Literature: ଲିପିକା ମହାପାତ୍ରଙ୍କ ଅନୁସୃଜନରେ ଗଳ୍ପ ‘ଶାଶ୍ବତ ପ୍ରେମ’… ମୂଳ ଇଂରାଜୀ: ଆଣ୍ଡି ୱିର୍…

ରେୟ ନିଜ ବନ୍ଧୁ ବବିଙ୍କୁ ଲିଜ୍‌ ସହ ତାଙ୍କ ପ୍ରଥମ ଭେଟ ଓ ପ୍ରେମକାହାଣୀ କହୁଥାନ୍ତି। ଲିଜ୍ ବହୁତ ବୁଦ୍ଧିମତୀ ଥିଲେ ଏବଂ ପ୍ରଥମ ଭେଟରେ ସେ ତାଙ୍କୁ ଭଲପାଇ ବସିଥିଲେ। ଶେଷରେ ଜଣାପଡ଼େ, ବବି ରେୟ ଓ ଲିଜ୍‌ଙ୍କ ପୁଅ ଏବଂ ସେ ନିଜ ମା’ଙ୍କ ବିଷୟରେ ଆହୁରି ଶୁଣିବାକୁ ଚାହୁଛି। ଏହା ଶାଶ୍ୱତ ପ୍ରେମର ନିଦର୍ଶନ।

ଶାଶ୍ବତ ପ୍ରେମ

ଇଂରାଜୀ: ଆଣ୍ଡି ୱିର୍
ଅନୁସୃଜନ: ଲିପିକା ମହାପାତ୍ର

“ଗୋଟିଏ ଖାଣ୍ଟି କଥା କହୁଛି ଶୁଣ! ବଡ଼ ପବିତ୍ର କଥା!” କହିଲେ ର‌େୟ।
“ଖୋଲି କୁହନ୍ତୁ ତେବେ!” ବବି ପଚାରିଲା।
କଫି ଟେବୁଲ୍‌ରୁ ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଧରାଇ ସେ କହିଲେ, “ଏମିତି ନିଆରା ଗୁଣର ଝିଅଟିଏ ମୁଁ ପୂର୍ବରୁ କେବେ ଭେଟି ନ ଥିଲି! ସତ କହୁଛି ଏପରି ଝିଅ କେବେ ଭେଟି ନ ଥିଲି, ଯାହା ସହ ଘଣ୍ଟା ଘଣ୍ଟା ଗପି ହେବ। ଆଃ, ଆମର ସେ ପ୍ରଥମ ଭେଟ ଥିଲା ସ୍ବର୍ଗୀୟ!”
“ତା’ ନାଁ ଲି‍‍ଜ୍” କଳେ ଧୂଆଁ ଛାଡ଼ି ସିଗ୍ରେଟ୍‌ ପ୍ୟାକେଟ୍‌ଟା ବବି ହାତକୁ ବଢ଼ାଇ କହିଲେ ରୟେ।
“ତୁମେ ମୋତେ ଭୁଲ ବୁଝିବ ନାହିଁ, ମୁଁ ତାକୁ ସତରେ ପ୍ରେମ କରିବାକୁ ଚାହୁଥିଲି। ସଚ୍ଚା ପ୍ରେମ। ବୁଝୁଛ ନା?”
“ଗତ ସପ୍ତାହରେ କେନେଡି ରାଲିରେ ମୁଁ ତାକୁ ଭେଟିଲି।” କ୍ଷଣେ ନିରବ ରହି ପଚାରିଲେ, “ତୁମେ କେନେଡିଙ୍କୁ ଭୋଟ ଦେଉଛ ନା?”
“ନିଃସନ୍ଦେହ।”

