Odisha’s rich: ଓଡ଼ିଶାର ସମୃଦ୍ଧ ତନ୍ତକଳାକୁ

ଶବାନା ଆଜ୍‌ମୀଙ୍କ ଠାରୁ ଆରମ୍ଭ କରି ନନ୍ଦିତା ଦାସ ତାଙ୍କର ଗ୍ରାହକ ରହିଛନ୍ତି। ଓଡ଼ିଶା ଭୂଇଁରୁ ଦିଲ୍ଲୀ, ବମ୍ବେ ହୋଇ ଲଣ୍ଡନ, ପ୍ୟାରିସ୍‌, ଆମେରିକା ଯାଏ ତାଙ୍କ ହସ୍ତତନ୍ତ.....

ଶବାନା ଆଜ୍‌ମୀଙ୍କ ଠାରୁ ଆରମ୍ଭ କରି ନନ୍ଦିତା ଦାସ ତାଙ୍କର ଗ୍ରାହକ ରହିଛନ୍ତି। ଓଡ଼ିଶା ଭୂଇଁରୁ ଦିଲ୍ଲୀ, ବମ୍ବେ ହୋଇ ଲଣ୍ଡନ, ପ୍ୟାରିସ୍‌, ଆମେରିକା ଯାଏ ତାଙ୍କ ହସ୍ତତନ୍ତ ବସ୍ତ୍ରର ସ୍ବତନ୍ତ୍ର ଚାହିଦା ରହିଛି। କଟକର ଜଣେ ଉଚ୍ଚଶିକ୍ଷିତା ଝିଅ ବିବାହ ପରେ, ସ୍ବାମୀଙ୍କ ବୃତ୍ତି ପାଇଁ ଗୁଜରାଟରେ ରହିବା ପରେ ସେଠାକାର ବୟନଶିଳ୍ପ ଦେଖି ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରାକୁ ଝୁରି ହୁଅନ୍ତି। ନିଜେ କିଛି କରିବାକୁ ଗୋପନରେ ଇଚ୍ଛାଟିଏ ଜାଗେ। ତେବେ ପରିବାରକୁ ପ୍ରାଧାନ୍ୟ ଦେଇ ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ଫେରି ଆରମ୍ଭ କରନ୍ତି ‘ରାସ୍‌’ ନାମରେ ହସ୍ତତନ୍ତର ଡିଜାଇନର୍‌ ବ୍ରାଣ୍ଡ୍‌, ଯାହା ଆଜି ଆଧୁନିକ ନାରୀମାନଙ୍କ ପାଇଁ ବିବିଧ ହସ୍ତତନ୍ତର ଏକ ନିର୍ଭରଯୋଗ୍ୟ ଠିକଣା। ‘ରାସ୍‌’ର ନିର୍ମାତ୍ରୀ ରଶ୍ମି ମହାପାତ୍ରଙ୍କ ସହ ଆଳାପ କରିଛନ୍ତି ଶୁଭଶ୍ରୀ ଲେଙ୍କା…

 ଜଣେ ଉଚ୍ଚଶିକ୍ଷିତା ମହିଳା ଭାବେ ଆପଣ କୌଣସି ଚାକିରି ନକରି ବ୍ୟବସାୟ କରିବା ପାଇଁ କାହିଁକି ଆଗ୍ରହୀ ହେଲେ?

