OMC: ସଚିବାଳୟ ହାତକୁ ଯିବ ଓଏମ୍ସି କୋଠା: ବିଧାନସଭାରେ ବସିବା ସିଟ୍ ବଢ଼ିବ
ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ଖଣି ନିଗମ (ଓଏମ୍ସି)ର କାର୍ଯ୍ୟାଳୟ କୋଠା ଓଡ଼ିଶା ବିଧାନସଭା ସଚିବାଳୟକୁ ହସ୍ତାନ୍ତର କରିବା ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି। ବିଧାନସଭାକୁ ଲାଗିଥିବା ଓଏମ୍ସି କୋଠାକୁ ଏହାର ନିକଟରେ ଥିବା ସଚିବାଳୟକୁ ପ୍ରଦାନ କରାଯିବ।

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ଖଣି ନିଗମ (ଓଏମ୍ସି)ର କାର୍ଯ୍ୟାଳୟ କୋଠା ଓଡ଼ିଶା ବିଧାନସଭା ସଚିବାଳୟକୁ ହସ୍ତାନ୍ତର କରିବା ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି। ବିଧାନସଭାକୁ ଲାଗିଥିବା ଓଏମ୍ସି କୋଠାକୁ ଏହାର ନିକଟରେ ଥିବା ସଚିବାଳୟକୁ ପ୍ରଦାନ କରାଯିବ। ସେହି କୋଠାକୁ ସଚିବାଳୟ ତରଫରୁ ଅତିିରିକ୍ତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ। ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା କରାଯାଇଛି।
ଓଏମ୍ସିର ନୂଆ କାର୍ଯ୍ୟାଳୟକୁ ଜୟଦେବ ବିହାର ନିକଟସ୍ଥ ଜାତୀୟ ରାଜପଥ-୧୬ ପାର୍ଶ୍ବରେ ନିର୍ମାଣ କରାଯାଉଛି। ୨୦୨୩ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା।ତାହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ପ୍ରାୟ ୧୨ ଲକ୍ଷ ବର୍ଗଫୁଟର ଏହି ପ୍ରକଳ୍ପର ନାମ ଓଏମ୍ସି ଟାୱାର ରଖାଯାଇଛି। ସେଥିରେ କାର୍ଯ୍ୟାଳୟ ସ୍ଥାନ ସହିତ ଏକ ଖଣି ସଂଗ୍ରହାଳୟ, ଏକ ଅଡିଟୋରିୟମ୍, ଏକ ଫୁଡ୍କୋର୍ଟ ଓ ସବୁଜ ଟେରେସ୍ ରହିବ। ଆଶା କରାଯାଉଛି ଯେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବର୍ତ୍ତମାନ ଓଏମ୍ସି କାର୍ଯ୍ୟାଳୟ ସେହି ସ୍ଥାନକୁ ଉଠିଯିବ। ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ବିଧାନସଭାର ଥିବା ପୁରୁଣା କୋଠାର ନବୀକରଣ ଓ ସେଥିରେ ଆବଶ୍ୟକ ପରିବର୍ତ୍ତନ କରି ବସିବା ପାଇଁ ସିଟ୍ସଂଖ୍ୟା ବଢ଼ାଇବାକୁ ମଧ୍ୟ ସରକାର ଚାହୁଛନ୍ତି। ବିଧାନସଭା ନିର୍ବାଚନମଣ୍ଡଳୀର ଡିଲିମିଟେସନ୍ ପ୍ରସ୍ତାବକୁ ଦୃଷ୍ଟିରେ ରଖ ସିଟ୍ ସଂଖ୍ୟା ବୃଦ୍ଧି କରାଯାଉଛି। ତେବେ ଏହି ବହୁ ବର୍ଷ ପୁରୁଣା କୋଠାର ସ୍ଥାପତ୍ୟ ଐତିହ୍ୟ ଓ ଢାଞ୍ଚାକୁ ସଂରକ୍ଷିତ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ମଧ୍ୟ ୩୬୨୩ କୋଟି ଟଙ୍କା ନିବେଶରେ ନୂଆ ବିଧାନସଭା କୋଠା ନିର୍ମାଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାହାର ଶିଳାନ୍ୟାସ କରିଥିଲେ। ସେଥିରେ ବସିବା ପାଇଁ ୩୦୦ଟି ସିଟ୍ର ବ୍ୟବସ୍ଥା ରହିବ। ବର୍ତ୍ତମାନ ଥିବା ବିଧାନସଭା କୋଠାର ସିଟ୍ କ୍ଷମତା ୧୪୭ ରହିଛି। ଡିଲିମିଟେସନ୍ ପରେ ବିଧାନସଭା ସିଟ୍ ସଂଖ୍ୟା ୨୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତିନିଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଯୋଜନା ରଖିଛନ୍ତି।
ସୌଜନ୍ୟ ସମ୍ବାଦ




