Literature: ଗାଳ୍ପିକ ରଞ୍ଜନ ପ୍ରଧାନଙ୍କ କଲମରୁ ନିସୃତ ଗଳ୍ପ ‘କ୍ରୁଡ୍ ଅକ୍ସିଜେନ୍’…

ଇବ୍ରାହିମ୍ ଥାନାରେ ଲିଖିତ ଏତଲା ଦେଇଛି ଯେ, ତା’ ଭାଟିରୁ ଅମ୍ଳଜାନ ଚୋରି ହୋଇଛି। ଆଉ ଏ ଚୋରି ଜୋଶେଫ୍ ହିଁ କରିଛି। ଇବ୍ରାହିମ୍‌ର ଏଫ୍‌ଆଇଆର୍‌କୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କଲା। ତଦନ୍ତ ବି ଆଗେଇଲା।

କ୍ରୁଡ୍ ଅକ୍ସିଜେନ୍ 

ରଞ୍ଜନ ପ୍ରଧାନ

ଇବ୍ରାହିମ୍ ଥାନାରେ ଲିଖିତ ଏତଲା ଦେଇଛି ଯେ, ତା’ ଭାଟିରୁ ଅମ୍ଳଜାନ ଚୋରି ହୋଇଛି। ଆଉ ଏ ଚୋରି ଜୋଶେଫ୍ ହିଁ କରିଛି।
ଇବ୍ରାହିମ୍‌ର ଏଫ୍‌ଆଇଆର୍‌କୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କଲା। ତଦନ୍ତ ବି ଆଗେଇଲା।

ଏଇଠି କହି ରଖେ, ଅମ୍ଳଜାନ ଚୋରି ଭଳି ଏକ ମାମୁଲି ଘଟଣାର ତଦନ୍ତ କରିବାକୁ ପୁଲିସ ପ୍ରଥମରୁ ହିଁ ଆଗ୍ରହ ପ୍ରକାଶ କରୁ ନ ଥିଲା। କଖାରୁ ଚୋରି, ଲାଉ ଚୋରି, ଅମ୍ଳଜାନ ଚୋରି; ଏସବୁ କ’ଣ ଚୋରିରେ ଗଣା? ଆଜିକାଲି ରେପ୍‌, ମର୍ଡର, ଲ’ ଆଣ୍ଡ ଅର୍ଡର, ମବ୍ ଲିଞ୍ଚିଂ ପୁଲିସର ମୁଣ୍ଡ ଟିଣ କରିଦେଲାଣି। ଏ ଅମ୍ଳଜାନ ଚୋରି କେସ୍ ପଛରେ ପଡ଼ିବାକୁ ପୁଲିସ ପାଖରେ ସମୟ ଅଛି ନା?

ଇବ୍ରାହିମ୍ ଦୁଇ ବର୍ଷ ପାଇଁ ଦୁଇଶହ ଗଛ ନିଲାମରେ ପାଇଥିଲା। ପ୍ରତି ଗଛରୁ ଦୈନିକ ଦୁଇ ଲିଟର ଅମ୍ଳଜାନ ଉତ୍ପାଦନ ହିସାବରେ ସରକାର ତା’ଠାରୁ ଦୈନିକ ଦୁଇକୋଟି ଏବଂ ମାସିକ ତିରିଶ ଦୁନେ ଷାଠିଏ କୋଟି ଟଙ୍କା ନେବାକୁ ଧାର୍ଯ୍ୟ ହୋଇଥିଲା। ଅମ୍ଳଜାନ ଭାଟିରୁ ଇବ୍ରାହିମ୍‌ର ଭଲ ଦି’ ପଇସା ରୋଜଗାର ହୁଏ। କାହିଁକି ନା, ଆଜିକାଲି ବିନା ଅମ୍ଳଜାନ ପାଉଚ୍‌ରେ କେହି ଘରୁ ବାହାରକୁ ବାହାରୁ ନାହାନ୍ତି।

