ରାଜ୍ୟ

Loot Mineral Fund-1: ଲୁଟିନେଲେ ଖଣିଜ ପାଣ୍ଠି-୧: ଘରୋଇ ହସ୍ପିଟାଲ ପାଇଁ ୧୦ କୋଟି ଖର୍ଚ୍ଚ, ଦଳିମକଚି ଦେଲେ ଜିଲ୍ଲା ଖଣିଜ ପାଣ୍ଠି ନିୟମ

ଯାଜପୁର ଜିଲ୍ଲା ଖଣିଜ ପାଣ୍ଠିକୁ ଆଖିବୁଜା ଲୁଟ୍‌ କରାଯାଇଛି। ଖଣିଜ ପାଣ୍ଠି ପରିଚାଳନା ଓ ଏହାର ଖର୍ଚ୍ଚକୁ ‌ନେଇ ରହିଥିବା ସବୁ ନିୟମକୁ ପୂର୍ବ ସରକାରରେ ଥିବା ପ୍ରଶାସକମାନେ ଦଳିମକଚି ଦେଇଥିଲେ।

ଯାଜପୁର: ଯାଜପୁର ଜିଲ୍ଲା ଖଣିଜ ପାଣ୍ଠିକୁ ଆଖିବୁଜା ଲୁଟ୍‌ କରାଯାଇଛି। ଖଣିଜ ପାଣ୍ଠି ପରିଚାଳନା ଓ ଏହାର ଖର୍ଚ୍ଚକୁ ‌ନେଇ ରହିଥିବା ସବୁ ନିୟମକୁ ପୂର୍ବ ସରକାରରେ ଥିବା ପ୍ରଶାସକମାନେ ଦଳିମକଚି ଦେଇଥିଲେ। ଜିଲ୍ଲାପାଳମାନେ ଖଣିଜ ପାଣ୍ଠିକୁ ବିନର୍ବ୍ୟୟ କରୁଥିବା ନଜରକୁ ଆସିଛି। ପ୍ରକଳ୍ପ ସମ୍ପାଦନ, ସଂସ୍ଥା ଚୟନ, ଅର୍ଥ ବିନିଯୋଗର ସ୍ୱଚ୍ଛତା ଓ ପ୍ରଶାସନିକ ତଦାରଖ କ୍ଷେତ୍ରରେ ଜିଲ୍ଲା ଖଣିଜ ପାଣ୍ଠି ନିୟମାବଳୀକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଖଣିଜ ପାଣ୍ଠି ଅର୍ଥରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିବେଶ ସୁରକ୍ଷା, ମହିଳା ଓ ଶିଶୁ ବିକାଶରେ ଖର୍ଚ୍ଚ ହେବାକୁ ପ୍ରାଥମିକତା ଦିଆଯାଇଛି। ମାତ୍ର ଯାଜପୁର ଜିଲ୍ଲା ପ୍ରଶାସନ ଏହି ପ୍ରାଥମିକତାକୁ ପଛରେ ପକାଇ ଅଣପ୍ରାଥମିକ ବିକାଶ, ସହରାଞ୍ଚଳ କାମ ଯଥା କୋଠା ନିର୍ମାଣରେ ଶହଶହ କୋଟି ଟଙ୍କା ଉଡ଼ାଇ ଦେଇଛି। ଆବଶ୍ୟକ ନଥିବା ପାର୍କ ନିର୍ମାଣ କରିଛି, ଯାହା ଏବେ ସବୁ ଖତ ଖାଉଛି। ସବୁଠାରୁ ବଡ଼ କଥା ହେଲା, ନିୟମ ବହିର୍ଭୂତ କାମ କରାଯାଇ ଘରୋଇ ହସ୍ପିଟାଲ ‘ଭୂମିକା’ ଜରିଆରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୯.୩୪ କୋଟି ଟଙ୍କା ଦିଆଯାଇଛି। ଏହି ଅର୍ଥରେ କରୋନା ସମୟରେ କିଛି ମୂଲ୍ୟବାନ ସାମଗ୍ରୀ ଓ ଯନ୍ତ୍ରାଂଶ କିଣାଯାଇଥିଲା। ଜିଲ୍ଲା ପ୍ରଶାସନ ଘରୋଇ ହସ୍ପିଟାଲକୁ କିଭଳି ଖଣିଜ ପାଣ୍ଠିରୁ ଏତେ ଟଙ୍କାର ଅନୁଦାନ ଦେଲେ? ଏଥିପାଇଁ କିଏ ନୀତିଗତ ନିଷ୍ପତ୍ତି ନେଇଥିଲେ? ଏହାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି। ଏହାର ତଦନ୍ତ ହେଲେ ସେତେବେଳେ ମନଇଚ୍ଛା କିଣାଯାଇଥିବା ଶଯ୍ୟା, ଯନ୍ତ୍ରାଂଶ ଏବେ କେଉଁଠି ଓ କାହା ହେପାଜତରେ ରହିଛି ସେ ସବୁର ଗୁମର ‌ଖୋଲିବ।

ଦଳିମକଚି ଦେଲେ ଜିଲ୍ଲା ଖଣିଜ ପାଣ୍ଠି ନିୟମ
୬୧ ସଂସ୍ଥା ହାତରେ ୩୦୨୫ କୋଟିର ୬୫୩୮ଟି ପ୍ରକଳ୍ପ

ତଥ୍ୟ ମୁତାବକ, ୨୦୨୬ ଜୁନ ସୁଦ୍ଧା ଜିଲ୍ଲାରେ ମୋଟ ୬,୫୩୮ଟି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ୬୧ଟି ସରକାରୀ ବିଭାଗ, ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥା ମାଧ୍ୟମରେ ୩,୦୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏପର୍ଯ୍ୟନ୍ତ ସେଥିରୁ ୧,୮୦୯ କୋଟି ଟଙ୍କା ବ୍ୟୟ କରାଯାଇଛି। ଖଣିଜ ପାଣ୍ଠି ବ୍ୟୟ ପାଇଁ କାର୍ଯ୍ୟନିର୍ବାହୀ ବିଭାଗ ଓ ସଂସ୍ଥା ଚୟନ ପାଇଁ ରହିଥିବା ନିୟମକୁ ଆଖିବୁଜି ଦିଆଯାଇଛି। କାର୍ଯ୍ୟର ଗୁଣବତ୍ତା ଜିଲ୍ଲାସ୍ତରୀୟ ଟ୍ରଷ୍ଟି ବୋର୍ଡ ସହ ତୃତୀୟପକ୍ଷ ଯାଞ୍ଚ ଓ ଗ୍ରାମସଭା ମାଧ୍ୟମରେ ପ୍ରକଳ୍ପର ସାମାଜିକ ସମୀକ୍ଷା କରିବାର ନିୟମ ଥିବାବେଳେ ଏହା କରାଯାଇନାହିଁ। ଫଳରେ ଅନେକ ନିର୍ମାଣାଧୀନ ବା ଅଧାରେ ରହିଥିବା ପ୍ରକଳ୍ପ ନଷ୍ଟ ହୋଇଯାଇଛି। ଠିକାଦାର ବିଲ୍‌ ନେଇ ସାରିଥିବା ବେଳେ ପ୍ରକଳ୍ପ ବ୍ୟବହାର ହେଉନାହିଁ। ନିମ୍ନମାନର ନିର୍ମାଣ ‌ଯୋଗୁଁ ସେସବୁ ନଷ୍ଟ ହୋଇଯାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button