“ଭଲ ହେଲା, ଶୁଣ ତେବେ। ସ୍ବେଚ୍ଛାକୃତ ଭାବରେ ସେ ସ୍ଥାନୀୟ ଡେମୋକ୍ରାଟିକ୍ ପାର୍ଟି ପାଇଁ କାମ କରୁଥିଲା। ଫ୍ଲାୟର ବାଣ୍ଟିବା, ଘର ଘର ବୁଲି ପ୍ରଚାର କରିବା।” ସିଗ୍ରେଟ୍‌ ଫୁଙ୍କି ଧୂଆଁ ଛାଡ଼ିଲେ ର‌େୟ। “ଦେଶର ପ୍ରକୃତ ସମସ୍ୟା ସେ ବୁଝୁଥିଲା। ଯେଉଁ କେତେକ ଅଳ୍ପ ବୁଦ୍ଧିଆ ଝିଅ ସେଠି ଉପସ୍ଥିତ ଥିଲେ ସେମାନେ କେବଳ ବୁଝୁଥିଲେ କେନେଡି ହାଣ୍ଡସମ୍‌। ସେ ଥିଲା ସ୍ବତନ୍ତ୍ର। ରାଜନୀତିରେ ତା’ର ନିଜସ୍ୱ ମତ ରଖି ବିତର୍କ କରିପାରୁଥିଲା। ବୁଝୁଛ ତାହା କେତେ ବିରଳ?”
“ହଁ ସମସ୍ତେ ଏପରି ନୁହନ୍ତି,” ବବି ଏକମତ ହେଲା।
ର‌େୟ ଅଳ୍ପ ହସିଲେ। “ମୁଁ ମନ୍ତ୍ରବତ୍‌ ତାକୁ ରେସ୍ତୋରାଁକୁ ନିମନ୍ତ୍ରଣ କଲି। ଝିଅଙ୍କ ମାମଲାରେ ଭାରି ଲାଜକୁଳା ମୁଁ, କିନ୍ତୁ ତୁମେ ବୁଝୁଥିବ? ସେ ରାଜି ହୋଇଗଲା। ରାସ୍ତା ମୋଡ଼ରେ ସାମ୍ବୋକୁ ଗଲୁ ଆମେ। ମୋର ମନେ ହେଲା, ମୁଁ ସବୁଦିନ ତାଙ୍କ ସହ ସେଠି ଲଞ୍ଚ ଖାଇ ପାରିବି। ସେହି ମୁହୂର୍ତ୍ତରେ ବୁଝିଗଲି ଏହି ନାରୀଙ୍କୁ ହିଁ ମୁଁ ବିବାହ କରିବି! ମୁଁ ପ୍ରେମରେ ପଡ଼ିଗଲି!”

“ଏତେ ଶୀଘ୍ର ନିଷ୍ପତ୍ତି ନେଇଗଲେ” କହିଲା ବବି।
“ମନେରଖ, ପ୍ରକୃତ ଭଲପାଇବା ଗୋଟିଏଥର ଭେଟରେ ଯଥେଷ୍ଟ।” “ଇଲେକ୍‌ସନ୍‌ ଶେଷ ହେଲା ଯାଏଁ ମୋର ଧୈର୍ଯ୍ୟ ରହିବ ନାହିଁ। ଦିନତମାମ ବୁଲିବାର ଯୋଜନା କଲି ମୁଁ। କେନେଡି ଜିତିବେ ଯଦି ଲି‍‍‍‍‍ଜ୍ ନିଶ୍ଚୟ ଭଲ ମୁଡ୍‌ରେ ଥିବ, ତୁମେ ବୁଝୁଛ ନା?” “ତା’ର ସବୁଠାରୁ ସୁନ୍ଦର କ’ଣ ଜାଣିଛ? ଆଖିଯୋଡ଼ିକ। ସେହି କୋମଳ ଆଖି ତଳେ ଛପି ରହିଛି ଅସୀମ ଜ୍ଞାନ। ମୁଁ ତାହା ଦେଖିପକାଇଲି ହେ। ବିଶ୍ବାସ କର।”
“ତୁମେ ତାଙ୍କୁ କହିବା ଉଚିତ ଥିଲା।”

