ହଳଦୀବସନ୍ତ ଋତୁ
ବିଚିତ୍ରା ଦାଶ
ଗୋଟେ ଅସୁର ପରି ଅନ୍ଧାରଠାରୁ
ମୋତେ ମୁକୁଳିବାର ଥିଲା!
ଉଜେଇଁ ଦେଇ ଆସିଲି
ଅନେକ ଅଭିଯୋଗ, ଅଭିମାନ
ଯେତେ ଯାତନା, ଉତ୍ତାଳ ଯୌବନ
ମୋତେ ଭୋଗିବାର ଅଛି
ଦେବତା ପରି ସୂର୍ଯ୍ୟୋଦୟ
ଋତୁ ହଳଦୀବସନ୍ତମୟ।
ବଶୀକରଣ ମନ୍ତ୍ରରେ ଭିଜୁଥାଏ ଜହ୍ନଧୁଆ ରାତି
ରାସ୍ତାକଡ଼ର ପେନ୍ଥାଏ ଅନାମିକା ଫୁଲଙ୍କ
ପ୍ରେମର ସ୍ଥାପତ୍ୟ ପାଲଟିଗଲା ପ୍ରଜାପତି!
ପବନ ପାଦରେ ପିନ୍ଧେଇଲି ନୂପୁର
ଗଛ ଗହଳରୁ ଶୁଭିଲା କାରୁଣ୍ୟର ସ୍ୱର
ମଲା ଇଚ୍ଛାଙ୍କ କଙ୍କାଳ ଓ
କଳଙ୍କର ଠୋପା ଠୋପା ଝାଳକୁ
ମୋତେ ଫେରେଇବାର ଅଛି ନିର୍ଦ୍ଦୟ ସମୟକୁ।
ବେଳାଭୂଇଁରୁ ଭାଙ୍ଗି ଆସିଲି
ଆମ ହାତଗଢ଼ା ବାଲିଘର
ଭାଙ୍ଗିଲି ତ ଖଣ୍ଡ ଖଣ୍ଡ ହେଇ ଖସିଲା ମୋ’ ହୃଦୟ
ଦର୍ପଣରୁ ଲିଭେଇଦେଲି ଦାଗ
ତମ ପ୍ରତିବିମ୍ବ ଓ ମୋ’ ବିନ୍ଦିର
ଫିଟେଇଦେଲି ତମ ସହ ଛନ୍ଦି ହୋଇଥିବା ଭାଗ୍ୟ
ମୋ ଆୟୁଷର।
ବାମ୍ଫଉଠା କଫି କପ୍ରୁ ତମ ଓଠର ଉଷ୍ମତା
କେତେ ଲୁହ ଢାଳିଲେ ମୋ ଦେହ ହୁଏ ଓଦା
ଧେତ୍… ମୋତେ ମାପିବାର ଥିଲା!
ସ୍ବପ୍ନମାନେ ବନବାସୀ ଅନିର୍ଦ୍ଦିଷ୍ଟ କାଳ
ସକାଳ ଶ୍ଳୋକଟେ ହେଉ
ଉଚ୍ଚାରଣରେ ଉଭେଇ ଯାଉ ପୁରୁଣା ପାପ ସକଳ।
ତଥାପି ଚଷମାପିନ୍ଧା ନିରାଶାର ଢଳଢଳ ଆଖିହଳେ
କା’ ଅପେକ୍ଷାରେ ଅନେଇ ବସିଥାଏ ନିରବଧି ଯୁଗ
ଜଣା ତ ନଥାଏ!
ମୋ: ୯୪୩୮୫୦୪୫୮୯
ସୌଜନ୍ୟ ସମ୍ବାଦ