ମୋ ପାଇଁ ଚାକିରି କରିବା କିମ୍ବା ବ୍ୟବସାୟ କରିବା କୌଣସି ବାଧ୍ୟବାଧକତା ନ ଥିଲା। ମୁଁ ଚାହୁଥିଲି କିଛି ସୃଜନଶୀଳ କାମ କରିବାକୁ ଯାହାଦ୍ବାରା ମତେ ଆତ୍ମସନ୍ତୋଷ ମିଳିପାରିବ। ରାସ୍‌ ସେହିଭଳି ଏକ ପ୍ରୟାସ ଥିଲା ଯାହା କାଳକ୍ରମେ ବ୍ୟବସାୟରେ ପରିଣତ ହୋଇଗଲା।
ବିବାହ ପରେ ମୁଁ ପହଞ୍ଚିଲି ସୁଦୂର ଗୁଜରାଟରେ। ମୋର ସ୍ବାମୀ ଗୁଜରାଟ କ୍ୟାଡର୍‌ର ଆଇ.ଏ.ଏସ୍‌. ଅଫିସର ହୋଇଥି‌ବାରୁ ଆମେ ଗୁଜରାଟ‌େର ବହୁ ବର୍ଷ ଅତିବାହିତ କରିଛୁ। ବହୁତ ଖୁସି ଲାଗିଲା ମେ‌ାତେ ସେହି ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଆଉ ହସ୍ତକଳା ଦେଖି। ସ୍ବାମୀଙ୍କର ପୋଷ୍ଟିଂ ହେଲା କିଛି ସମୟରେ ଟେକ୍ସଟାଇଲ୍‌ ମିନିଷ୍ଟ୍ରି, ଦିଲ୍ଲୀରେ ଆଉ ଗୁଜରାଟରେ ମଧ୍ୟ କିଛି କିଛିଦିନ ହ୍ୟାଣ୍ଡଲୁମ୍‌ ଆଉ ହ୍ୟାଣ୍ଡିକ୍ରାଫ୍‌ଟ ସେକ୍ଟରରେ। ସେତେବେଳେ ବହୁତ କିଛି ଜାଣିଲି କଳା ଆଉ ହସ୍ତତନ୍ତ ବିଷୟରେ ଯେତେବେଳେ ମୁଁ ବିଭିନ୍ନ ସ୍ଥାନକୁ ଗଲି, ଯେଉଁ ସ୍ଥାନରେ ଏ ସମ୍ବନ୍ଧୀୟ କାର୍ଯ୍ୟ ଓ ପ୍ରୋଜେକ୍ଟ ଚାଲିଥାଏ। ମନର କୋଉ ଗୋଟିଏ କୋଣରେ ଇଚ୍ଛାଟିଏ ଥିଲା, ଆମ ଓଡ଼ିଶାର ହସ୍ତତନ୍ତକୁ ଉଚ୍ଚସ୍ତରରେ ପହଞ୍ଚାଇବାରେ ମୋର କିଛି ଅବଦାନ ରହିପାରିବ କି! ସେଇ ସମୟରେ ପରିବାରର ଦାୟିତ୍ବ ପିଲାମାନଙ୍କୁ ବଡ଼ କରିବା। ନିଜ କର୍ତ୍ତବ୍ୟରେ ଧ୍ୟାନ ଦେବା ହିଁ ମୋର ସବୁଠାରୁ ମହତ୍ତ୍ବପୂର୍ଣ୍ଣ କାମ ରହିଲା। ହେଲେ ମନର ଇଚ୍ଛାଟା କୋଉଠି ଗୋଟେ ଲୁକ୍କାୟିତ ହୋଇ ସବୁବେଳେ ବାସ୍ତବତାର ରୂପ ନେବାକୁ ସୁଯୋଗ ଖୋଜୁଥିଲା, ଯେଉଁଟା ଆମ ପରଂପରା, ଆମ କାରିଗରି ଆଉ ଆମ କଳାକୁ ଆଗେଇ ନେବାରେ ସାହାଯ୍ୟ କରିପାରିବ।

ମୁଁ ଭୁବନେଶ୍ବରରେ ସଂପୂର୍ଣ୍ଣ ଭାବରେ ମୋ ପରିବାର ସହିତ ରହିବା ପରେ ପରିକଳ୍ପନା ହୁଏ ରାସ୍‌ର। ବହୁବର୍ଷର ଇଚ୍ଛାକୁ ପୂର୍ଣ୍ଣ ରୂପ ଦେବାକୁ ମୋତେ ‌ସୁଯୋଗ ମିଳିଲା। ଶେଷରେ ରାସ୍‌ ୨୦୧୩ ମସିହାରେ ପଞ୍ଜୀକୃତ ହେଲା। ୨୦୧୪ ମସିହାରେ ମୋର ଷ୍ଟୋର୍‌ ଆଉ ମୋ ପରିକଳ୍ପନାର ରୂପରେଖ ମୋ ସାମ୍ନାରେ ପୂର୍ଣ୍ଣ ରୂପ ନେଇ ଠିଆହେଲା।

 ଆପଣଙ୍କର ମାନସ ସନ୍ତାନ ‘ରାସ୍‌’ ଦେଶ ବିଦେଶରେ ଏକ ସଫଳ ବ୍ରାଣ୍ଡ୍‌ ରୂପେ ପରିଚିତ ହୋଇପାରିଛି। ଏହାର ଅନୁଭବ କିପରି?

