Nora: ମହତ୍ତ୍ବାକାଂକ୍ଷୀ ନୋରା

‘ସରକେ ଚୁନର’ ଆଇଟମ୍‌ ଗୀତ ପାଇଁ ସାମୟିକ ଭାବେ ବିବାଦରେ ଛନ୍ଦି ହୋଇଥିଲେ ହେଁ ନୋରା ଫତେହୀ ନିଜର ମହତ୍ତ୍ବାକାଂକ୍ଷାକୁ କ୍ଷୁଣ୍ଣ ହେବାକୁ ଦେଇ ନାହାନ୍ତି। ସେ ନିକଟରେ ଜାତୀୟ ମହିଳା କମିସନରେ ଫେରାଦ ହୋଇ ଉକ୍ତ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏହା ପରେ ସେ ଗୋଟିଏ ଦିନରେ ଦୁଇଟି ବଡ଼ କଥା ପ୍ରକାଶ କରିଛନ୍ତି। ପ୍ରଥମଟି ହେଲା ନୋରା ଏଥର ଫିଫା ବିଶ୍ବ କପ୍‌ର ଉଦ୍‌ଘାଟନ ଉତ୍ସବରେ ନୃତ୍ୟଗୀତ ପରିବେଷଣ କରିବେ। ଆସନ୍ତା ଜୁନ୍‌ ୧୨ ତାରିଖରେ କାନାଡାର ଟରଣ୍ଟୋରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫିଫା ହେଉଛି ଚାରି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଫୁଟ୍‌ବଲ୍‌ ବିଶ୍ବ କପ୍‌, ଯାହା ପୃଥିବୀର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଭାବେ ପରିଗଣିତ।

ଏଭଳି ଏକ ବିଶ୍ବ ମଞ୍ଚରେ ମାଇକେଲ୍‌ ବବ୍‌ଲ, ଆଲେସିଆ କାରା, ଆଲାନିସ୍‌ ମୋରିସେଟେ ପ୍ରମୁଖ କଳାକାରଙ୍କ ସହିତ ସେ କଳା ପ୍ରଦର୍ଶନ କରିବେ। ଏହି ଖବର ପାଇ ନୋରା ଖୁବ୍ ସମ୍ମାନିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ସ୍ମରଣଯୋଗ୍ୟ ଯେ ନୋରା ୨୦୨୨ ଫିଫା ବିଶ୍ବ କପ୍‌ର ଉଦ୍‌ଯାପନୀ ଉତ୍ସବରେ ମଧ୍ୟ ନୃତ୍ୟଗୀତ ପ୍ରଦର୍ଶନ କରିଥିଲେ। ଏବେ ଆସିବା ନୋରାଙ୍କ ମହତ୍ତ୍ବାକାଂକ୍ଷାକୁ ବଳ ଦେଉଥିବା ଦ୍ବିତୀୟ ଖବରକୁ। ୯ ତାରିଖରେ ନୋରାଙ୍କ ବହୁପ୍ରତୀକ୍ଷିତ ଗୀତ ‘ବଡ଼ି ରୋଲ୍‌’ ମୁକ୍ତିଲାଭ କରିଛି। ଏହି ଇଂରେଜୀ ଗୀତଟି ସେ ନିଜେ ଗାଇଛନ୍ତି ଏବଂ ସେଥିରେ ଆକର୍ଷଣୀୟ ନୃତ୍ୟ ମଧ୍ୟ କରିଛନ୍ତି। ଗୀତଟି ଅଧିକ ଭାଇରାଲ୍‌ ହେଉଛି କାରଣ ଏଥିରେ ୟୋ ୟୋ ହନି ସିଂହ ମଧ୍ୟ ରାପ୍‌ କରିଛନ୍ତି। ମୁକ୍ତିଲାଭର ୨୨ ଘଣ୍ଟା ମଧ୍ୟରେ ‘ବଡ଼ି ରୋଲ୍‌’ ଗୀତର ଭିଡିଓକୁ ଦଶ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି।

 

 

ସୌଜନ୍ୟ ସମ୍ବାଦ