ଭାରତ ସବୁଠାରୁ ସୁନ୍ଦରୀ ମହିଳାମାନଙ୍କୁ ବିଶ୍ୱ ଜାଣିବା ପୂର୍ବରୁ ସେ ସେମାନଙ୍କୁ ଚିହ୍ନିଥିଲେ ଓ ଜାଣିଥିଲେ। ସେମାନଙ୍କୁ ବିଶ୍ବ ମଞ୍ଚରେ ପରିଚିତି ଦେବାରେ ଏବଂ ତାଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ଗଢ଼ି ତୋଳିବାରେ ତାଙ୍କର ବିଶେଷ ଅବଦାନ ଥିଲା। ବିଶ୍ବ ସୁନ୍ଦରୀମାନଙ୍କୁ ବିଶ୍ବ ସାମ୍ନାକୁ ଆଣିବାରେ ବିଶିଷ୍ଟ ଲେଖିକା ତଥା ସମ୍ପାଦିକା ସତ୍ୟା ସରଣ୍ ଥିଲେ ଅନ୍ୟତମା।
ସତ୍ୟା ସରଣ୍ ଭାରତୀୟ ସାମ୍ବାଦିକତାରେ ଏକ ପରିଚିତ ନାମ। ତାଙ୍କ ଲେଖା ଓ ସମ୍ପାଦନା ମାଧ୍ୟମରେ ସେ ସମାଜର ବିଭିନ୍ନ ପ୍ରସଙ୍ଗକୁ ଲୋକଙ୍କ ଆଗରେ ଆଣିଛନ୍ତି ଏବଂ ମହିଳାମାନଙ୍କ ସ୍ୱରକୁ ଶକ୍ତିଶାଳୀ କରିଛନ୍ତି। ସେଥିପାଇଁ ସେ ଅନେକ ମାଗାଜିନ୍ରେ କାମ କରିବା ସହିତ ଅନେକ ପତ୍ରିକାକୁ ମଧ୍ୟ ସଂପାଦନା କରିଛନ୍ତି। ଖାଲି ବିଶ୍ବ ସୂନ୍ଦରୀ ନୁହନ୍ତି, ସତ୍ୟା ସରଣ୍ ଅନେକ ସୁନ୍ଦରୀଙ୍କ ପ୍ରତିଭାକୁ ଚିହ୍ନି ତାଙ୍କ ବ୍ୟକ୍ତିତ୍ବ ବିକାଶ ଦିଗରେ ପ୍ରଚେଷ୍ଟା କରି ସଫଳ ହୋଇଛନ୍ତି।
ଆପଣ ଜାଣନ୍ତି କି, ସୁସ୍ମିତା ସେନ୍ ମିସ୍ ଇଣ୍ଡିଆ ଜିତିବେ ବୋଲି କେହି ବି ଆଶା କରିନଥିଲେ। ମିସ୍ ୟୁନିଭର୍ସ ଜିତିବା ତ ତାଙ୍କ ପାଇଁ ଏକ ସ୍ବପ୍ନ ଥିଲା। ଆହୁରି ଏକ ଆଶ୍ଚର୍ଯ୍ୟକର କଥା ହେଲା, ଐଶ୍ୱର୍ୟା ରାୟ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେବା ସମୟରେ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ଜିତିଥିବା ଖବର ଶୁଣି ଖୁବ୍ ଚିନ୍ତିତ ହୋଇ ପଡ଼ିଥିଲେ। ଏହାପରେ ସେ ସିଧାସଳଖ ସତ୍ୟା ସରଣ୍ଙ୍କୁ ଫୋନ୍ କରିଥିଲେ। ବିଶ୍ୱର ସବୁଠାରୁ ସୁନ୍ଦରୀ ଭାବେ ପରିଚିତ ଐଶ୍ୱର୍ଯ୍ୟାଙ୍କୁ ବି ଦିନେ ଲାଗିଥିଲା ଯେ ତାଙ୍କ ମୁକୁଟ ହାତଛଡ଼ା ହୋଇଯାଇପାରେ ବୋଲି।