ରାସ୍‌ ମୋର ଶିଶୁ ସମାନ। ଆରମ୍ଭରୁ ଏହାକୁ ଏକ ଗ୍ଲୋବାଲ୍‌ କନ୍‌ସେପ୍ଟ ଭାବେ ମୁଁ କଳ୍ପନା କରିଥିଲି। ଓଡ଼ିଶାର ସମୃଦ୍ଧ ତନ୍ତକଳାକୁ ବିଶ୍ବସ୍ତରରେ ପହଞ୍ଚାଇ ପାରିବା ଏହାର ଲକ୍ଷ୍ୟ ଥିଲା। ଏ ଦିଗରେ କିଛି ସଫଳତା ମିଳିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଦିଲ୍ଲୀ, ବମ୍ବେ, ଚେନ୍ନାଇ, ବେଙ୍ଗାଲୁରୁ, ପ୍ୟାରିସ୍‌, ଲଣ୍ଡନ ଇତ୍ୟାଦି ସ୍ଥାନରେ ଲୋକମାନେ ପସନ୍ଦ କଲେ ରାସ୍‌ର ବସ୍ତ୍ର ପିନ୍ଧିବା ପାଇଁ। ବିଭିନ୍ନ ସ୍ଥାନରେ ଫ୍ୟାସନ୍‌ ସୋ, ଷ୍ଟୋର୍‌ ଖୋଲିବା ପାଇଁ ମଧ୍ୟ ମୋତେ ବହୁତ ନିମନ୍ତ୍ରଣ ଆସିଲା। ଖାଲି ଆମ ରାଜ୍ୟରେ ସୀମିତ ନ ରହି ଆମର ତନ୍ତକଳା ବିଭିନ୍ନ ସ୍ଥାନରେ ନିଜ ପରିଚୟ ସୃଷ୍ଟି କରିପାରିଲା।
ମନେପଡ଼ୁଛି, ନୂଆ ନୂଆ ଆରମ୍ଭ ହୋଇଥାଏ ରାସ୍‌। ଶବାନା ଆଜ୍‌ମୀ ଜଣେ ବହୁତ ବଡ଼ ହ୍ୟାଣ୍ଡଲୁମ୍‌ ଲଭର୍‌। ସେ କୌଣସି କାମରେ ଭୁବନେଶ୍ବର ଆସିଥିଲେ। ନିଜେ ଆଗ୍ରହୀ ହୋଇ ରାସ୍‌କୁ ଆସିଲେ ଆଉ ତାଙ୍କ ମନପସନ୍ଦର ଶାଢ଼ି ଓ ଅନ୍ୟାନ୍ୟ ଜିନିଷ କିଣିଲେ ଏବଂ ଆମର ଏଇ ପ୍ରୟାସକୁ ବହୁତ ଭଲପାଇଲେ ଓ ପ୍ରଶଂସା କଲେ। ନନ୍ଦିତା ଦାସ, ଫର୍‌ହା ଖାନ୍‌, ସୋନା ମହାପାତ୍ର, ଅର୍ଚ୍ଚିତା ସାହୁଙ୍କ ଭଳି ବଡ଼ ବଡ଼ ତାରକା ମଧ୍ୟ ରାସ୍‌ ପ୍ରତି ସେମାନଙ୍କର ଭଲପାଇବାକୁ ପ୍ରଦର୍ଶିତ କରିଛନ୍ତି। ଆମର କ୍ରିଏସନ୍‌ ପିନ୍ଧି ଆମକୁ ବହୁତ ସମର୍ଥନ ଓ ଉତ୍ସାହିତ ମଧ୍ୟ କରିଛନ୍ତି। ରାସ୍‌ ହସ୍ତତନ୍ତରେ ଗୋଟିଏ ଡିଜାଇନ୍‌ର ବ୍ରାଣ୍ଡ୍‌ ଭାବରେ ପରିଚିତ ହେଇସାରିଲାଣି। ଆମର ବୁଣାକାରମାନେ ଗତ ବାରବର୍ଷ ହେଲା ଆମ ସଂଗେ ଜଡ଼ିତ ରହି ରାସ୍‌କୁ ଆଗେଇ ନେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣେଇବାକୁ କେବେହେଲେ କାର୍ପଣ୍ୟ କରିବି ନାହିଁ। ସର୍ବଶେଷରେ ରାସ୍‌ ପାଇଁ ସମସ୍ତଙ୍କ ସ୍ନେହ ଆଉ ଭଲପାଇବା ଏମିତି ଆମକୁ ଆଗେଇ ନେଇ ଚାଲିବ ବୋଲି ମୋର ସଂପୂର୍ଣ୍ଣ ବିଶ୍ବାସ।
 ଓଡ଼ିଶାର ଭିନ୍ନଭିନ୍ନ ଅଂଚଳ‌ର ହାତବୁଣା ଲୁଗାର ଶୈଳୀ ଓ କୌଶଳ ସ୍ବତନ୍ତ୍ର। ସାରା ଓଡ଼ିଶାର ବୟନ ସଂସ୍କୃତିର ବିବିଧତାକୁ ନେଇ ଆପଣଙ୍କ ବ୍ୟକ୍ତିଗତ ଅନୁଭବ କ’ଣ?