କିଛିଦିନ ହେଲାଣି, ଇବ୍ରାହିମ୍ ଲକ୍ଷ୍ୟ କରୁଥିଲା, ତା’ ଗଛମାନଙ୍କରୁ ଅମ୍ଳଜାନ ଉତ୍ପାଦନ କମୁଛି। ଦିନକୁ ଦୁଇଶହ ଗଛରୁ ଅତି କମ୍‌ରେ ଚାରିଶହ ଲିଟର ଅମ୍ଳଜାନ ବାହାରିବା ବଦଳରେ ଏବେ ଦଶ-କୋଡ଼ିଏ ଲିଟର ବାହାରୁଛି। ବାକି ଅମ୍ଳଜାନ ଯାଉଛି କୁଆଡ଼େ? ନିଶ୍ଚୟ ଚୋରି ହେଉଛି। ଜୋଶେଫ୍ ହିଁ ଲୁଚି ଲୁଚି ତା’ ଅମ୍ଳଜାନ ହାଣ୍ଡିଗୁଡ଼ିକରୁ ଅମ୍ଳଜାନ ଚୋରିକରି ଅନ୍ୟତ୍ର ବିକ୍ରି କରୁଛି। ଇବ୍ରାହିମ୍ ଜୋଶେଫ୍‌କୁ ସନ୍ଦେହ କରୁଥିଲା।

ଇବ୍ରାହିମ୍‌ର ସନ୍ଦେହ ଅମୂଳକ ଓ ଭିତ୍ତିହୀନ ନ ଥିଲା। କାରଣ ଜୋଶେଫ୍ ହିଁ ଅମ୍ଳଜାନ ବ୍ୟବସାୟ କରୁଥିଲା। ଜୋଶେଫ୍ ବିଦେଶୀ ବ୍ରାଣ୍ଡ୍‌ର ଦାମୀ ଅମ୍ଳଜାନ ବିକ୍ରି କରୁଥିଲା। ତା’ର ଅମ୍ଳଜାନ ବାର୍‌ରେ ଗ୍ରାହକଙ୍କ ଗହଳି ବେଶି ହେଉଥିଲା। ଇବ୍ରାହିମ୍‌ର ଦେଶୀ ଅମ୍ଳଜାନ ଭାଟିକୁ ଗ୍ରାହକଙ୍କ ଯିବାଆସିବା କମି ଯାଉଥିଲା।

ଇବ୍ରାହିମ୍‌ର ଦେଶୀ ଅମ୍ଳଜାନ ଭାଟିରେ ଅମ୍ଳଜାନ କମ୍‌, କାର୍ବନ ଡାଇଅକ୍‌ସାଇଡ ଆଉ ନାଇଟ୍ରୋଜେନ୍ ବେଶୀ ବୋଲି ଜୋଶେଫ୍ କହୁଥିଲା। ଇବ୍ରାହିମ୍‌ର ଭାଟିରେ ଫିଲ୍‌ଟ୍ରେସନ୍‌, ମଏଶ୍ଚର ରିମୁଭାଲ୍‌, କ୍ରାୟୋଜେନିକ ଡିଷ୍ଟିଲେସନ୍‌, ନାଇଟ୍ରୋଜେନ୍ ଟ୍ରାପ୍ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ନ ଥିଲା। ସେ କେଉଁଠୁ ବା ପିଓର ଅକ୍‌ସିଜେନ୍ ପାଇବ? ଖାଲି ଯାହା ବାୟୁମଣ୍ଡଳରୁ ଚାଲୁ ଶସ୍ତା ପବନ ଭିଡ଼ି ଗ୍ରାହକଙ୍କୁ ଠକୁଛି ବୋଲି ଜୋଶେଫ୍ ଅପପ୍ରଚାର ଚଳାଏ। ଏଣୁ ଇବ୍ରାହିମ୍ ଆଉ ଜୋଶେଫ୍ ମଧ୍ୟରେ ବ୍ୟବସାୟଗତ ଶତ୍ରୁତା ରହିଥିଲା।
ଜୋଶେଫ୍‌ର ଅମ୍ଳଜାନ ବାର୍‌ରେ ମିଳେ ମେଡ୍ ଇନ୍ ଆମେରିକା କିମ୍ବା ଫ୍ରାନ୍‌ସ ଅମ୍ଳଜାନ। ଗୋଟିଏ ନିବ୍ ଆମେରିକାନ୍ ଅମ୍ଳଜାନର ଦାମ୍ ଏକୋଇଶ ହଜାର ଡଲାର୍। ତାକୁ ଟଙ୍କାରେ ହିସାବ କଲେ କେତେ ହେବ ଅନୁମାନ କରନ୍ତୁ।