“ଓଃ, କହିବି ତୁମେ ବ୍ୟସ୍ତ ହୁଅନାହିଁ। ନିଶ୍ଚୟ କହିବି!” ସେ ସିଗ୍ରେଟ୍‌ରୁ କଳେ ଧୂଆଁ ଛାଡ଼ି ଉଠିପଡ଼ିଲେ। “ଟିକେ ବାଥ୍‌ରୁମ୍‌ ଆଡୁ ଆସେ।” ହଲ୍-ୱେ ଦେଇ ତାଙ୍କ ଯିବା ବାଟକୁ ଚାହିଁ ରହିଲା ବବି। ହଲ୍ ଆଡୁ କହିଲେ ର‌େୟ, “ହୁଏତ ମାଟିନି ସୋ ସିନେମା ଯିବୁ? ଯଦି ପାଣିପାଗ ଅନୁକୂଳ ହୁଏ ଆମେ ୱାକ୍‌ରେ ଯାଇପାରୁ। କେବଳ ତାଙ୍କ ସହ ଅଧିକ ସମୟ ଅତିବାହିତ କରିବାର ବାହାନା। ସେ ଖୁବ୍‌ ସୁନ୍ଦର ବାର୍ତ୍ତାଳାପ କରି ଜାଣନ୍ତି, ତୁମେ ବୁଝୁଚ ନା?”

“ସତ, ସେ ବାର୍ତ୍ତାଳାପର କଳା ଜାଣନ୍ତି”, ବବି କହିଲା। କିଛି ସମୟର ନିରବତା ପରେ ରୟେ ଉଚ୍ଚସ୍ବରରେ କହି ଉଠିଲେ, ‘‘ୟେ କିଏ ତୁମ ବାଥରୁମ୍‌ରେ?” “ଜଣେ କେହି ବୃଦ୍ଧ!” ହଲ୍‌ୱେ ଦେଇ ତରତରରେ ବାଥରୁମ୍‌କୁ ଦୌଡ଼ିଗଲା ବବି।
“ତୁମେ କିଏ?” ର‌େୟ ପଚାରିଲେ ବୃଦ୍ଧଙ୍କୁ। “ଏଠି କ’ଣ କରୁଛ?” ର‌େୟଙ୍କ ହାତ ଧରିପକାଇ ବବି କହିଲା, “ଏହି ବାଟରେ ଆସନ୍ତୁ।” “ୟେ ବୃଦ୍ଧ ତୁମ ବାଥରୁମ୍‌ରେ କ’ଣ କରୁଛନ୍ତି!” ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କହିଲେ ର‌େୟ। “ଦର୍ପଣ ସାମ୍ନାରୁ ଚାଲି ଆସନ୍ତୁ ବାପା, କହି ର‌େୟଙ୍କ ହାତ ଧରି ବାଥ୍‌ରୁମ୍‌ରୁ ବାହାରକୁ ଟାଣି ଆଣିଲା ବବି।

“ଆସନ୍ତୁ ବାପା, ମୋ ମା’ଙ୍କ ବିଷୟରେ କହିବେ।” “କାହା କଥା?”
“ଲିଜ୍ ବିଷୟରେ ମୋତେ ଅଧିକ କୁହନ୍ତୁ।’’ ବବିର ସ୍ବରରେ ଉତ୍କଣ୍ଠା। ର‌େୟଙ୍କ ମୁହଁରେ ଶୂନ୍ୟତା। ପରେ ପରେ ଈଷତ୍ ହସି କହିଲେ ର‌େୟ,“ଆଃ, ଶାଶ୍ବତ ପ୍ରେମ!”
“ହଁ! ମୋ ମା’ଙ୍କ ବିଷୟରେ ଆହୁରି କୁହନ୍ତୁ ବାପା” କହିଲା ବବି।

mohapatra74@gmail.com

ସୌଜନ୍ୟ ସମ୍ବାଦ

Exit mobile version