ଓଡ଼ିଶା ତନ୍ତକଳାର ବିବିଧତା ଆଉ ସୌନ୍ଦର୍ଯ୍ୟ ବାସ୍ତବରେ ଅତୁଳନୀୟ। କିନ୍ତୁ ସେଥିମଧ୍ୟରୁ ବାନ୍ଧକଳା ମୋତେ ସବୁଠାରୁ ଅଧିକ ଆକୃଷ୍ଟ କରିଥିଲା। ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ବାନ୍ଧକଳା ଦେଖିବାକୁ ମିଳିଥାଏ, କିନ୍ତୁ ଓଡ଼ିଶାର ବାନ୍ଧକଳା ୱେପ୍ଟ ଆଧାରିତ ହୋଇଥିବାରୁ ଅଧିକ ଆକର୍ଷଣୀୟ ହୋଇଥାଏ। ଏହା ଏକ ବିଶେଷ କୁଶଳତା ଯାହାର ମୌଳିକତାକୁ ଅକ୍ଷୁଣ୍ଣ ରଖି ଆଧୁନିକ ରୁଚିସମ୍ମତ ଡିଜାଇନ୍‌ରେ ଉତ୍ପାଦନ କରିବା ମୋ ଲକ୍ଷ୍ୟ ଥିଲା। ଅନେକାଂଶରେ ଏହି ଲକ୍ଷ୍ୟ ପୂରା ହୋଇପାରିଛି। ବାନ୍ଧକଳାର ସଫଳତା ପରେ ଗୋପାଳପୁରର ଟସର, ଜଗତସିଂହପୁରର ସୂତାଲୁଗା ଓ କୋଟପାଡ଼ ଭଳି ତନ୍ତକଳାରେ ମଧ୍ୟ ମୁଁ କିଛି କାମ କରୁଛି।
 ଓଡ଼ିଶାର କେଉଁ ଅଂଚଳର ‘ଇକ୍କତ ଲୁଗା’ ମହିଳାମାନେ ବେଶୀ ପସନ୍ଦ କରନ୍ତି ବା ଆଜିକାର ସମୟର କାହାର ବଜାର ଚାହିଦା ଅଧିକ?
ବାନ୍ଧକଳାର ବିଶେଷତା ହେଉଛି ଯେ, ଏହା ସଂପୂର୍ଣ୍ଣ ହସ୍ତକଳା ଆଧାରିତ ଏବଂ କୌଣସି ମେସିନ୍ ବା ପାୱାରଲୁମ୍‌ରେ ଏହାର ସଫଳ ଅନୁକରଣ କରାଯାଇ ପାରେନାହିଁ। ଓଡ଼ିଶାର ସମ୍ବଲପୁରୀ, ନୂଆପାଟଣା ଓ ମାଣିଆବନ୍ଧ, ପ୍ରତ୍ୟେକର ନିଜ ନିଜର ମୌଳିକତା ଅଛି। ମୁଁ ବିଶେଷ କରି ନୂଆପାଟଣାରେ କାମ କରିଛି ଏବଂ ସମ୍ବଲପୁରୀ ଓ ମାଣିଆବନ୍ଧରେ ମଧ୍ୟ କିଛି ପରିମାଣରେ କାମ କରିଛି। ପ୍ରତ୍ୟେକର ଆକର୍ଷଣ ସ୍ବତନ୍ତ୍ର ତଥା ମୌଳିକତାପୂର୍ଣ୍ଣ।
 ବୁଣାକାରମାନଙ୍କ ଉନ୍ନତି ପାଇଁ କିଛି ପଦକ୍ଷେପ ନେଇଛନ୍ତି କି?
ନୂଆ ଡିଜାଇନ୍‌, ଉତ୍କୃଷ୍ଟ କ୍ବାଲିଟି ଓ ଠିକ୍‌ ମାର୍କେଟ୍‌ରେ ପହଞ୍ଚାଇବା, ଏ ତିନିଟି ଯଦି ସଫଳତାର ସହ କରାଯାଏ, ତା’ ହେଲେ ବୁଣାକାରମାନଙ୍କୁ ଅଧିକ ଲାଭ ମିଳିପାରିଥାଏ। ରାସ୍‌ ଏ ତିନିଟି ଦିଗରେ କାମ କରିଆସୁଛି। ପାରମ୍ପରିକ ଶୈଳୀରେ ଆଧୁନିକ ଡିଜାଇନ୍‌, ସାଂପ୍ରତିକ ରଙ୍ଗର ସମ୍ମିଶ୍ରଣ, ଉତ୍କୃଷ୍ଟ କଞ୍ଚାମାଲ୍‌ ଓ ତ୍ରୁଟିହୀନ ବୁଣାକାରୀ ଯାହା ସୌଖୀନ ଗ୍ରାହକମାନଙ୍କୁ ଆକୃଷ୍ଟ କରିବ, ଏହିସବୁ ଦିଗରେ ରାସ୍‌ କାମ କରିଆସୁଛି।
 ଆପଣ ଗୀତ ଗାଇବାକୁ ଭଲ ପାଆନ୍ତି। ନିଜର ଏହି ରୁଚି ବିଷୟରେ କ’ଣ କହିବେ?
