ରାଜ୍ୟ

Naxals: ନକ୍ସଲମୁକ୍ତ ପରେ ୫୬ ଗାଁରେ ଫେରିଲା ଖୁସି: ୧୮ ବର୍ଷରେ ଦେଖିଛନ୍ତି ୧୧୪ଥର ଗୁଳିବର୍ଷଣ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ପ୍ରାୟ ୯୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ସରଣ୍ଡା ଜଙ୍ଗଲ ଥିଲା ନକ୍ସଲଙ୍କ ରାଜଧାନୀ। ଏଠାରେ ନକ୍ସଲ ସଂଗଠନର ପଲିଟି ବ୍ୟୁରୋ ସଦସ୍ୟ ମିସ୍‌ରି ବେସ୍‌ରା ଓ କେନ୍ଦ୍ରୀୟ କମିଟି ସଦସ୍ୟ ଅସିମ୍‌ ମଣ୍ଡଳ ଓରଫ ଆକାଶର ଥିଲା ଆଡ଼ାସ୍ଥଳ।

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ପ୍ରାୟ ୯୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ସରଣ୍ଡା ଜଙ୍ଗଲ ଥିଲା ନକ୍ସଲଙ୍କ ରାଜଧାନୀ। ଏଠାରେ ନକ୍ସଲ ସଂଗଠନର ପଲିଟି ବ୍ୟୁରୋ ସଦସ୍ୟ ମିସ୍‌ରି ବେସ୍‌ରା ଓ କେନ୍ଦ୍ରୀୟ କମିଟି ସଦସ୍ୟ ଅସିମ୍‌ ମଣ୍ଡଳ ଓରଫ ଆକାଶର ଥିଲା ଆଡ଼ାସ୍ଥଳ। ଯାହାଙ୍କ ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାର କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏଠାରେ ବଡ଼ ହିଂସାକାଣ୍ଡର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହେଉଥିଲା। ବିସ୍ଫୋରଣ, ଗୁଳିଗୋଳା ଶବ୍ଦରେ ଥରୁଥିଲା ଜଙ୍ଗଲ। ଗତ ୧୮ ବର୍ଷ ମଧ୍ୟରେ ଏହି ଗାଁଲୋକ ଦେଖିଛନ୍ତି ୧୧୪ ଥର ଗୁଳିବର୍ଷଣ। ଅନେକ ନିରୀହ ଗାଁ ଲୋକଙ୍କ ଜୀବନ ଯାଇଛି। ଯବାନ ଓ  ନକ୍ସଲ ଗୁଳିବିନିମୟରେ ୫୦ରୁ ଅଧିକ ଦୁର୍ଦ୍ଦାନ୍ତ ନକ୍ସଲ ନିହତ ହୋଇଛନ୍ତି।

୨୪ରୁ ଅଧିକ ଝାଡ଼ଖଣ୍ଡ ଜାଗୁଆର ଯବାନ ସହିଦ ହୋଇଛନ୍ତି। ଓଡ଼ିଶାର ସୁନ୍ଦରଗଡ଼ ପୁଲିସର ଭୂମିକା ମଧ୍ୟ କିଛି କମ୍‌ ନଥିଲା। ଅନେକ ଯବାନ ଗୁଳିବିନିମୟରେ ସହିଦ ହୋଇଛନ୍ତି। ୪୫୨ରୁ ଅଧିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ୨୦, ୭୮୨ କ୍ୟାଟ୍ରିଜ୍‌, ୨,୨୯୫ଆଇଇଡି ଜବତ ହୋଇଛି। ଭୟ ଓ ଆତଙ୍କର ବାତାବରଣ ଯୋଗୁଁ ସ୍ବାଧୀନତା ଓ ସାଧାରଣତନ୍ତ୍ର ଦିବସରେ ସରଣ୍ଡା ଜଙ୍ଗଲ ଚତୁଃପାର୍ଶ୍ବ ଅଧିକାଂଶ ସ୍କୁଲ, କଲେଜ ଓ ଅନୁଷ୍ଠାନରେ ଉଡ଼ିପାରୁନଥିଲା ଜାତୀୟ ପତାକା। ପିଲା ଆସୁଥିଲେ, ହେଲେ ବିଦ୍ୟାଳୟ‌ରେ ତାଲା। ବିକାଶ ହଜିଯାଇଥିଲା। ମିସ୍‌ରି ବେସରା ଗିରଫ ହେବା ପରେ ଗତ ୧୧ରେ ଝାଡ଼ଖଣ୍ଡ ସରକାର ସରଣ୍ଡାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରିଛନ୍ତି। ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପାର୍ଶ୍ବବର୍ତ୍ତୀ ୫୬ରୁ ଅଧିକ ଗାଁରେ ଫେରିଛି ଖୁସି। ସ୍ବାଧୀନତା ଦିବସରେ ଯେଉଁଠି ଉଡୁଥିଲା ନକ୍ସଲ ପତାକା, ସେଠି ଉଡ଼ିଛି ତ୍ରିରଙ୍ଗା। ଯେଉଁ ରାସ୍ତାରେ ଲୋକେ ଯିବାକୁ ଭୟ କରୁଥିଲେ, ଏବେ ତାହା ଚଳଚଞ୍ଚଳ। ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ପାନିଆସାଲ, ପିତାଲ, ଗୋଡ଼ବରୁ, କୁଲଗଯୋ, କୁଦାହୁଡାଙ୍ଗ, ବାସକୋନୋ ସମେତ ବିଶ୍ରା, କୁଆରମୁଣ୍ଡା, ଲାଠିକଟା, କୋଇଡ଼ା ଆଦି ବ୍ଲକ୍‌ର ୩୦ରୁ ଅଧିକ ଗାଁରେ ଖୁସିର ପରିବେଶ ଦେଖିବାକୁ ମିଳିଛି। କେବଳ ଓଡ଼ିଶା ନୁହେଁ ଝାଡ଼ଖଣ୍ଡ ସରଣ୍ଡା ପାର୍ଶ୍ବବର୍ତ୍ତୀ ଗାଁରେ ଥାଲକୋବାଦ୍‌, ମନୋହରପୁର, କରମପଡ଼ା, ସାସଙ୍ଗଡା, କିିରିବୁରୁ, ମେଘାହାତୁବୁରୁ, ତିର୍ଲିପୋଷ, ସମତା ଏମିତି ଅନେକ ଗାଁରେ ଭୟ ସମ୍ପୂର୍ଣ୍ଣ ଦୂର ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button