
ପୁରୀ:ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ର ମୁକ୍ତିଲାଭ ଉପରେ ରୋକ୍ ଲଗାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା, ପ୍ରକାଶନ ଓ ପ୍ରସାର ସବ୍କମିଟି’ର ଏକ ବିଶେଷ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ତାଙ୍କ ମତରେ, ଫିଲ୍ମଟି ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ମନଗଢ଼ା, ଯାହା ଶାସ୍ତ୍ରୀୟ ବର୍ଣ୍ଣନାର ବିରୋଧୀ।
ମହାପ୍ରଭୁଙ୍କୁ ନେଇ ଏଭଳି ବିକୃତ ତଥ୍ୟ କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ ବୋଲି ବୈଠକରେ ମତପ୍ରକାଶ ପାଇଛି। ମହାପ୍ରଭୁଙ୍କ ମହିମାର ପ୍ରଚାର କେବଳ ଶାସ୍ତ୍ରୀୟ ଧାରାରେ ହେବା ଉଚିତ ବୋଲି ଗଜପତି ମହାରାଜା ଦୃଢ଼ ମତ ଦେଇଛନ୍ତି।
ଫିଲ୍ମର ପ୍ରଯୋଜକ ବୈଠକରେ ଉପସ୍ଥିତ ଥିଲେ ଏବଂ ୧୫ ମିନିଟର ଏକ ଅଂଶ ଦେଖାଇଥିଲେ। ବର୍ତ୍ତମାନ ଏକ ୫ ଜଣିଆ ଡିଜିଟାଲ ସବ୍କମିଟି ଏହାକୁ ଯାଞ୍ଚ କରିବ ଏବଂ ସେମାନଙ୍କ ପରାମର୍ଶ ପରେ ଫିଲ୍ମ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଲଣ୍ଡନରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ ଗଜପତି ମହାରାଜା ଦୃଢ଼ ବିରୋଧ କରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗଜପତିଙ୍କ ନେତୃତ୍ୱରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ସବ୍କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
ସୌଜନ୍ୟ Prameya News7




