ନୂଆଦିଲ୍ଲୀ: ବୁଧବାର ସକାଳେ ଦିଲ୍ଲୀରେ ଜଣେ ବରିଷ୍ଠ ଆଇଆର୍ଏସ୍ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ରାହୁଲ ମୀନା ଏହି ଅପରାଧକୁ କାର୍ଯ୍ୟକାରୀ କରିବା ପାଇଁ ପରିବାର ସମ୍ବନ୍ଧରେ ତା’ର ପୂର୍ବଜ୍ଞାନ ବ୍ୟବହାର କରିଥିଲା, କାରଣ ଏହି ଘରେ ସେ ପ୍ରାୟ ୮ ମାସ ଧରି ଘରୋଇ ଚାକର ଭାବେ କାର୍ଯ୍ୟ କରିଥିଲା।ମୀନା ମଙ୍ଗଳବାର ରାତିରେ ଅଲୱାରରେ ଜଣେ ବନ୍ଧୁଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲା, ଏକ ମୋବାଇଲ୍ ଫୋନ୍ ୧୦,୦୦୦ ଟଙ୍କାରେ ବିକ୍ରି କରି ୬,୦୦୦ ଟଙ୍କାରେ ଦିଲ୍ଲୀକୁ ଏକ କ୍ୟାବ୍ ଭଡ଼ାରେ ନେଇଥିଲା। ତା’ପରେ ସେ ଦକ୍ଷିଣ ଦିଲ୍ଲୀରେ ଥିବା ତା’ର ପୂର୍ବତନ ନିଯୁକ୍ତିଦାତା, ଜଣେ ବରିଷ୍ଠ ଆଇଆରଏସ୍ ଅଧିକାରୀଙ୍କ ଘରକୁ ଯାଇଥିଲା। ମୀନା ପରିବାରର ଦୈନନ୍ଦିନ କାର୍ଯ୍ୟ ସହିତ ପରିଚିତ ଥିଲା। ସେ ଜାଣିଥିଲା ଯେ ମହିଳାଙ୍କ ପିତାମାତା ସକାଳୁ ଜିମ୍ ପାଇଁ ବାହାରକୁ ଯିବେ, ସେମାନଙ୍କ ଝିଅକୁ ଏକୁଟିଆ ଘରେ ଛାଡ଼ି ଯିବେ। ପୂର୍ବରୁ ପ୍ରାୟ ଆଠ ମାସ ଧରି ଘରେ ଘରୋଇ ଚାକର ଭାବରେ କାର୍ଯ୍ୟ କରିଥିବା ୧୯ ବର୍ଷୀୟ ମୀନା ଏହା ମଧ୍ୟ ଜାଣିଥିଲା ଯେ ପରିବାର ଦୂରରେ ଥିବାବେଳେ ଘରର ଚାବି ଏକ ଜୋତା ରୢାକ୍ରେ ରଖାଯାଇଥାଏ।
ସିସିଟିଭି ଫୁଟେଜ୍ରେ ଦେଖାଯାଇଥିବା ଅନୁଯାୟୀ, ସେ ସକାଳ ପ୍ରାୟ ୬ଟା ୩୦ ସମୟରେ କଲୋନିରେ ପ୍ରବେଶ କରି ସିଧା ଝିଅର ଅଧ୍ୟୟନ କକ୍ଷକୁ ଯାଇଥିଲା, ଯାହା ଛାତ ଉପରେ ନିର୍ମିତ ଏକ ବଖରା ବିଶିଷ୍ଟ ଏକ କୋଠରି ଥିଲା। ୨୨ ବର୍ଷୀୟା ଆଇଆଇଟି ଗ୍ରାଜୁଏଟ୍ ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ (ୟୁପିଏସ୍ସି) ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମୀନା ତାଙ୍କ କୋଠରିରେ ପାଦ ଦେଇଥିଲା। ଯେତେବେଳେ ସେ ତାଙ୍କ ଉପସ୍ଥିତି ଉପରେ ପ୍ରଶ୍ନ କରିଥିଲେ, ମୀନା ଦାବି କରିଥିଲା: ମାଉସୀ ନେ ବୁଲାୟା ଥା କାମ ସେ (ମାଉସୀ ମୋତେ କିଛି କାମ ପାଇଁ ଡାକିଥିଲେ)। ଏହା ପରେ ମୀନା ଟଙ୍କା ମାଗିଥିଲା। ମନା କରିବା ପରେ ଦୁହିଁଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା, ଯାହା ଖୁବ୍ ଶୀଘ୍ର ହିଂସାତ୍ମକ ରୂପ ନେଇଥିଲା। ସେ ଝିଅକୁ ଏକ ଦୀପରେ ଆଘାତ ଦେଇଥିଲା, ଯାହାଫଳରେ ତାଙ୍କ ମୁହଁ ଓ ଶରୀରରେ ଆଘାତ ଲାଗିଥିଲା। ଏହାପରେ ଅଭିଯୁକ୍ତ ପୂର୍ବତନ ମାଲିକଙ୍କ ଝିଅକୁ ମୋବାଇଲ୍ ଚାର୍ଜିଂ କେବୁଲରେ ଗଳା ଚିପି ବେହୋସ୍ କରିଥିଲା ଓ ତା’ପରେ ଚେତାଶୂନ୍ୟ ଅବସ୍ଥାରେ ଦୁଷ୍କର୍ମ କରିଥିଲା।
ଅନଲାଇନ୍ ଗେମିଂ ନିଶା ପାଇଁ ପଡ଼ୋଶୀ ଘରୋଇ କର୍ମଚାରୀଙ୍କଠାରୁ ଋଣ ନେବା ପାଇଁ ଜଣାଶୁଣା ମୀନା ଘର ଲୁଟିବାକୁ ଯୋଜନା କରିଥିଲା। ତେବେ ଘରର ଲକର କେବଳ ଆଙ୍ଗୁଠି ଛାପ ବ୍ୟବହାର କରି ଖୋଲାଯାଇପାରେ। ତା’ପରେ ସେ ବେହୋସ୍ ବା ମୃତ ମହିଳାଙ୍କୁ ଅଧ୍ୟୟନ କକ୍ଷରୁ ପାହାଚ ତଳକୁ ଟାଣି ଆଣି ଲକର ରଖାଯାଇଥିବା କୋଠରିକୁ ନେଇଥିଲା। ସେ ମହିଳାଙ୍କ ରକ୍ତଭିଜା ଆଙ୍ଗୁଠିକୁ ବାୟୋମେଟ୍ରିକ୍ ସ୍କାନରରେ ଦବାଇଲା, କିନ୍ତୁ ତାହା ଖୋଲିଲା ନାହିଁ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସେତେବେଳକୁ ସମ୍ଭବତଃ ମହିଳାଙ୍କର ମୃତ୍ୟୁ ହୋଇସାରିଥିଲା, ଯେଉଁଥିପାଇଁ ବାୟୋମେଟ୍ରିକ୍ ସ୍କାନରରେ ତାଙ୍କ ଆଙ୍ଗୁଠି ଚିହ୍ନ ମିଳିପାରି ନ ଥିଲା। ଦେହରୁ ଅନେକ ରକ୍ତ ବହିଯାଇଥିବାରୁ କିମ୍ବା ଆଙ୍ଗୁଠିରେ ରକ୍ତ ଲାଗିଥିବାରୁ ହୁଏତ ଆଙ୍ଗୁଠି ଛାପ ମିଳିପାରି ନ ଥିବ ବୋଲି ପୁଲିସ କହିଛି।
ସୌଜନ୍ୟ ସମ୍ବାଦ

