ରାଜ୍ୟ

Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ

ମହୁଲ ଫୁଲ ବା କାଜୁରୁ ପ୍ରସ୍ତୁତ ଦେଶୀ ମଦର ଏକ ଦୋକାନ ବନ୍ଦ ସଂପର୍କିତ ଆଦେଶ କାର୍ଯ୍ୟକାରୀ ଉପରେ ଜାରି ଅନ୍ତରୀଣ ରହିତାଦେଶ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

କଟକ: ମହୁଲ ଫୁଲ ବା କାଜୁରୁ ପ୍ରସ୍ତୁତ ଦେଶୀ ମଦର ଏକ ଦୋକାନ ବନ୍ଦ ସଂପର୍କିତ ଆଦେଶ କାର୍ଯ୍ୟକାରୀ ଉପରେ ଜାରି ଅନ୍ତରୀଣ ରହିତାଦେଶ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏହି ମାମଲାରେ ରାଉରକେଲାସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ନଭେମ୍ବର ୨୭ ତାରିଖ ସକାଳ ୧୦ଟା ୩୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧୨ର ଅନ୍ତରୀଣ ନିର୍ଦ୍ଦେଶ ଇଚ୍ଛାକୃତ ଭାବେ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ ବ୍ୟକ୍ତିଗତ ଭାବେ ହାଜର ହୋଇ ଆଞ୍ଚଳିକ ଅଧିକାରୀ ସ୍ପଷ୍ଟୀକରଣ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜେଶ କୁମାର ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଆବେଦନକାରୀଙ୍କ ମଦ ଦୋକାନ ବନ୍ଦ ସଂପର୍କିତ ନଭେମ୍ବର ୧୧ର ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ନଭେମ୍ବର ୧୨ରେ ଅନ୍ତରୀଣ ରୋକ ଲଗାଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଯାଇ ନଥିଲା ଓ ଆବେଦନକାରୀଙ୍କୁ ଦୋକାନ ଖୋଲିବାକୁ ଅନୁମତି ମିଳି ନଥିଲା ବୋଲି ଅଭିଯୋଗ ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ମହୁଲ ଫୁଲ କିମ୍ବା କାଜୁରୁ ପ୍ରସ୍ତୁତ ମଦ ଦୈନିକ ୧୦ କିଲୋଲିଟର ପର୍ଯ୍ୟନ୍ତ ଉତ୍ପାଦନ କ୍ଷେତ୍ରରେ ପରିବେଶ ମଞ୍ଜୁରୀ ପ୍ରମାଣପତ୍ର ଆବଶ୍ୟକତାକୁ ନେଇ କେନ୍ଦ୍ର ସରକାରଙ୍କ ଚିଠା ବିଜ୍ଞପ୍ତି ଆଧାରରେ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ୧୦ କିଲୋଲିଟରରୁ କମ୍‌ ବର୍ଗରେ ଆସୁଥିବାରୁ ପରିବେଶ ମଞ୍ଜୁରୀ ପ୍ରମାଣପତ୍ର ତାଙ୍କ କ୍ଷେତ୍ରରେ ଲାଗୁ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଥିଲା। ପୂର୍ବରୁ ଚୂଡ଼ାନ୍ତ ବିଜ୍ଞପ୍ତି ଉପସ୍ଥାପନ ପାଇଁ ପ୍ରତିପକ୍ଷଙ୍କ ତରଫରୁ ସମୟ ନିଆଯାଇଥିଲେ ମଧ୍ୟ ତାହା ଦାଖଲ ନ କରି ଦୋକାନ ବନ୍ଦ ନିର୍ଦ୍ଦେଶ ଜାରି କରାଯିବାକୁ ନେଇ ପୂର୍ବରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ମଦ ଦୋକାନ ବନ୍ଦ ସଂପର୍କିତ ନଭେମ୍ବର ୧୧ର ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ନଭେମ୍ବର ୧୨ରେ ଅନ୍ତରୀଣ ରୋକ ଲଗାଇଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସାଇବ୍ରତ ରଥ ସହାୟତା କରୁଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button