସଂସ୍ଥା ଉଛେଦ ନୋଟିସ ଜାରି କରିଥିଲା। ଜିଲ୍ଲାପାଳ ଉଚ୍ଛେଦ ନିର୍ଦ୍ଦେଶ ଦେବା ପୂର୍ବରୁ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା। ଏଥି ସହିତ ଆଇନରେ ଥିବା ବ୍ୟବସ୍ଥା ପାଳନ କରାଯାଇ ନଥିଲା ବୋଲି ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୟାନନ୍ଦ ମହାପାତ୍ର ଓ ଆଇନଜୀବୀ ଅଭିଷେକ ମହାନ୍ତି ମାମଲା ପରିଚାଳନା କରୁଥିଲେ।
ସୌଜନ୍ୟ ସମ୍ବାଦ