ଗ୍ରୀଷ୍ମ ଋତୁରେ ତୀବ୍ର ସୂର୍ଯ୍ୟକିରଣ, ଅଧିକ ଗରମ, ଆର୍ଦ୍ରତା ଓ ପ୍ରଦୂଷଣ ତ୍ୱଚା ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରେ। ଏହାର ପ୍ରଭାବରେ ଟ୍ୟାନିଂ, ଶୁଷ୍କତା, ମଳିନତା ଏବଂ କେବେ କେବେ ତ୍ୱଚା ଫାଟିଯିବା ଭଳି ସମସ୍ୟା ଦେଖାଦିଏ। ଏହି ସମୟରେ ତ୍ୱଚା ଶୀଘ୍ର ଆର୍ଦ୍ରତା ହାରାଇଥାଏ ଓ ପରିବେଶୀୟ କ୍ଷତିର ସମ୍ମୁଖୀନ ହୁଏ। ତେଣୁ, ଦୈନିକ କିଛି ସରଳ ଅଭ୍ୟାସ ଅନୁସରଣ କଲେ ସୁସ୍ଥ, ସନ୍ତୁଳିତ ଓ ଉଜ୍ଜ୍ୱଳ ତ୍ୱଚା ରଖିବା ସମ୍ଭବ ହେବ।
ଗ୍ରୀଷ୍ମକାଳୀନ ତ୍ୱଚା ଯତ୍ନରେ ସୂର୍ଯ୍ୟତାପରୁ ସୁରକ୍ଷା ସବୁଠାରୁ ଜରୁରି। ଦୀର୍ଘ ସମୟ ପର୍ଯ୍ୟନ୍ତ ଅଲ୍ଟ୍ରାଭାୟୋଲେଟ୍ କିରଣ ସଂସ୍ପର୍ଶରେ ରହିଲେ ଟ୍ୟାନିଂ, ପିଗ୍ମିଣ୍ଟେସନ୍ ଓ ଅକାଳ ବାର୍ଦ୍ଧକ୍ୟ ହୋଇପାରେ। ଏଥିପାଇଁ ନନ୍-ନାନୋ ଜିଙ୍କ ଅକ୍ସାଇଡ୍ ଥିବା ବ୍ରଡ୍-ସ୍ପେକ୍ଟ୍ରମ୍ ମିନେରାଲ୍ ସନସ୍କ୍ରିନ୍ ବ୍ୟବହାର କରିବା ଉଚିତ। ଫଳରେ ଏହି ପ୍ରକାର ସନସ୍କ୍ରିନ୍ ତ୍ୱଚାରେ ରହି ୟୁଭି କିରଣକୁ ପ୍ରତିଫଳିତ କରି ସୁରକ୍ଷା ଦେଇଥାଏ।
ଏହି ଋତୁରେ ତ୍ୱଚାକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଆବଶ୍ୟକ। ପ୍ରତିଦିନ ୮ରୁ ୧୦ ଗ୍ଲାସ୍ ପାଣି ପିଇବା ସହିତ ତରଭୁଜ, କାକୁଡ଼ି ଓ କମଳା ପରି ଅଧିକ ଜଳୀୟଅଂଶ ଥିବା ଫଳ ଖାଇବା ଆବଶ୍ୟକ। ଅତ୍ୟଧିକ କ୍ୟାେଫନ୍ ଓ ମିଠାଜାତୀୟ ପାନୀୟରୁ ଦୂରେଇ ରହିବା ଉଚିତ। ହାଇଡ୍ରେଟେଡ୍ ତ୍ୱଚା ସ୍ୱାଭାବିକ ଭାବରେ ଅଧିକ ତାଜା, କୋମଳ ଓ ସୁସ୍ଥ ଦେଖାଯାଏ।
ତ୍ୱଚା ସଫାସୁତୁରା ରଖିବା ପାଇଁ ଦିନକୁ ଦୁଇରୁ ତିନିଥର ଥଣ୍ଡା ପାଣିରେ ଭଲରେ ମୁହଁ ଧୁଅନ୍ତୁ। ଏଥିପାଇଁ ଏକ ମୃଦୁ କ୍ଲିନ୍ଜର ବ୍ୟବହାର କରନ୍ତୁ, ଯାହା ତ୍ୱଚାର ପ୍ରାକୃତିକ ତେଲକୁ କ୍ଷତି କରିନଥାଏ। ସାବୁନ ବ୍ୟବହାର ତ୍ୱଚାକୁ ଶୁଷ୍କ କରିବା ସହ କ୍ଷତି ମଧ୍ୟ ପହଞ୍ଚାଏ।
ଖରାଦିନେ ମଧ୍ୟ ମଇଶ୍ଚରାଇଜର୍ ବ୍ୟବହାର ଅତ୍ୟାବଶ୍ୟକ। ହାଲୁକା ଓ ଜେଲ୍-ଭିତ୍ତିକ ମଇଶ୍ଚରାଇଜର ତ୍ୱଚାର ଆର୍ଦ୍ରତା ସନ୍ତୁଳିତ ରଖିଥାଏ। ତ୍ୱଚାକୁ ଅଧିକ ଶୁଷ୍କ କିମ୍ବା ତେଲିଆ ହେବାରୁ ରକ୍ଷା କରେ।
ତ୍ୱଚାର ଯତ୍ନ ସହିତ ସୁରକ୍ଷା ଅଭ୍ୟାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବାହାରକୁ ଯିବାବେଳେ ଚଉଡ଼ା ଧାରର ଟୋପି, ୟୁଭି-ସୁରକ୍ଷିତ ସନ୍ଗ୍ଲାସ୍ ବ୍ୟବହାର କରନ୍ତୁ ଏବଂ ସ୍କାର୍ଫ କିମ୍ବା ଛତା ନେଇଯାଆନ୍ତୁ। ବିଶେଷକରି ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସିଧାସଳଖ ସୂର୍ଯ୍ୟକିରଣରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।
ସୁସ୍ଥ ତ୍ୱଚା ପାଇଁ ଉପଯୁକ୍ତ ଖାଦ୍ୟ ମଧ୍ୟ ଜରୁରି। ଭିଟାମିନ୍ ସି ଭରପୂର ତାଜା ଫଳ, ପତ୍ରଯୁକ୍ତ ପରିବା, ବାଦାମ ଓ ମଞ୍ଜିଜାତୀୟ ପୁଷ୍ଟିକର ଖାଦ୍ୟ ତ୍ୱଚାକୁ ଅନ୍ତଃପୋଷଣ ଦେଇଥାଏ। ଏକ ସନ୍ତୁଳିତ ଖାଦ୍ୟ ତ୍ୱଚାର ପୁନର୍ନିର୍ମାଣରେ ସାହାଯ୍ୟ କରି ଏହାର ପ୍ରାକୃତିକ ଚମକକୁ ବଜାୟ ରଖେ।
ସୌଜନ୍ୟ ସମ୍ବାଦ
