ରାଜ୍ୟ

Workers’ dreams: ବଡ଼ ନେତାଙ୍କ କନ୍ଦଳରେ କର୍ମୀଙ୍କ ସ୍ବପ୍ନ ଚୂରମାର: ରାଜନୈତିକ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା

ଜାତୀୟ ରାଜନୀତିର ଅନ୍ୟତମ ପ୍ରଭାବଶାଳୀ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରରେ ଟାଣୁଆ କ୍ୟାବିନେଟ୍ ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏବଂ ପୂର୍ବତନ ମନ୍ତ୍ରୀ

ସମ୍ବଲପୁର: ଜାତୀୟ ରାଜନୀତିର ଅନ୍ୟତମ ପ୍ରଭାବଶାଳୀ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରରେ ଟାଣୁଆ କ୍ୟାବିନେଟ୍ ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏବଂ ପୂର୍ବତନ ମନ୍ତ୍ରୀ, ପୂର୍ବ ବିରୋଧୀଦଳ ନେତା ତଥା ୫ ଥରର ବିଧାୟକ ଜୟନାରାୟଣ ମିଶ୍ର। ଏକାସାଂଗରେ ଏତେ ସଂଖ୍ୟାରେ କ୍ଷମତାଶାଳୀ ନେତା ସମ୍ବଲପୁର ପାଇଁ ବିରଳ। ପୂର୍ବରୁ କେବେ ଏମିତି ସଂଯୋଗ ଘଟି ନଥିଲା। ଏହା ବିଜେପି କର୍ମୀଙ୍କ ପାଇଁ ବି ନିଜ ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବାର ଏକ ବଡ଼ ସୁଯୋଗ ଭଳି ଥିଲା। କିନ୍ତୁ ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଦ୍ବିତୀୟ ଶ୍ରେଣୀ ନେତାଙ୍କ ପାଇଁ ସୃଷ୍ଟି ହେଉଥିବା ସବୁ ସମ୍ଭାବନାରେ ପାଣି ପଡ଼ିଯାଉଛି। କେଉଁ ଗୋଷ୍ଠୀର କାହାକୁ କେଉଁ ପଦ ଦିଆଯିବ, ସେ ଭାଗ ଛିଣ୍ଡୁ ନାହିଁ କି କାହାକୁ ପଦ ମଧ୍ୟ ମିଳୁ ନାହିଁ।

ବିଜେପିର ଗଡ଼ ସମ୍ବଲପୁର। ୨୦୧୪ ମସିହାରେ ସମ୍ବଲପୁରକୁ ମହାନଗର ନିଗମ ମାନ୍ୟତା ତତ୍କାଳୀନ ବିଜେଡି ସରକାର ଦେଇଥିଲେ ମଧ୍ୟ ଏଠାରେ ନିର୍ବାଚନ କରାଇବାର ସାହସ କରି ପାରିନଥିଲା। ଅଦାଲତ ରହିତାଦେଶ ଏଥିପାଇଁ ବାଧକ ଥିବା ନେଇ ବିଭିନ୍ନ ସମୟରେ ବିଜେଡି ସରକାର କହି ଆସୁଥିଲା। ୨୦୨୪ ମସିହାରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଶା ଥିଲା, ଯଥାଶୀଘ୍ର ମହାନଗର ନିଗମ ନିର୍ବାଚନ ହେବ। ଅଦାଲତ ପକ୍ଷରୁ ରହିତାଦେଶ ଉଠିବା ପରେ ନିର୍ବାଚନର ଆଶା ଆହୁରି ଉଜ୍ଜ୍ବଳ ହେଲା। ୧୮ ବର୍ଷ ହେଲା ନଗରାଞ୍ଚଳ ନିର୍ବାଚନ ହୋଇନଥିବାରୁ ଏସ୍‌ଏମ୍‌ସି ନିର୍ବାଚନ ପାଇଁ ବିଜେପିର ସ୍ଥାନୀୟ ନେତା ଏବଂ କର୍ମୀମାନେ ଅପେକ୍ଷା କରି ରହିଛନ୍ତି। ମେୟର ସହିତ କର୍ପୋରେଟର ଭାବରେ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ଅନେକ ଆଶାୟୀ ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏସ୍‌ଏମ୍‌ସି ନିର୍ବାଚନକୁ ନେଇ ସରକାର କିମ୍ବା ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳୁ ନାହିଁ। ଫଳରେ ନିର୍ବାଚନକୁ ନେଇ ଅନିଶ୍ଚିତତା ଜାରି ରହିଛି।

କ୍ୟାବିନେଟ୍‌ ମନ୍ତ୍ରୀ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦ। ସମ୍ବଲପୁରର କିଛି ବଡ଼ନେତା ଏହାର ପ୍ରମୁଖ ଦାବିଦାର ଅଟନ୍ତି। ଏହି ନିଯୁକ୍ତି ବି ହେଲା ନାହିଁ। ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ଅଧ୍ୟକ୍ଷ ପଦ ମିଳିବା ଆଶା ବି ମଉଳିବାରେ ଲାଗିଛି। ସମ୍ବଲପୁର ଜିଲ୍ଲାରେ ବରିଷ୍ଠ ବିଜେପି ବିଧାୟକ ଥାଇ ମଧ୍ୟ ଜିଲ୍ଲା ବାହାରୁ ଜଣେ ମନ୍ତ୍ରୀଙ୍କୁ ଯୋଜନା ବୋର୍ଡ ଅଧ୍ୟକ୍ଷ କରାଯାଇଛି। ଏହା ପଛରେ ମଧ୍ୟ ଗୋଷ୍ଠୀ କନ୍ଦଳ ବଡ଼ କାରଣ ବୋଲି କୁହାଯାଉଛି। ଗୋଟିଏ ସମୟରେ ରୋହିତ ପୂଜାରୀ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଥିବାବେଳେ ବିଜେପିର କୌଣସି ନେତାଙ୍କୁ ଏଭଳି କୌଣସି ନିଗମ ବା ବଡ଼ କମିଟି ସଦସ୍ୟ ପଦ ମିଳିପାରୁ ନାହିଁ। ଅନ୍ୟ ଭାଷାରେ କହିବାକୁ ଗଲେ ନେତାଙ୍କ କନ୍ଦଳ ପାଇଁ ଏଠି ବିଜେପିର ଦ୍ବିତୀୟ ଧାଡ଼ିର ନେତୃବୃନ୍ଦ ଓ କର୍ମୀମାନେ ନିଜ ରାଜନୈତିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ଆଲୋଚନା ହେଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button