ସଂଗୀତ ମୋର ଅନ୍ୟ ଏକ ରୁଚି। ମନର ମଲ୍ଲୀ, ସ୍ବରୂପ ନାୟକଙ୍କ ନିର୍ଦ୍ଦେଶିତ ଏକ ଆଲ୍‌ବମ୍‌ ଯେଉଁଟି ବହୁ ପୂର୍ବରୁ ରିଲିଜ୍‌ ହୋଇଥିଲା। ମୁଁ ଏବେ ମଧ୍ୟ ରୁଚିପୂର୍ଣ୍ଣ ସଂଗୀତ ଗାଇବାକୁ ଭଲପାଏ।
 ଏବେ ହ୍ୟାଣ୍ଡଲୁମ୍‌ ବସ୍ତ୍ରକୁ ଫ୍ୟୁଜନ୍‌ କରି ପିନ୍ଧିବାକୁ ଆଧୁନିକବର୍ଗର ମହିଳାମାନେ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। ଆପଣ ଏ କ୍ଷେତ୍ରରେ କିଛି କାମ କରିଛନ୍ତି କି?
ରାସ୍‌, ଆରମ୍ଭ ସମୟରୁ ହିଁ ଫ୍ୟୁଜନ୍‌ର ପ୍ରୟୋଗ କରିଆସିଛି। ପାରମ୍ପରିକତାକୁ ଅକ୍ଷୁଣ୍ଣ ରଖି ଆଧୁନିକ ହାଇ-ଫ୍ୟାସନ୍‌ ବସ୍ତ୍ର ଉତ୍ପାଦନରେ ରାସ୍‌ ଅନେକ ପ୍ରୟୋଗ କରିଛି ଏବଂ ଯୁବପିଢ଼ି ଏହାଦ୍ବାରା ଆକୃଷ୍ଟ ହୋଇଛନ୍ତି। ଏହି ଧାରଣାରେ ପ୍ରେରିତ ହୋଇ ଅନ୍ୟମାନେ ମଧ୍ୟ ସମାନ ପ୍ରୟାସ କରିଛନ୍ତି ଯାହାଦ୍ବାରା ହସ୍ତତନ୍ତ ପ୍ରତି ସଚେତନତ‌‌ା ବଢ଼ିଛି।
 ଭବିଷ୍ୟତର ଯୋଜନା ସବୁ କ’ଣ ରହିଛି?
ଭବିଷ୍ୟତ ସବୁବେଳେ ଏକ ନୂଆ ସ୍ବପ୍ନ ଯାହା ଆମକୁ, ଆମର ଲକ୍ଷ୍ୟକୁ ଆଉ ଏକ ଉଚ୍ଚସ୍ତରକୁ ନେଇଯିବାର ପ୍ରେରଣା ଦିଏ। ମୋର ଭବିଷ୍ୟତ ଯୋଜନା ହେଉଛି, ଆମେ ଆମ ବୁଣାକାରମାନଙ୍କୁ ଏତେ କୁଶଳୀ କରିବା ଯେ ସେମାନେ ବିଶ୍ବସ୍ତରରେ ନିଜ ପରିଚୟ ନିଜେ ତିଆରି କରିପାରିବେ। ରାସ୍‌ ମାଧ୍ୟମରେ ଆମେ ଅଧିକ କାମ ଓ ସୁଯୋଗ ସୃଷ୍ଟି କରିପାରିବା। ପାରମ୍ପରିକ ବୁଣା କାମକୁ ସୃଜନଶୀଳ ଭାବରେ ଉନ୍ନତ କରିପାରିବା ଏବଂ ହସ୍ତତନ୍ତ କ୍ଷେତ୍ରରେ ଏକ ସୁଦୃଢ଼ ଓ ସୁଯୋଗମୟ ପ୍ଲାଟ୍‌ଫର୍ମ ତିଆରି କରିପାରିବା।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version