Bhubaneswar Roads Death Traps: ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା; ମାମଲା ରୁଜୁ ପାଇଁ କାହିଁକି ପୁଲିସର ପଛଘୁଞ୍ଚା ?

ଭୁବନେଶ୍ୱର,୨୪/୧୧: ସକାଳୁ ରୋଜଗାର ଆଶାରେ ବାଇକ୍ ଧରି ଘରୁ ବାହାରିଲେ । ହେଲେ ଓମ୍ଫେଡ ଛକ ପାର୍ ବେଳେ ରାସ୍ତାର ଖାଲରେ ପଡ଼ି ରାପିଡୋ ଚାଳକ ଶେଷଦେବ ସ୍ୱାଇଁଙ୍କ ଜୀବନ ଚାଲିଗଲା । ଏକମାତ୍ର ରୋଜଗାରିଆ ପୁଅକୁ ହରାଇଲେ ପରିବାର ଲୋକ । କେବଳ ଶେଷଦେବ ନୁହନ୍ତି, ପୂର୍ବରୁ ଏମିତି ରାସ୍ତାର ଖାଲଖମାରେ ପଡି ଅନେକ ଗାଡିଚାଳକ ଓ ପଥଚାରୀ ମରିଛନ୍ତି । ନନ୍ଦନକାନନ ଛକରେ ମଧ୍ୟ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି । ତଥାପି ଚେତୁନି ପୁଲିସ । କେବଳ ଦୁର୍ଘଟଣା ଘଟାଇଥିବା ବଡ଼ ଗାଡି ତଥା ଭାରୀଯାନ ଚାଳକକୁ ଗିରଫ କରି କାମ ତୁଟାଇ ଦେଉଛି । କାର୍ଯ୍ୟାନୁଷ୍ଠାନ ନେବା ତ ଦୂର କଥା ଖାଲଖମା ପାଇଁ ଦାୟୀ ଏଜେନ୍ସି ବିରୋଧରେ ମାମଲା ରୁଜୁ ପାଇଁ ପୁଲିସ ଇଚ୍ଛା ବଳାଉନି ।
ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ଗାଇଡ୍ଲାଇନ ମୁତାବକ, ଯେଉଁ ସଂସ୍ଥା ଯୋଗୁ ରାସ୍ତାରେ ଖାଲଖମା ହୋଇଥିବ, ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ସୋମବାର ଦୁର୍ଘଟଣା ପରେ ପୂର୍ତ୍ତ ବିଭାଗ ଡିଭିଜନ-୩ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏକ ଅଭିଯୋଗ ହୋଇଛି । ସେଥିରେ ଦେଶର ସର୍ବବୃହତ୍ ଗ୍ୟାସ ବିତରଣ ସଂସ୍ଥାର ଖାମଖିଆଲି ନୀତି ଯୋଗୁ ଏଭଳି ଦୁର୍ଘଟଣା ଘଟିଗଲା ବୋଲି ଦର୍ଶାଯାଇଛି । ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ରାଜଧାନୀରେ ପୂର୍ତ୍ତ ବିଭାଗ, ଏନଏଚଆଇ ଓ ଇଡକୋ ରାସ୍ତାରେ ମଧ୍ୟ କିଛି ଖାଲଖମା ସୃଷ୍ଟି ହୋଇଥିବା ଅଭିଯୋଗ ଆସିଲାଣି ।
ସୌଜନ୍ୟ ସମ୍ବାଦ




