Love at 1,454 feet: କିମାଶ୍ଚର୍ଯ୍ୟମ୍: ୧,୪୫୪ ଫୁଟ୍ ଉପରେ ପ୍ରେମର ବାର୍ତ୍ତା
ଜୁଲାଇ ପହିଲାରେ କଳା ପୋଷାକ ଓ ମୁଖା ପିନ୍ଧିଥିବା ଦୁଇଜଣ ଯୁବକଯୁବତୀ ନ୍ୟୁୟର୍କର ବିଶ୍ବପ୍ରସିଦ୍ଧ କୋଠା ‘ଏମ୍ପାୟାର୍ ଷ୍ଟେଟ୍ ବିଲ୍ଡିଂ’ର ଶୀର୍ଷ (୧,୪୫୪ ଫୁଟ୍)ରେ ଥିବା ଆଣ୍ଟେନାକୁ ଚଢ଼ିଯାଇଥିଲେ।

ଜୁଲାଇ ପହିଲାରେ କଳା ପୋଷାକ ଓ ମୁଖା ପିନ୍ଧିଥିବା ଦୁଇଜଣ ଯୁବକଯୁବତୀ ନ୍ୟୁୟର୍କର ବିଶ୍ବପ୍ରସିଦ୍ଧ କୋଠା ‘ଏମ୍ପାୟାର୍ ଷ୍ଟେଟ୍ ବିଲ୍ଡିଂ’ର ଶୀର୍ଷ (୧,୪୫୪ ଫୁଟ୍)ରେ ଥିବା ଆଣ୍ଟେନାକୁ ଚଢ଼ିଯାଇଥିଲେ। ସେମାନଙ୍କୁ ଦେଖି ରାସ୍ତାରେ ଦେଖଣାହାରି ଚକିତ ହୋଇ କିଛି ମୁହୂର୍ତ୍ତ ଅଟକି ଯାଇଥିଲେ। ଏମାନେ କ’ଣ ଆତଙ୍କବାଦୀ? ନା ଆନ୍ଦୋଳନକାରୀ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନକୁ ଘାରୁଥିବା ବେଳେ ଏହି ଯୋଡ଼ି ସେଠାରେ ଏକ ପତାକା ଉଡ଼ାଇଥିଲେ ଯେଉଁଥିରେ ଲେଖା ଥିଲା- “ଯେବେ ପ୍ରେମର କ୍ଷମତା, କ୍ଷମତାର ପ୍ରେମକୁ ଅତିକ୍ରମ କରିଯିବ, ସେବେ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ହେବ।’’ ତା’ପରେ ପ୍ରେମିକଜଣକ ତା’ ସାଥୀକୁ ବିବାହ ପାଇଁ ନିବେଦନ କରି ହାତରେ ମୁଦି ପିନ୍ଧାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ଏହା ପ୍ରେମର ବାର୍ତ୍ତା ଦେଉଥିବା ଏକ ଦୁଃସାହସିକ କାର୍ଯ୍ୟ।
ଶେଷରେ କିନ୍ତୁ ପୁଲିସ ସେମାନଙ୍କୁ ଗିରଫ କରିନେଇଥିଲା। ଏ ଦୁଇଜଣ ହେଉଛନ୍ତି ୩୩ ବର୍ଷୀୟ ଆଞ୍ଜେଲା ଓ ୩୨ ବର୍ଷୀୟ ଇଭାନ। ସେମାନଙ୍କ ମୂଳ ଘର ରୁଷିଆରେ କିନ୍ତୁ ଏବେ ଆମେରିକାର ନ୍ୟୁ ଜର୍ସିରେ ରହନ୍ତି। ବାସ୍ତବରେ ସେମାେନ ହେଉଛନ୍ତି ‘ରୁଫଟପ୍ପର୍ସ’, ଅର୍ଥାତ୍ ନିଷିଦ୍ଧ ଉଚ୍ଚ କୋଠା, ଆଣ୍ଟେନା ଓ ପୋଲ ଉପରକୁ ଉଠି ଏମାନେ ଭାରସାମ୍ୟ ରକ୍ଷା କରିବା, ଝୁଲିବା ଓ ଡେଇଁବା ପରି ଦୁଃସାହସିକ କାର୍ଯ୍ୟ କରନ୍ତି। ସେମାନଙ୍କୁ ନେଇ ୨୦୨୪ରେ ନେଟ୍ଫ୍ଲିକ୍ସ ଏକ ବୃତ୍ତଚିତ୍ର ନିର୍ମାଣ କରିଛି। ସେମାନେ ଅତୀତରେ ମାଲେସିଆରେ ଅବସ୍ଥିତ ପୃଥିବୀର ଦ୍ବିତୀୟ ସର୍ବୋଚ୍ଚ କୋଠା ‘ମେର୍ଡେକା ୧୧୮’ (୨,୨୨୭ ଫୁଟ୍), ଚୀନର ସର୍ବୋଚ୍ଚ ଅସଂପୂର୍ଣ୍ଣ କୋଠା ‘ଗୋଲ୍ଡିନ୍ ଫାଇନାନ୍ସ ୧୧୭’ (୧,୯୫୭ ଫୁଟ୍) ପରି ନଭଶ୍ଚୁମ୍ଭୀ କୋଠା ଶୀର୍ଷକୁ ଚଢ଼ିସାରିଛନ୍ତି।
ସୌଜନ୍ୟ ସମ୍ବାଦ




