ରାଜ୍ୟ

Odia swimmer : କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ, ଇଂଲିଶ୍‌ ଚ୍ୟାନେଲ୍‌ ଅତିକ୍ରମ କରିବାରେ ଦୀପକ ପ୍ରଥମ ଓଡ଼ିଆ ଦିବ୍ୟାଙ୍ଗ

ଭୁବନେଶ୍ୱର, ୧୦/୧୦ : କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ । ଏହା ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ଦିବ୍ୟାଙ୍ଗ ପାରା ସୁଇମର ଦୀପକ କୁମାର ନାୟକ । ସେ ଇଂଲିଶ ଚ୍ୟାନେଲ ଅତିକ୍ରମ କରି ରାଜ୍ୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ନୟାଗଡ଼ ଜିଲ୍ଲା ସୋଲପଟାରେ ଦୀପକଙ୍କ ଜନ୍ମ । ସେ ଜଣେ ଦିବ୍ୟାଙ୍ଗ । କ୍ରୀଡ଼ାରେ ତାଙ୍କର ପିଲା ଦିନରୁ ଆଗ୍ରହ ଥିଲା । ବିଶେଷ କରି ସେ ସନ୍ତରଣରେ ଧ୍ୟାନ ଦେଇଥିଲେ । ଶେଷରେ ଏହି ସନ୍ତରଣ ତାଙ୍କୁ ନୂଆ ପରିଚୟ ଦେଇଛି । ଇଂଲିଶ ଚ୍ୟାନେଲ ଅତିକ୍ରମ କରିବାରେ ଦୀପକ ହେଉଛନ୍ତି ଓଡ଼ିଶାର ପ୍ରଥମ ଦିବ୍ୟାଙ୍ଗ ପାରା ସୁଇମର । ମୈଥିଲୀ ଫାଉଣ୍ଡେସନ୍ ସୁଇମିଂ ଇଣ୍ଡିଆ ଦଳରେ ଦୀପକ ସାମିଲ ହୋଇ ୨୧ ଘଣ୍ଟା ୨୦ ମିନିଟ୍ରେ ପ୍ରାୟ ୫୮ କିଲୋମିଟର ସନ୍ତରଣ କରିଥିଲେ । ଇଂଲଣ୍ଡର ଡୋଭରରୁ ଫ୍ରାନ୍ସ ଉପକୂଳ ପର୍ଯ୍ୟନ୍ତ ଏହି ଦୁଃସାହସିକ ଯାତ୍ରା ସଫଳତାର ସହ ସମ୍ପୂର୍ଣ୍ଣ କରିବା ତାଙ୍କ ପାଇଁ ବେଶ ଆହ୍ୱାନପୂର୍ଣ୍ଣ ରହିଥିଲା । ଦୀପକଙ୍କର ଏହି ଅସାଧାରଣ ସଫଳତା, କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ।

ଦୀପକ କହିଛନ୍ତି, ‘ମଧ୍ୟ ପ୍ରଦେଶର ସତେନ୍ଦ୍ର ସିଂହ ଲୋହିଆଙ୍କ ବିଷୟରେ ପୂର୍ବରୁ ଜାଣିଥିଲି । ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଇଂଲିଶ ଚ୍ୟାଲେନ ଅତିକ୍ରମ କରିବାକୁ ସାହସ ବାନ୍ଧି ଥିଲି । ଦୀର୍ଘ ୬ ମାସ ଥରି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲି । ୩ ମାସରୁ ଊର୍ଦ୍ଧ୍ୱ ସମୟ ଘରେ ବରଫ ପାଣିରେ ବସି ରହୁଥିଲି । ଶେଷରେ ସ୍ୱାସ୍ଥ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମୈଥିଲୀ ଫାଉଣ୍ଡେସନ୍ ସୁଇମିଂ ଇଣ୍ଡିଆ ଦଳରେ ସ୍ଥାନ ପାଇଥିଲି । ଏହି ଦଳରେ ମୋ ସହ ସତେନ୍ଦ୍ର ସିଂହ ଲୋହିଆ, ରାଜସ୍ଥାନର ଝରଣା କୁମାୱତ, ମଧ୍ୟପ୍ରଦେଶର ରାମବରଣ ପାଲ୍ ଓ ହରିଆନାର କାମ୍ୟା ଭାରଦ୍ୱାଜ ରହିଥିଲେ ।‘ସେପ୍ଟେମ୍ବର ୨୪ ତାରିଖ ସକାଳ ୮ଟା ୫୮ ମିନିଟ୍ରେ ଇଂଲଣ୍ଡର ଡୋଭର/କାପେଲ-ଲେ- ଫର୍ନ ଉପକୂଳ ଅଞ୍ଚଳରୁ ଆମର ଦୁଃସାହସିକ ଯାତ୍ରା ଆରମ୍ଭ ହୋଇଥିଲା । ତହିଁ ପରଦିନ ଅର୍ଥାତ ୨୫ ତାରିଖ ସକାଳ ପ୍ରାୟ ୬ଟା ୧୮ ମିନିଟ୍ରେ ଫ୍ରାନ୍ସ ଉପକୂଳରେ ପହଞ୍ଚିଥିଲୁ । ଇଂଲିଶ୍ ଚ୍ୟାନେଲ୍ର ସିଧାସଳଖ ଦୂରତା ପ୍ରାୟ ୩୬ କିଲୋମିଟର ହୋଇଥିଲେ ମଧ୍ୟ ଜୁଆର ଓ ସମୁଦ୍ରର ସ୍ରୋତ ଯୋଗୁ ପ୍ରକୃତ ଦୂରତା ବୃଦ୍ଧି ପାଇ ପ୍ରାୟ ୫୮ କିଲୋମିଟର ହୋଇଥିଲା । ଯାହାବି ହେଉ ଶେଷରେ ଆମେ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲୁ ବୋଲି ସେ କହିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button