କେନ୍ଦ୍ରାପଡ଼ା/ଡେରାବିଶ/କଟକ: ଆମ୍ବୁଲାନ୍ସରୁ ତେଲ ସରିଗଲା। ଅକ୍ସିଜେନ୍ ସିଲିଣ୍ଡର୍ ବି ଖାଲି ହୋଇଗଲା। ଅଧାରାସ୍ତାରେ ଚାଲିଗଲା ଗୁରୁତର ରୋଗୀଙ୍କ ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଚାଟରାଚକଡ଼ା ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ପ୍ରକାଶ କାଣ୍ତି (୩୫)ଙ୍କର ଅକାଳରେ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ ପାଇଛି।
ଗୋବିନ୍ଦପୁର ଗ୍ରାମର ବୈଷ୍ଣବ କାଣ୍ତିଙ୍କ ପୁଅ ପ୍ରକାଶ ଘରୋଇ କଳହକୁ କେନ୍ଦ୍ର କରି ଗୁରୁବାର ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ଛତା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବ˚ ପରେ ଜିଲ୍ଲା ହସ୍ପିଟାଲ୍କୁ ପଠାଯାଇଥିଲା। ସେଠାରୁ ଡାକ୍ତର କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରିଥିଲେ। ଗୁରୁବାର ରାତିରେ ପ୍ରକାଶଙ୍କ ଚିକିତ୍ସା ବଡ଼ ମେଡିକାଲ୍ରେ ହୋଇଥିଲା। ମାତ୍ର ଅବସ୍ଥା ସ˚କଟାପନ୍ନ ହେଉଥିବାରୁ ଆଇସିୟୁର ଆବଶ୍ୟକତା ଯୋଗୁଁ ବଡ଼ଭାଇ ବିଭୂତି କାଣ୍ତି ଓ ଭାଉଜ ଝରଣା ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ନେଉଥିଲେ। ଆଜି ଦିନ ଗୋଟାଏ ବେଳେ କଟକରୁ ଗୁରୁତର ପ୍ରକାଶଙ୍କୁ ଭୁବନେଶ୍ବର ନିଆଯାଉଥିବା ବେଳେ କାଠଯୋଡ଼ି ପୋଲ ଉପରେ ତେଲ ସରିଯିବାରୁ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଅକ୍ସିଜେନ୍ ଚାଲିନଥିଲା।
ଶ୍ମଶାନରୁ ବ୍ୟବଚ୍ଛେଦ ପାଇଁ ଗଲା ଶବ
ଫଳରେ କାଠଯୋଡ଼ି ପୋଲ ଉପରେ ହିଁ ପ୍ରକାଶ ଆଖି ବୁଜିଦେଲେ ବୋଲି ବଡ଼ଭାଇ ବିଭୂତି କହିଛନ୍ତି। ସେଠାରୁ ପ୍ରକାଶଙ୍କ ଶବ ସିଧା ଗାଁ ଶ୍ମଶାନକୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଅଣାଯାଇଥିଲା। ଶ୍ମଶାନରେ ଶେଷକୃତ୍ୟ ସ˚ପନ୍ନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅଚାନକ ମହୁମାଛି ଆକ୍ରମଣ ଫଳରେ ଅନ୍ତ୍ୟେଷ୍ଟିକ୍ରିୟାରେ ବାଧା ଉପୁଜିଥିଲା। ଏହା ଭିତରେ ବ୍ୟବଚ୍ଛେଦ ନ କରି ଶବଦାହକୁ ବିରୋଧ କରାଯିବା ପରେ ପୁନଶ୍ଚ ଶ୍ମଶାନରୁ ପ୍ରକାଶଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲ୍କୁ ଅଣାଯାଇଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ଶେଷକୃତ୍ୟ ସ˚ପନ୍ନ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପଟେ ସଦର ଥାନା ଆଇଆଇସି ତୁଷାର ସେଠୀ କହିଛନ୍ତି, ଆମ୍ବୁଲାନ୍ସରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ପୁଲିସ ସହାୟତାରେ ଆମ୍ବୁଲାନ୍ସକୁ ଚାଉଳିଆଗଞ୍ଜର ନୂଆବଜାରରେ ଥିବା ଏକ ଗ୍ୟାରେଜ୍କୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ରୋଗୀଙ୍କୁ ଭୁବନେଶ୍ବର ଏକ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଶ୍ରୀ ସେଠୀ କହିଛନ୍ତି।
ସୌଜନ୍ୟ ସମ୍ବାଦ