The name: ନଦୀର ନାଁ ସୁନା ପାଣିର ରଙ୍ଗ ଲାଲ

The name: ନଦୀର ନାଁ ସୁନା ପାଣିର ରଙ୍ଗ ଲାଲ

କେନ୍ଦୁଝରନଦୀର ନାମ ସୁନା, ପାଣି ରଙ୍ଗ ଲାଲ। କେନ୍ଦୁଝର ଜିଲ୍ଲା ଯୋଡ଼ାର ଜୀବନରେଖା କୁହାଯାଉଥିବା ସୁନାନଦୀ ଏବେ ବ୍ୟାପକ ଖଣି ଖନନ ଓ ଶିଳ୍ପ ଆବର୍ଜନାରେ ପ୍ରଦୂଷିତ ହୋଇ ଅପମୃତ୍ୟୁର ଦ୍ବାରଦେଶ‌ରେ ପହଞ୍ଚିଛି। ଏହାର ପାଣିକୁ ବ୍ୟବହାର କରି ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ଏହି ନଦୀବାଲିରୁ ପୂର୍ବରୁ ସୁନା ସଂଗ୍ରହ କରାଯାଉଥିବାରୁ ଏହାର ନାମ ସୁନାନଦୀ ବୋଲି ନାମିତ ହୋଇଛି। ଏହି ଚିରସ୍ରୋତା ନଦୀର ସ୍ବଚ୍ଛ ଜଳଧାରା ଯୋଡ଼ା ଅଞ୍ଚଳବାସୀଙ୍କ ଜୀବନ ଜିଇବାର ପ୍ରମୁଖ ମାଧ୍ୟମ ଥିଲା। ଏବେ ସୁନାନଦୀରେ ଆଉ ସ୍ବଚ୍ଛ ଜଳଧାରା ପ୍ରବାହିତ ହେଉନି। ସୁନ୍ଦରଗଡ଼ ଜିଲ୍ଲାର ପାଟୁଳି ପାଟମୁଣ୍ଡାରୁ ବାହାରିଥିବା ସୁନାନଦୀ ଯୋଡ଼ା ବ୍ଲକ୍‌ର କଣ୍ଡରାଠାରେ ବୈତରଣୀ ନଦୀରେ ମିଶିଛି। ଯୋଡ଼ା ସହର ଦେଇ ବହି ଯାଇଥିବା ଏହି ନଦୀ ୧୪ଟି ୱାର୍ଡର ୪୬ହଜାର ଲୋକଙ୍କ ଜଳ ଆବଶ୍ୟକତା ପୂରଣ କରୁଥିଲା। ନଦୀକୂଳରେ ଥିବା ବସ୍ତି ବାସିନ୍ଦା ସ୍ନାନଶୌଚ ପାଇଁ ଏହା ଉପରେ ନିର୍ଭର କରୁଥିଲେ। ଗୃହପାଳିତ ପଶୁ ଏହି ପାଣିକୁ ବ୍ୟବହାର କରୁଥିଲେ। ମାତ୍ରାଧିକ ଖଣି ଖନନ, ଶିଳ୍ପାନୁଷ୍ଠାନର ଆବର୍ଜନା ଏବଂ କାରଖାନାଗୁଡ଼ିକ ବ୍ୟାପକ ନଦୀପାଣି ବ୍ୟବହାର କରିବା ଯୋଗୁଁ ସୁନାନଦୀ ଏବେ ଅପମୁତ୍ୟୁକୁ ଅପେକ୍ଷା କରିଛି। ଏହା ଏବେ ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିବାବେଳେ ଏହାର ପାଣି ଲାଲ ହୋଇଯାଇଛି। ଲୋକେ ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ନଦୀଶଯ୍ୟା ପୋତି ହେଉଥିବାବେଳେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି।

ସେହିପରି ଜଳଡିହିରେ ବ୍ୟାପକ ଖଣି ଖନନ ଯୋଗୁଁ ବର୍ଷା ହେଲେ ଖଣିରୁ ନିର୍ଗତ ଲାଲ ରଙ୍ଗର ପାଣି ବହି ଆସି ନଦୀରେ ମିଶୁଛି। ନଦୀର ଉତ୍ପତ୍ତିସ୍ଥଳ ପାଟମୁଣ୍ଡାର ୧୩ଟି, ଡେଙ୍ଗୁରାର ୯ଟି ଏବଂ ମାଲଦା ପଞ୍ଚାୟତର ପ୍ରାୟ ୧୫ଟି ଗ୍ରାମର ଲୋକେ ଦୂଷିତ ଜଳ ବ୍ୟବହାର କରୁଛନ୍ତି। ନଦୀର ଉତ୍ପତ୍ତିସ୍ଥଳ ନିକଟରେ ତିନିଟି ନୂଆ ଖଣିକୁ ସରକାର ନିଲାମ କରିଛନ୍ତି। ଏଥିପାଇଁ ଗଛ କଟା ଚାଲିଛି। ଏହାଦ୍ବାରା ମୃତ୍ତିକା କ୍ଷୟ ‌ହୋଇ ନଦୀ ପୋତି ହୋଇଯିବାର ଆଶଙ୍କା ରହିଛି। ସରକାରୀସ୍ତରରେ ନଦୀକୁ ଚିରସ୍ରୋତା ଓ ପାଣିକୁ ସ୍ବଚ୍ଛ ରଖିବାପାଇଁ କିଛି ସ୍ବତନ୍ତ୍ର ଯୋଜନା ନାହିଁ। କାରଖାନାଗୁଡ଼ିକ ନିଜର ଆବର୍ଜନାକୁ ବିଶୋଧନ ନକରି ସିଧାସଳଖ ନଦୀକୁ ଛାଡ଼ି ‌ଦେଉଛନ୍ତି। ଏଥିପାଇଁ ସୁନା ପରି ସୁନ୍ଦର ନାମ ପାଇଥିବା ଏହି ନଦୀ ଏବେ ନର୍ଦ୍ଦମାରେ ପରିଣତ ହୋଇଛି। ଏ ସମ୍ପର୍କ‌ରେ ପୂର୍ବତନ ସରପଞ୍ଚ ଦିବାକର ନାୟକ କହିଛନ୍ତି, କାରଖାନାର ଆର୍ବଜନା ସିଧାସଳଖ ନଦୀରେ ମିଶିବା ଦ୍ବାରା ପାଣି ପ୍ରଦୂଷିତ ହୋଇଛି। ସରକାର ସୁନାନଦୀର ସୁରକ୍ଷା ପାଇଁ ପଦକ୍ଷେପ ନନେଲେ ଏହାର ଅପମୃତ୍ୟୁୁ ହୋଇଯିବ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version