ବାଲିଶଙ୍କରା:ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ବାଲିଶଙ୍କରା ବ୍ଲକଟି ବଣ ପାହାଡ ଘେରା ଓ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ସୁଲଭ ମୂଲ୍ୟରେ ଲକ୍ଷ୍ମୀ ବସ ଯୋଜନାରେ ଯାତାୟତର ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି | ବ୍ଲକର ବିଭିନ୍ନ ପଞ୍ଚାୟତ ଦେଇ ଲକ୍ଷ୍ମୀ ବସ୍ ଚଳାଚଳ ହେଉଥିବା ବେଳେ ବେହେରାଡିହି ପଞ୍ଚାୟତରେ ଲକ୍ଷ୍ମୀ ବସ୍ ଯା’ଆସ କରୁନଥିବାରୁ ଗ୍ରାମବାସୀ ଏନେଇ ଜିଲ୍ଲାପାଳ, ବିଡ଼ିଓ ଓ ଥାନା ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ ଜଣାଇଛନ୍ତି | ବାଲିଶଙ୍କରା ବ୍ଲକ କାର୍ଯ୍ୟାଳୟ ଠାରୁ ଉକ୍ତ ପଞ୍ଚାୟତଟି ୨୮ କିଲୋମିଟର ଦୂରତାରେ ଥିବାବେଳେ ପଞ୍ଚାୟତର ଜନସାଧାରଣ ବ୍ଲକ, ବ୍ୟାଙ୍କ, ତହସିଲ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସିଥାନ୍ତି |
ଦାବି ପୂରଣ ନହେଲେ ରାସ୍ତା ଅବରୋଧ ଚେତାବନୀ
ପଞ୍ଚାୟତକୁ ଲକ୍ଷ୍ମୀ ବସ ନଯିବାରୁ ଜନସାଧାରଣ ଘରୋଇ ବସ ଓ ଛୋଟ ଗାଡ଼ି ଉପରେ ନିର୍ଭର କରିଥାନ୍ତି | ଯାହାଫଳରେ ଲୋକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ ହେବା ସହ ଠିକ ସମୟରେ ଗାଡ଼ି ମୋଟର ନମିଳିବାରୁ ଘଣ୍ଟା ଘଣ୍ଟା ସମୟ ଧରି ଅପେକ୍ଷା କରିବାକୁ ପଡିଥାଏ | ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ହଇରାଣ ହରକତ ହେଉଥିବା ବେଳେ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିମା ଧୁରୁଆଙ୍କ ନେତୃତ୍ୱରେ ଗ୍ରାମର ୱାର୍ଡ ସଭ୍ୟ ସରୋଜ ଦାନୀ, ୱାର୍ଡ ସଭ୍ୟା ସୁଷମା କୁଜୁରଙ୍କ ସମେତ ଗ୍ରାମର ୧୦ଟି ସ୍ୱୟଂ ସହାୟକ ଗ୍ରୁପର ମହିଳାମାନେ ଏକତ୍ରିତ ହୋଇ କିଞ୍ଜିରକେଲା ଥାନା ପରିସରରେ ପହଞ୍ଚି ଅତିରିକ୍ତ ଥାନା ଅଧିକାରୀ ସୁଶାନ୍ତ ଜେନାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି | ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆସନ୍ତା ୨୧ ତାରିଖ ମଧ୍ୟରେ ଯଦି ପଞ୍ଚାୟତକୁ ଲକ୍ଷ୍ମୀ ବସ ଚଳାଚଳ ନହେଲେ ଆସନ୍ତା ୨୨ ତାରିଖ ଦିନ କିଞ୍ଜିରକେଲା – ସୁନ୍ଦରଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି | ଯଥା ଶୀଘ୍ର ପଞ୍ଚାୟତକୁ ଲକ୍ଷ୍ମୀ ବସ ଚଳାଚଳ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି |
ସୌଜନ୍ୟ ସମ୍ବାଦ

