Mayurbhanj: ମୟୂରଭଞ୍ଜରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର: ଅଧା ସ୍କୁଲ୍ରେ ନାହିଁ ଶୌଚାଳୟ, ବିଦ୍ୟୁତ୍
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ସ୍ଥିତି ଚିନ୍ତାଜନକ। ଅଧା ସ୍କୁଲ୍ରେ ଶୌଚାଳୟ ଓ ଆଲୁଅ ବ୍ୟବସ୍ଥା ନାହିଁ। ଯେଉଁଠି ଶୌଚାଳୟ ଅଛି, ସେଠାରେ ପାଣିର ଅଭାବ। ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି।

ବାରିପଦା (ବଟକୃଷ୍ଣ ବିହାରୀ): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ସ୍ଥିତି ଚିନ୍ତାଜନକ। ଅଧା ସ୍କୁଲ୍ରେ ଶୌଚାଳୟ ଓ ଆଲୁଅ ବ୍ୟବସ୍ଥା ନାହିଁ। ଯେଉଁଠି ଶୌଚାଳୟ ଅଛି, ସେଠାରେ ପାଣିର ଅଭାବ। ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ମଧ୍ୟାହ୍ନଭୋଜନ ଓ ‘ଆସ ବିଦ୍ୟାଳୟ ଯିବା’ କାର୍ଯ୍ୟକ୍ରମ ମଧ୍ୟ ପିଲାଙ୍କୁ ସ୍କୁଲ୍ମୁହାଁ କରିବାରେ ସଫଳ ହୋଇପାରୁନାହିଁ। ଫଳରେ ବର୍ଷକୁ ବର୍ଷ ସ୍କୁଲରେ ପିଲାଙ୍କ ସଂଖ୍ୟା କମୁଛି।
ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨,୬୧୪ଟି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧,୧୭୫ଟି ଏବଂ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୨୯ଟି ନୋଡାଲ୍ ସ୍କୁଲ୍ ରହିଛି। ତେବେ ସେଥିମଧ୍ୟରୁ ଅଧା ସ୍କୁଲ୍ରେ ଶୌଚାଳୟ ନାହିଁ। ଅନେକ ସ୍କୁଲ୍ରେ ପାଣି ଅଭାବରୁ ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। କେଉଁଠି ପିଲାଙ୍କୁ ବାଲତିରେ ପାଣି ବୋହିବାକୁ ପଡ଼ୁଛି ତ ଆଉ କେଉଁଠି ଶୌଚ ପାଇଁ ପାଖ ବିଲ ଓ ପଡ଼ିଆକୁ ଯିବା ପାଇଁ ପଡ଼ୁଛି। ବିଶୋଇ, ଠାକୁରମୁଣ୍ଡା, ଜାମଦା, ତିରିଂ, ରାସଗୋବିନ୍ଦପୁର, କପ୍ତିପଦା ଓ ବାଙ୍ଗିରିପୋଷି ସମେତ ଅନେକ ବ୍ଲକ୍ରେ ଏହି ସମସ୍ୟା ଗମ୍ଭୀର। ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା ଓ ରକ୍ଷଣାବେକ୍ଷଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ। ଅନେକ ସ୍କୁଲ୍ରେ ଆଲୁଅ ବ୍ୟବସ୍ଥା ନଥିବା ସହ ଆବଶ୍ୟକ ଶିକ୍ଷକ ମଧ୍ୟ ନାହାନ୍ତି। ଯାହା ପିଲାଙ୍କ ପାଠପଢ଼ା ଓ ଉପସ୍ଥାନକୁ ପ୍ରଭାବିତ କରୁଛି।
ସୌଜନ୍ୟ ସମ୍ବାଦ