ଅସଲରେ ଜୋଶେଫ୍ ଇବ୍ରାହିମ୍ ଭଳି କେତେକ ଦେଶୀ ଅମ୍ଳଜାନ ଭାଟି ମାଲିକଙ୍କ ଠାରୁ କ୍ରୁଡ୍ ଅକ୍‌ସିଜେନ୍ କିଣି ତାକୁ ରିଫାଇନ୍ କରି ଚଢ଼ା ଦାମ୍‌ରେ ବିକ୍ରି କରେ।
ସହରରେ ଥିବା ଆମାଜନ ରେନ୍‌ଫରେଷ୍ଟ ନ୍ୟାଚୁରାଲ୍ ଅକ୍‌ସିଜେନ୍ ବାର୍‌, କଙ୍ଗୋ ରେନ୍‌ଫରେଷ୍ଟ ଅକ୍ସିଜେନ୍ ବାର୍‌, ଟାଇଗା ଅକ୍‌ସିଜେନ୍ ବାର୍‌, ଇଣ୍ଡିଆନ୍ ୱେଷ୍ଟର୍ଣ୍ଣଘାଟ୍ ଅକ୍‌ସିଜେନ୍ ବାର୍‌, ସୁନ୍ଦରବନ ମ୍ୟାନ୍‌ଗ୍ରୁଭ୍ ଫରେଷ୍ଟ ଅକ୍‌ସିଜେନ୍ ବାର୍‌, ଟେମ୍ପରେଟ୍ ଫରେଷ୍ଟ ଅଫ୍ ସଦର୍ନ କାନାଡ଼ିଆନ୍ ଅକ୍‌ସିଜେନ୍ ବାର୍ ଭଳି ଅତ୍ୟାଧୁନିକ ଅମ୍ଳଜାନ ବାର୍‌ଗୁଡ଼ିକର ମାଲିକ ହେଉଛି ଜୋଶେଫ୍।

ଇବ୍ରାହିମ୍‌ର ଏତଲା ଅନୁସାରେ ପୁଲିସ ଜୋଶେଫ୍‌କୁ ଥାନାକୁ ଆଣି ଇଣ୍ଟେରୋଗେସନ୍ କଲା। ପୁଲିସ ଇବ୍ରାହିମ୍‌ର ଅମ୍ଳଜାନ ଭାଟିରେ ପହଞ୍ଚି ତଦନ୍ତ କଲା। ଜୋଶେଫ୍ ଯେ ଇବ୍ରାହିମ୍‌ର ଅମ୍ଳଜାନ ଭାଟିରୁ ଅମ୍ଳଜାନ ଚୋରି କରିଛି, ପୁଲିସ ପାଖରେ ଏହାର କିଛି ଠୋସ୍ ପ୍ରମାଣ ନ ଥିଲା। ପୁଲିସ ଜୋଶେଫ୍‌କୁ କ୍ଲିନ୍ ଚିଟ୍ ଦେବ ବୋଲି ଇବ୍ରାହିମ୍ ପୂର୍ବରୁ ଜାଣି ସାରିଥିଲା। କାରଣ ଜୋ‌େଶଫ୍‌ଟା ମହାଫିସାଦିଆ ଥିଲା ବୋଲି ଇବ୍ରାହିମ୍ ଭଲକରି ଜାଣିଥିଲା। ସେ ଟଙ୍କା ଫିଙ୍ଗି ପୁଲିସର ମୁହଁ ବନ୍ଦ କରିଦେଇଛି ବୋଲି ଇବ୍ରାହିମ୍ ଚାରିଆଡ଼େ କହି ବୁଲୁଥିଲା।

