ଦେଶ ବିଦେଶ

Trump Warns: ନେତାନ୍ୟାହୁଙ୍କୁ ‘ପାଗଳ’ କହି ବର୍ଷିଲେ ଟ୍ରମ୍ପ, ଫୋନ୍ କଲରେ ଗାଳିଗୁଲଜ ସହ ଦେଲେ କଡ଼ା ଚେତାବନୀ

ୱାଶିଂଟନ/ତେଲ୍ ଆଭିଭ୍: ଲେବାନନରେ ଇସ୍ରାଏଲ୍ ପକ୍ଷରୁ ଚାଲିଥିବା ପ୍ରତିଶୋଧମୂଳକ ସେନା ଅପରେସନ ଏବଂ ବେରୁତ ଉପରେ ହୋଇଥିବା ବ୍ୟାପକ ଏୟାରଷ୍ଟ୍ରାଇକକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ତିକ୍ତତା ପ୍ରକାଶ ପାଇଛି। ଏକ ଗୁପ୍ତ ଫୋନ୍ କଲ୍ ସମୟରେ ଟ୍ରମ୍ପ ଅତ୍ୟନ୍ତ ଉତକ୍ଷିପ୍ତ ହୋଇ ନେତାନ୍ୟାହୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତୀବ୍ର ଭର୍ତ୍ସନା କରିଥିବା ଆକ୍ସିଓସ୍ ରିପୋର୍ଟରୁ ଜଣାପଡ଼ିଛି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ନେତନ୍ୟାହୁ ନିଜର ଏହି ଦାୟିତ୍ୱହୀନ କାର୍ଯ୍ୟକଳାପ ଯୋଗୁଁ ଇସ୍ରାଏଲକୁ ବିଶ୍ୱ ସ୍ତରରେ ସମ୍ପୂର୍ଣ୍ଣ ଏକଘରକିଆ କରୁଛନ୍ତି ଏବଂ ଇରାନ ସହିତ ୱାଶିଂଟନ ଚଳାଇଥିବା ସମ୍ବେଦନଶୀଳ କୂଟନୈତିକ ଆଲୋଚନାକୁ ବିପଦରେ ପକାଉଛନ୍ତି। ଉତ୍ତ୍ୟକ୍ତ ଟ୍ରମ୍ପ ଫୋନରେ ଚିତ୍କାର କରି କହିଥିଲେ, ତୁମେ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଛ, ଯଦି ମୁଁ ନଥାନ୍ତି ତେବେ ତୁମେ ଏବେ ଜେଲରେ ଥାଆନ୍ତ। ମୁଁ ତୁମକୁ ସୁରକ୍ଷା ଦେଇ ଆସୁଛି, କିନ୍ତୁ ଏବେ ଏହି ଆକ୍ରମଣ ଯୋଗୁଁ ସମସ୍ତେ ତୁମକୁ ଓ ଇସ୍ରାଏଲକୁ ଘୃଣା କରୁଛନ୍ତି।

ନିୟନ୍ତ୍ରିତ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ

ବାସ୍ତବରେ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଏବଂ ନେତାନ୍ୟାହୁଙ୍କ ନିର୍ଦ୍ଦେଶରେ ବେରୁତର ହିଜବୁଲ୍ଲା ନିୟନ୍ତ୍ରିତ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରାଯିବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ହିଜବୁଲ୍ଲାକୁ ସମର୍ଥନ କରୁଥିବା ଇରାନ ଚେତାବନୀ ଦେଇଥିଲା ଯେ, ଯଦି ଇସ୍ରାଏଲ ନିଜର ଆକ୍ରମଣ ବନ୍ଦ ନକରେ, ତେବେ ଆମେରିକା ସହ ଚାଲିଥିବା ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିବ। ଟ୍ରମ୍ପ ଲେବାନନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ହେଜବୁଲ୍ଲା କମାଣ୍ଡରମାନଙ୍କୁ ଟାର୍ଗେଟ କରି କରାଯାଉଥିବା ଅତିରିକ୍ତ ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତେବେ ଟ୍ରମ୍ପଙ୍କ ଏହି କଡ଼ା ଚେତାବନୀର ତତ୍କାଳ ପ୍ରଭାବ ଦେଖିବାକୁ ମିଳିଛି ଏବଂ ବେରୁତ ଅଭିମୁଖେ ଯାଉଥିବା ଇସ୍ରାଏଲୀ ସୈନ୍ୟଙ୍କୁ ପଛକୁ ଫେରାଇ ଅଣାଯାଇଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ”ଟ୍ରୁଥ୍ ସୋସିଆଲ”ରେ ଲେଖିଛନ୍ତି ଯେ, ନେତନ୍ୟାହୁଙ୍କ ସହ ତାଙ୍କର ସଫଳ ଆଲୋଚନା ହୋଇଛି ଏବଂ ବେରୁତକୁ କୌଣସି ସୈନ୍ୟ ଯିବେ ନାହିଁ, ଏଥିସହ ମଧ୍ୟସ୍ଥିଙ୍କ ଜରିଆରେ ହିଜବୁଲ୍ଲା ମଧ୍ୟ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛି ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button