ରାଜ୍ୟ

Odisha Parab 2026 in Indonesia ଇଣ୍ଡୋନେସିଆର ସାନୁର ବେଳାଭୂମିରେ ବୋଇତ ବନ୍ଦାଣ ଉତ୍ସବ ଓ ପ୍ରବାସୀ ଭାରତୀୟ ସମ୍ମିଳନୀ

ଇଣ୍ଡୋନେସିଆର ବାଲିସ୍ଥିତ ସାନୁର ବେଳାଭୂମିରେ ଓଡ଼ିଶା ପରବ ୨୦୨୬ର ଦ୍ୱିତୀୟ ଦିନରେ ବୋଇତ ବନ୍ଦାଣ ଉତ୍ସବ ଓ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହୋଇଛି।

ବାଲି(ଇଣ୍ଡୋନେସିଆ)/ ଭୁବନେଶ୍ୱର: ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ‘ଓଡ଼ିଶା ପରବ ୨୦୨୬’ର ଦ୍ୱିତୀୟ ଦିନରେ ସାନୁର ବେଳାଭୂମିରେ ପାରମ୍ପରିକ ‘ବୋଇତ ବନ୍ଦାଣ’ ଉତ୍ସବ ଅନୁଷ୍ଠିତ‌ ହୋଇଯାଇଛି। ଏହିଅବସରରେ କଟକର ବାଲିଯାତ୍ରା ସହ ଏକ ସମୟରେ ରାଷ୍ଟ୍ରପତିଙ୍କ ଦ୍ୱାରା ବାଲିରେ ‘ଓଡ଼ିଶା ପରବ’ର ଉଦ୍‌ଘାଟନ ଓ ‘ପ୍ରବାସୀ ଭାରତୀୟ ସମ୍ମିଳନୀ’ ଆୟୋଜିତ ହୋଇଛି।

ପ୍ରାଚୀନ କଳିଙ୍ଗର ଐତିହାସିକ ନୌବାଣିଜ୍ୟ ଯାତ୍ରାକୁ ସ୍ମରଣ କରି ସାନୁର ବେଳାଭୂମିରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ସହ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଇଣ୍ଡୋନେସିଆର  ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଏହି ଅବସରରେ, ପାରାଦୀପ ବନ୍ଦରରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଭାସୀ ମାଧ୍ୟମରେ ବାର୍ତ୍ତାଳାପ ଅନୁଷ୍ଠିତ‌ ହୋଇଥିଲା। ଅପରାହ୍‌ଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକର ପ୍ରସିଦ୍ଧ ବାଲିଯାତ୍ରା ସହ ଆଭାସୀ ମାଧ୍ୟମରେ ବାଲିଠାରେ ‘ଓଡ଼ିଶା ପରବ’ର ଶୁଭ ଉଦ୍‌ଘାଟନ କରିଥିଲେ। ଦି ମେରୁ ସାନୁର’ ସ୍ଥିତ ବାଲି ବିଚ୍ କନଭେନସନ୍ ସେଣ୍ଟରରେ ଓଡ଼ିଶା, ଇଣ୍ଡୋନେସିଆ ଏବଂ ଭାରତୀୟ କୂଟନୈତିକ ସମୁଦାୟର ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ‘ଓଡ଼ିଶା ପରବ’ର ଭବ୍ୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଉଦ୍‌ଘାଟନୀ ଉତ୍ସବରେ ଜାକର୍ତ୍ତାସ୍ଥିତ ଭାରତୀୟ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ ବିଜୟ ସେଲଭାରାଜ , ବାଲି ପ୍ରଦେଶ ଆଞ୍ଚଳିକ ସଚିବାଳୟର ଅର୍ଥନୈତିକ ବ୍ୟାପାର ଓ ବିକାଶ ସହାୟକ ଡ ଲୁହ ଆୟୁ ଆର୍ଯ୍ୟାନୀ ଏବଂ ଡିପିଡି ଆରଆଇ (DPD RI)ର ସିନେଟର ଡ ଆଇ ଗୁସ୍ତି ଆର୍ଯ୍ୟ ୱେଦାକର୍ଣ୍ଣଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ।

ପ୍ରବାସୀ ଭାରତୀୟ ସମ୍ମିଳନୀରେ ଭାରତୀୟ ସମୁଦାୟର ସଦସ୍ୟ, ବିଶେଷ କରି ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟ ତଥା ଓଡ଼ିଆଙ୍କ ସମେତ ଉଭୟ ଦେଶର ବିଶିଷ୍ଟ ଅତିଥି ଓ ପ୍ରତିନିଧିମାନେ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମରେ ଇଣ୍ଡୋନେସିଆ ଓଡ଼ିଆ ସମାଜର ସଭାପତି ବଦ୍ରି ରଥ ଏବଂ କୋର୍ କମିଟି ସଦସ୍ୟା ଶୁଭଶ୍ରୀ ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ପ୍ରତିନିଧିମାନେ ଯୋଗଦାନ କରିଥିଲେ। ତେଙ୍ଗାନାନ୍ ପେଗ୍ରିଙ୍ଗସିଙ୍ଗାନର ବାଲି ଆଗା ସାଂସ୍କୃତିକ ସଂରକ୍ଷକ ନ୍ୟୋମାନ୍ ସାଦ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଉପସ୍ଥାପନା ବାଲିର ସ୍ୱତନ୍ତ୍ର ସାଂସ୍କୃତିକ ପରମ୍ପରା ବିଷୟରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲା।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button