ବିଷାକ୍ତ ଅମ୍ଳଜାନ ନେଇ ସହରର ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଗଲା। ସହରରେ ଚାଞ୍ଚଲ୍ୟ ଖେଳିଗଲା। ପୂର୍ବରୁ ବିଷାକ୍ତ ମଦ ପିଇ ଲୋକେ ମରୁଥିବାର ଖବର ମିଡିଆରେ ଆସୁଥିଲା। ହେଲେ ବିଷାକ୍ତ ଅମ୍ଳଜାନଜନିତ ମୃତ୍ୟୁ ଏ ସହରର ପ୍ରଥମ ଘଟଣା ଥିଲା।

ବିଷାକ୍ତ ଅମ୍ଳଜାନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶରୀରର ରକ୍ତନମୁନା ଆଉ ସହରରେ ଥିବା ଦେଶୀ ଅମ୍ଳଜାନ ଭାଟି ତଥା ବିଦେଶୀ ଅମ୍ଳଜାନ ବାର୍‌ଗୁଡ଼ିକରୁ କିଛି ଅମ୍ଳଜାନ ସାମ୍ପୁଲ୍ କଲେକ୍‌ସନ କରି ଟେଷ୍ଟିଂ ପାଇଁ ଲାବରେଟୋରି ପଠାଗଲା। କିଛିଦିନ ପରେ ରିପୋର୍ଟ ଆସିଲା। ମୃତ ବ୍ୟକ୍ତିମାନେ ଜୋଶେଫ୍‌ର ଅମ୍ଳଜାନ ବାର୍‌ରୁ ଅମ୍ଳଜାନ ନେଇଥିଲେ ବୋଲି ପ୍ରମାଣ ମିଳିବା ପରେ ଜୋଶେଫ୍‌କୁ ପୁଲିସ ବାନ୍ଧିନେଲା। ଇବ୍ରାହିମ୍ ଆଶ୍ୱସ୍ତ ହେଲା।

ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡ ଜୋଶେଫ୍‌ର ଅକ୍‌ସିଜେନ୍ ବାର୍‌ଗୁଡ଼ିକ ଉପରେ ଚଢ଼ଉ କରି ଜାଣିବାକୁ ପାଇଲା ଯେ, ଏ ଅକ୍‌ସିଜେନ୍ ବାର୍‌ଗୁଡ଼ିକରେ ଫିଲ୍‌ଟ୍ରେସନ୍‌, ମଏଶ୍ଚର ରିମୁଭାଲ୍‌, କ୍ରାୟୋଜେନିକ୍‌ ଡିଷ୍ଟିଲେସନ୍‌, ନାଇଟ୍ରୋଜେନ୍ ଟ୍ରାପ୍ ଭଳି କିଛି ବି ଲାଗି ନ ଥିଲା। ଜୋଶେଫ୍ ବିଦେଶୀ ବ୍ରାଣ୍ଡ୍ ନାମରେ କେବଳ କ୍ରୁଡ୍ ଅକ୍‌ସିଜେନ୍ ଦେଇ ଲୋକଙ୍କୁ ଠକୁଥିଲା।

ମୋ: ୯୪୩୭୨୧୩୮୫୪

 

ସୌଜନ୍ୟ ସମ୍ବାଦ

Exit mobile version