ଦେଶ ବିଦେଶ

Judgement: ପୂର୍ବତନ ଜିଲ୍ଲା ବିଚାରପତିଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ଚାକିରିରୁ ଅବୈଧ ବହିଷ୍କାରକୁ ଚ୍ୟାଲେଞ୍ଜ କରି ଆହ୍ଲାବାଦ ହାଇକୋର୍ଟରେ ଦାୟର କରିଥିବା ଆବେଦନର ଶୀଘ୍ର ଶୁଣାଣି ପାଇଁ ଜଣେ ପୂର୍ବତନ ଜିଲ୍ଲା ନ୍ୟାୟାଧୀଶ କରିଥିବା ନିବେଦନକୁ ଗୁରୁବାର ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ନୂଆଦିଲ୍ଲୀ: ଚାକିରିରୁ ଅବୈଧ ବହିଷ୍କାରକୁ ଚ୍ୟାଲେଞ୍ଜ କରି ଆହ୍ଲାବାଦ ହାଇକୋର୍ଟରେ ଦାୟର କରିଥିବା ଆବେଦନର ଶୀଘ୍ର ଶୁଣାଣି ପାଇଁ ଜଣେ ପୂର୍ବତନ ଜିଲ୍ଲା ନ୍ୟାୟାଧୀଶ କରିଥିବା ନିବେଦନକୁ ଗୁରୁବାର ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି ମୋହନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ପ୍ରକାଶ କରିଛନ୍ତି ଯେ, ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ସମାନତା ଅଧିକାର କେବଳ ଜଣେ ପ୍ରାକ୍ତନ ବିଚାର ବିଭାଗୀୟ ଅଧିକାରୀ ହୋଇଥିବା କାରଣରୁ ବ୍ୟତିକ୍ରମମୂଳକ ହସ୍ତକ୍ଷେପର ଅନୁମତି ଦିଏ ନାହିଁ।

ପଦବି ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ସମାନ ସ୍ଥିତିରେ ଅଛନ୍ତି ବୋଲି ଗୁରୁତ୍ୱାରୋପ କରି କୋର୍ଟ କହିଛନ୍ତି, ‘ସେ ଜଣେ ବସ୍ କଣ୍ଟକ୍ଟର ହୁଅନ୍ତୁ କିମ୍ବା ରାଜ୍ୟର ମୁଖ୍ୟ ଶାସନ ସଚିବ ହୁଅନ୍ତୁ, ସେଥିରେ କିଛି ଫରକ ପଡ଼େ ନାହିଁ। ସମସ୍ତଙ୍କର ନ୍ୟାୟ ପାଇବାର ସମାନ ଅଧିକାର ରହିଛି। ତେଣୁ ସମ୍ବିଧାନିକ ସମାନତାର ଏହି ପରିସର ମଧ୍ୟରେ ଆମେ କୌଣସି ବ୍ୟକ୍ତିଗତ ହସ୍ତକ୍ଷେପ କରିବୁ ନାହିଁ।’ ପୂର୍ବତନ ଜିଲ୍ଲା ଜଜ୍‌ଙ୍କ ଓକିଲ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ଆହ୍ଲାବାଦ ହାଇକୋର୍ଟରେ ଅନେକ ମାମଲା ବକେୟା ଥିବାରୁ ଚାକିରିରୁ ବହିଷ୍କାର କରାଯିବା ଆବେଦନର ନିଷ୍ପତ୍ତି ହୋଇପାରିନାହିଁ।

ଉଚ୍ଚ ଅଦାଲତରେ ଅତ୍ୟଧିକ ମାମଲା ବୋଝ ରହିଛି ଏବଂ ଏଥିପାଇଁ ସମୟ ଲାଗୁଛି ବୋଲି ଆବେଦନକାରୀଙ୍କ ଓକିଲ କହିଥିଲେ। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ଏହି ମାମଲାକୁ ପ୍ରାଥମିକତା ଭିତ୍ତିରେ ତାଲିକାଭୁକ୍ତ କରିବାକୁ ଉଚ୍ଚ ଅଦାଲତଙ୍କୁ ନିର୍ଦ୍ଦେଶ ଦିଆଯାଏ, ତେବେ ତାହା ଅନ୍ୟ ସାଧାରଣ ଆବେଦନକାରୀଙ୍କ ପ୍ରତି ଅନ୍ୟାୟ ହେବ। ଜଷ୍ଟିସ ବାଗଚୀ କହିଥିଲେ ଯେ, ‘ଆପଣ ଏଥିପାଇଁ ଚାପ ପକାଉଥିବାରୁ ଆମେ ଏହାକୁ ଖାରଜ କରିବୁ। ଆମ ଆଗରେ ଥିବା ଆବେଦନକାରୀଙ୍କ ପାଇଁ ଯାହା ନ୍ୟାୟପୂର୍ଣ୍ଣ ଏବଂ ଆମ ଆଗକୁ ଆସିନଥିବା ଅଗଣିତ ଆବେଦନକାରୀଙ୍କ ପାଇଁ ଯାହା ଅନ୍ୟାୟ, ଏପରି ଆଦେଶ ଆମେ ଦେବୁ ନାହିଁ।’ ସମ୍ପୃକ୍ତ ପ୍ରାକ୍ତନ ଜିଲ୍ଲା ନ୍ୟାୟାଧୀଶଙ୍କ ପ୍ରତି ଅନୁକମ୍ପାମୂଳକ ବିଚାର ଅନ୍ୟ ଅପେକ୍ଷାରତ ଆବେଦନକାରୀଙ୍କ ପ୍ରତି ଅନ୍ୟାୟ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button