MP High Court: ଅନୁମତି ବିନା ୨୪ ସପ୍ତାହର ଗର୍ଭବତୀ ହଟାଇପାରିବେ ଦୁଷ୍କର୍ମ ପୀଡ଼ିତା, ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ସୂଚନା
ଯଦି ପୀଡ଼ିତାଙ୍କ ଗର୍ଭାବସ୍ଥା ୨୦ ସପ୍ତାହ ପର୍ଯ୍ୟନ୍ତ ଥାଏ, ତେବେ ଜଣେ ପଞ୍ଜୀକୃତ ଚିକିତ୍ସକ ଏହାକୁ ହଟାଇ ପାରିବେ । ଯଦି ଗର୍ଭାବସ୍ଥା ୨୦ ସପ୍ତାହରୁ ଅଧିକ କିନ୍ତୁ ୨୪ ସପ୍ତାହରୁ କମ୍ ହୋଇଥାଏ, ତେବେ ଦୁଇଜଣ ପଞ୍ଜୀକୃତ ଡାକ୍ତରଙ୍କ ପରାମର୍ଶରେ ଏହା କରାଯାଇପାରିବ ।

ମଧ୍ୟପ୍ରଦେଶ, ୧୩।୮: ଦୁଷ୍କର୍ମ ପୀଡ଼ିତାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ରାୟ ପ୍ରକାଶ ପାଇଛି । ମଧ୍ୟପ୍ରଦେଶ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୁଷ୍କର୍ମ ମାମଲାରେ ପୀଡ଼ିତାମାନେ ବିନା କୌଣସି ଅନୁମତିରେ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଇପାରିବେ । ଏଥିପାଇଁ କୋର୍ଟଙ୍କ କୌଣସି ଅନୁମତି ନେବାର ଆବଶ୍ୟକତା ନାହିଁ । ଏକ ୧୬ ବର୍ଷୀୟ ନାବାଳିକାଙ୍କ ବାପାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ରିଟ୍ ଆବେଦନକୁ ଖାରଜ କରି ମଧ୍ୟପ୍ରଦେଶ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ବାପା ଜଣକ ତାଙ୍କ ଝିଅର ୧୮ ସପ୍ତାହର ଗର୍ଭାବସ୍ଥାକୁ ହଟାଇବା ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲେ । ମାମଲାର ଶୁଣାଣି କରି ଜଷ୍ଟିସ ସନ୍ଦୀପ ଏନ୍. ଭଟ୍ଟ କହିଛନ୍ତି ଯେ, ଦୁଷ୍କର୍ମ ମାମଲାରେ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ ପାଇଁ କୋର୍ଟକୁ ଯିବାର କୌଣସି ଆବଶ୍ୟକତା ନାହିଁ । ଏହା ‘ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗ୍ନାନ୍ସ ଆକ୍ଟ, ୧୯୭୧’ (MTP Act) ର ନିୟମ ଅନୁଯାୟୀ କରାଯାଇପାରିବ ।
କୋର୍ଟଙ୍କ ମୁଖ୍ୟ ନିର୍ଦ୍ଦେଶ ଓ ନିୟମ:
ଯଦି ପୀଡ଼ିତାଙ୍କ ଗର୍ଭାବସ୍ଥା ୨୦ ସପ୍ତାହ ପର୍ଯ୍ୟନ୍ତ ଥାଏ, ତେବେ ଜଣେ ପଞ୍ଜୀକୃତ ଚିକିତ୍ସକ ଏହାକୁ ହଟାଇ ପାରିବେ । ଯଦି ଗର୍ଭାବସ୍ଥା ୨୦ ସପ୍ତାହରୁ ଅଧିକ କିନ୍ତୁ ୨୪ ସପ୍ତାହରୁ କମ୍ ହୋଇଥାଏ, ତେବେ ଦୁଇଜଣ ପଞ୍ଜୀକୃତ ଡାକ୍ତରଙ୍କ ପରାମର୍ଶରେ ଏହା କରାଯାଇପାରିବ । ସମ୍ବିଧାନର ଧାରା-୨୨୬ ଅଧୀନରେ ଏଭଳି ମାମଲାରେ ହାଇକୋର୍ଟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କମିଶନରଙ୍କୁ ଏହି ସୂଚନା ସମସ୍ତ ସରକାରୀ ଡାକ୍ତରଖାନାରେ ପହଞ୍ଚାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯାହାଫଳରେ ଭବିଷ୍ୟତରେ ଏଭଳି ମାମଲାଗୁଡ଼ିକୁ ସହଜରେ ପରିଚାଳନା କରାଯାଇପାରିବ ।
ସୌଜନ୍ୟ ପ୍ରମେୟ