ଜଣେ ସାମ୍ବାଦିକା, ଲେଖିକା ଓ ସମ୍ପାଦିକା ସତ୍ୟା ୧୨ଟି ପୁସ୍ତକର ରଚୟିତା। ସେ ଗୁଲ୍ଜାରଙ୍କ ଜୀବନୀ ‘ଗୁଲଜାର ସାବ୍: ଲାଇଫ୍, ରାଇଟିଙ୍ଗ୍ସ ଆଣ୍ଡ୍ ସିନେମା’ ଓ ତାଙ୍କର କବିତା ସଂକଳନ ‘ କେଜ୍ଡ… ମେମୋରିଜ୍ ହାଭ୍ ନେମ୍ସ’କୁ ମଧ୍ୟ ଅନୁବାଦ କରିଛନ୍ତି। ଖାଲି ସେତିକି ନୁହେଁ ସେ ଭାରତୀୟ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ-ଅଭିନେତା ଗୁରୁ ଦତ୍ତଙ୍କ ଜୀବନ, ପରିବାର ଓ ସିନେମା କ୍ୟାରିୟର୍ର ଅନେକ ସ୍ମୃତି ଓ ତଥ୍ୟକୁ ନେଇ ‘ଟେନ୍ ଇଅର୍ସ ଵିଥ୍ ଗୁରୁ ଦତ୍ତ’ ନାମକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ଦୀର୍ଘ ପେସାଦାର ଜୀବନର ଅନୁଭବରୁ ସେ ବିୟୁଟି ବା ଗ୍ଲାମର୍ ଦୁନିଆକୁ ଆସିବାକୁ ଚାହୁଥିବା ଯୁବତୀମାନଙ୍କୁ ଅନେକ ଜରୁରୀ ପରାମର୍ଶ ମଧ୍ୟ ଦିଅନ୍ତି। କାହିଁକି ଏବେ ଭାରତ ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମୁକୁଟ ଜିତିବାରେ ପୂର୍ବବତ୍ ସଫଳ ହେଉନାହାନ୍ତି ଏବଂ କାହିଁକି ଅନେକ ସୁନ୍ଦରୀ ସିନେମା ଜଗତରେ ବଡ଼ ନାମ କମାଇପାରୁନାହାନ୍ତି ବୋଲି ମଧ୍ୟ ସେ ବିଶ୍ଳେଷଣ କରିଛନ୍ତି। ତାଙ୍କ ମତାନୁସାରେ, ବୋଧେ ଆମେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଆଡ଼େଇ ଦେଇଯାଉଛେ କିମ୍ବା ନଜର ଦେଉନାହେଁ। ସେଇଟିକୁ ଜାଣି ଏବଂ ତାକୁ ଗୁରୁତ୍ବ ଦେଲେ ହୁଏତ ଆମ ସୁନ୍ଦରୀମାନେ ଆନ୍ତର୍ଜାତୀୟ ମୁକୁଟ ଜିତିପାରିବେ, ଏହାସହ ବିଶ୍ୱରେ ସେମାନଙ୍କର ଖୁବ୍ ଚର୍ଚ୍ଚା ହେବ।
ସତ୍ୟା ସରଣ ଦୀର୍ଘ ସମୟ ଧରି ପତ୍ରିକା ଜଗତରେ କାମ କରି ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ସେ ଫେମିନାର ସମ୍ପାଦିକା ଭାବେ ମଧ୍ୟ କାମ କରିଛନ୍ତି। ସେ ମହିଳାମାନଙ୍କ ଜୀବନ, ସମାଜ ଓ ସଂସ୍କୃତି ସମ୍ପର୍କିତ ବିଭିନ୍ନ ବିଷୟକୁ ଆଲୋଚନା ପରିସରଭୁକ୍ତ କରିଛନ୍ତି। ତାଙ୍କ ସମ୍ପାଦନା ଶୈଳୀ ସ୍ପଷ୍ଟ, ଚିନ୍ତନଶୀଳ ଓ ସମାଜ ସଚେତନଧର୍ମୀ ଉପରେ ଆଧାରିତ।
ସୌଜନ୍ୟ ସମ୍ବାଦ
