Kampa: କାମ୍ପା ହେଲାଣି ‘ଫମ୍ପା’

ବଲାଙ୍ଗୀର ଜିଲ୍ଲା ସବୁଜିମାରେ ଭରପୂର ବୋଲି କାଗଜକଲମରେ କୁହାଯାଉଛି। ପ୍ରତିବର୍ଷ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଚାରାରୋପଣ କରାଯାଉଥିବା ବନ ବିଭାଗ ରିପୋର୍ଟ ଦେଉଛି। ଗ୍ରାଉଣ୍ଡ୍‌....

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସବୁଜିମାରେ ଭରପୂର ବୋଲି କାଗଜକଲମରେ କୁହାଯାଉଛି। ପ୍ରତିବର୍ଷ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଚାରାରୋପଣ କରାଯାଉଥିବା ବନ ବିଭାଗ ରିପୋର୍ଟ ଦେଉଛି। ଗ୍ରାଉଣ୍ଡ୍‌ ଜିରୋ ରିପୋର୍ଟ ଭିନ୍ନ କଥା କହୁଛି। ଚାରାରୋପଣ କରାଯାଉଥିବା ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଫଳକ ଲାଗୁଛି। ଏଥିରେ ଅଟକଳ କଥା ଉଲ୍ଲେଖ ରହୁନାହିଁ। ଅଧିକାରୀଙ୍କୁ ପଚାରିଲେ, ଚାରା ରକ୍ଷଣାବେକ୍ଷଣ ବାବଦକୁ କେତେ ଖର୍ଚ୍ଚ ହେଉଛି ତା’ର ହିସାବ ରହୁନଥିବା ସଫେଇ ଦେଉଛନ୍ତି।

ବନ ବିଭାଗ ରିପୋର୍ଟ କହୁଛି, ୨୦୨୫-୨୬ ଆର୍ଥିକ ବର୍ଷରେ କାମ୍ପା ସମେତ ଅନ୍ୟ ଯୋଜନାରେ ଜିଲ୍ଲାରେ ୫,୭୦,୩୬୪ ଚାରା ରୋପଣ କରାଯାଇଛି। କେବଳ କାମ୍ପା ଯୋଜନାରେ ୪.୯୦ ଲକ୍ଷ ଚାରା ‌ରୋପଣ ହୋଇଛି। କାମ୍ପା ଅନୁଦାନରେ ଗତବର୍ଷ ଜୁନ୍‌ ମାସ ଭିତରେ ବନ ବିଭାଗ ଜିଲ୍ଲାରେ ୧.୦୮ କୋଟି ଟଙ୍କା ଖର୍ଚ୍ଚ କରିସାରିଥିଲା। ମୋଟ୍‌ ୧୨ ଶହ ହେକ୍ଟରରେ ୩.୬ ଲକ୍ଷ ଗଛ ପୋତାଯାଇଥିବା ବିଭାଗ କହୁଛି। ୮ ଶହ ହେକ୍ଟରରେ କେବଳ ୧.୬୦ ଲକ୍ଷ ଔଷଧୀୟ ବୃକ୍ଷ ଏବଂ ୪ ଶହ ହେକ୍ଟରରେ ୨ ଲକ୍ଷ ଅନ୍ୟାନ୍ୟ ବୃକ୍ଷରୋପଣ କରାଯାଇଛି ବୋଲି ବିଭାଗୀୟ ତଥ୍ୟ କହୁଛି। ୨୦୨୬-୨୭ ଆର୍ଥିକ ବର୍ଷରେ ବନ ବିଭାଗ କାମ୍ପା ଯୋଜନାରେ ୪.୨୧ ଲକ୍ଷ ଗଛ ଲଗାଇବାକୁ ଯୋଜନା ରହିଛି। ଅନ୍ୟ ଯୋଜନାକୁ ମିଶାଇ ମୋଟ୍‌ ୫.୫୬ ଗଛ ଲଗାଇବା ଟାର୍ଗେଟ୍‌ ରହିିଛି।  ଗତବର୍ଷର ଗଛଗୁଡ଼ିକର ସ୍ଥିତି ଏବଂ ଅନୁଦାନର ବିନିଯୋଗ ପରଖିବାକୁ ‘ସମ୍ବାଦ’ ପହଞ୍ଚିଥିଲା ପାଟଣାଗଡ଼ ସେକ୍ସନ ବନ୍ଧପଡ଼ା ବିଟ୍‌ ଲଖନପୁର ଅଞ୍ଚଳରେ।

 

ଯେଉଁଠି ୨୦୨୪-୨୫ରେ କେବଳ କାମ୍ପା ଅନୁଦାନରେ ୩୫ ହେକ୍ଟରରେ ୩୫ ହଜାର ଚାରାରୋପଣ କରାଯାଇଥିବା ବନ ବିଭାଗ କହୁଛି। ପୁଣି ୨୦୨୫-୨୬ ଆର୍ଥିକ ବର୍ଷରେ ଏଠାରେ ନୂଆ ୧୦ହଜାର ଗଛ ଲାଗିଛି ବୋଲି ଦର୍ଶାଯାଇଛି। କିନ୍ତୁ ଦେଖିବାକୁ ମିଳିଲା, ଏଠାରେ ନୂଆ ଚାରା ବଢ଼ିବା ନାମଗନ୍ଧ ନାହିଁ। ଗ‌ାତ ଅଛି, କିନ୍ତୁ ଗଛ ନାହିଁ। ନାମକୁ ମାତ୍ର ‌ଗୋଟିଏ ତୋରଣ ଓ ଫଳକ ଲଗାଯାଇଛି। ଉକ୍ତ ଫଳକରେ ଯୋଜନା ସମ୍ପର୍କରେ ଉଲ୍ଲେଖ ରହିଛି। ହେଲେ ଖର୍ଚ୍ଚର କିଛି ବିବରଣୀ ନାହିଁ। ସମ୍ପୃକ୍ତ ରେଞ୍ଜରଙ୍କୁ ପଚାରିଲେ ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ ହେଉଥିବାରୁ ସଠିକ୍‌ ଅଟକଳ ସୂଚନା ଫଳକରେ ନଥିବା ଯୁକ୍ତି ଦର୍ଶାଇଛନ୍ତି। ଜିଲ୍ଲାର ଅନ୍ୟ ରେଞ୍ଜରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାମ୍ପାକୁ ଜିଲ୍ଲାରେ ଫମ୍ପା କରାଯାଉଥିବା ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ଏହି କାରବାର ଚାଲୁଥିଲେ ହେଁ ବିଭାଗୀୟ ତଦନ୍ତ ନଆଗେଇବା ଆଶ୍ଚର୍ଯ୍ୟର କଥା।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version