ରାଜ୍ୟ

Katak Balijatra 2026: ଇତିହାସ ରଚିବ କଟକ ବାଲିଯାତ୍ରା; ଆଜି ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

କଟକ, ୨୪/୧୧:  ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଜମିବ ମୁକ୍ତାକାଶ  ବାଣିଜ୍ୟର ମହାଆସର । ଗୁଞ୍ଜରିତ  ହେବ ବୋଇତ ବନ୍ଦାଣର ଗାଥା ।  ଓଡ଼ିଆ ଜାତିର ନୌବାଣିଜ୍ୟ ଗୌରବ,  ସାମୁଦ୍ରିକ ପରମ୍ପରା ଓ ସମୃଦ୍ଧ  ଐତିହ୍ୟର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା ଠାରୁ ଆରମ୍ଭ ହେଉଛି । ଚଳିତବର୍ଷର  ବାଲିଯାତ୍ରାକୁ ପ୍ରଥମଥର ପାଇଁ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବେ ।  ନଭେମ୍ୱର ୨୪ରୁ ଡିସେମ୍ୱର ୧  ପର୍ଯ୍ୟନ୍ତ ଆଠଦିନ ଧରି ମହାନଦୀ  ପଠା ତଳପଡ଼ିଆ ଓ  ଉପର  ପଡ଼ିଆରେ ଏହି ମହାମେଳା ଅନୁଷ୍ଠିତ ହେବ । ପ୍ରାୟ ୬୦ ଏକର  ପରିମିତ ଅଞ୍ଚଳରେ ମେଳାରେ  ୧୮୦୦ରୁ ଅଧିକ ଷ୍ଟଲ୍‌ ଖୋଲିବ ।  ବାଲିଯାତ୍ରା ଆୟୋଜନ ପାଇଁ  ମୋଟ୍‌ ୧୭ କୋଟି ଟଙ୍କାର ବ୍ୟୟ  ଅଟକଳ ରଖାଯାଇଥିବାବେଳେ  ରାଜ୍ୟ ସରକାର ୧୦ କୋଟି ଟଙ୍କା  ଅନୁଦାନ ଦେବେ ।

ଚଳିତବର୍ଷ ୮  ଦିନରେ ପ୍ରାୟ ୮୦ ଲକ୍ଷ ଲୋକ  ବାଲିଯାତ୍ରାକୁ ଆସିବେ ବୋଲି ଆକଳନ କରାଯାଉଛି । କାରବାର  ୩୫୦ କୋଟି ହେବ ବୋଲି ଜିଲ୍ଲା  ପ୍ରଶାସନ ଆଶା ରଖିଛି । ଏଥର ବାଲିଯାତ୍ରାରେ ଉପର  ପଡ଼ିଆର ୧.୯୩ ଲକ୍ଷ ବର୍ଗଫୁଟ  ଅଞ୍ଚଳରେ ୫୯୧ଟି ଷ୍ଟଲ୍‌ ପାଇଁ ବ୍ୟବସ୍ଥା ହୋଇଛି । ଏହି ପଡ଼ିଆକୁ ୧୧ଟି ବ୍ଲକ୍‌ରେ  ବିଭକ୍ତ କରାଯାଇଛି । ଜୋନ୍‌ ଓ ବିଭିନ୍ନ ସରକାରୀ ବିଭାଗର ପ୍ରଦର୍ଶନୀ ରହିବ । ତଳ ପଡ଼ିଆରେ ୧ ହଜାରରୁ ଅଧିକ ଷ୍ଟଲ୍‌ ରହିବ । ଓରମାସ୍‌ ପକ୍ଷରୁ ପ୍ରାୟ ୫୦୦ଟି  ଷ୍ଟଲ୍‌ ଖୋଲାଯିବ । ଏଥିରେ ରାଜ୍ୟର ହସ୍ତତନ୍ତ, ହସ୍ତଶିଳ୍ପ, ଗ୍ରାମୀଣ  ଉତ୍ପାଦ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି ହେବ ।

ରାଷ୍ଟ୍ରପତିଙ୍କ ଗସ୍ତ ହେବ ଏଥର ବାଲିଯାତ୍ରାର ସବୁଠୁ ବଡ଼ ଆକର୍ଷଣ । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ “କଳିଙ୍ଗ ତରଙ୍ଗିଣୀ’ ବୋଟ୍‌ରେ  ସିଲଭର ସିଟି ବୋଟ୍‌ କ୍ଲବ୍‌ରୁ ଗଡ଼ଗଡ଼ିଆ ଘାଟକୁ ଯିବେ ରାଷ୍ଟ୍ରପତି ।  ସାଙ୍ଗରେ ତାଙ୍କ ଝିଅ ଓ ସୁରକ୍ଷା ତଥା ଚିକିତ୍ସା ଦଳ ସମେତ ପ୍ରାୟ  ୧୫ ଜଣ ସେହି ବୋଟ୍‌ରେ ରହିବେ । ରାଷ୍ଟ୍ରପତିଙ୍କ ବୋଟ୍‌କୁ ସାତଟି ସୁରକ୍ଷା ବୋଟ୍‌ ଘେରି ରହିବ । ନୌସେନା, ଅଗ୍ନିଶମ ବାହିନୀ ଓ  ଓଡ୍ରାଫ୍‌ ପକ୍ଷରୁ ମଧ୍ୟ ଜଳପଥରେ ସୁରକ୍ଷା ବ୍ୟବସ୍ଥା କରାଯିବ ।  ବାଲିଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରଥମେ “କଟକ  ଇନ୍‌ କଟକ’ ପ୍ୟାଭିଲିୟନ୍‌ ଉଦ୍‌ଘାଟନ କରିବେ । ଏହାପରେ  ଓରମାସ୍‌ ଷ୍ଟଲ୍‌ ପରିଦର୍ଶନ କରିବା ସହ ଗଣକବି ବୈଷ୍ଣବ ପାଣି  ମଞ୍ଚରେ ମୁଖ୍ୟ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେବେ । ଏହି  ସମାରୋହରେ ରାଜ୍ୟପାଳ ବ୍ରଜମୋହନ ରାମ୍‌ ଓ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେବେ ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button