ଜାତୀୟ

President’s ‘At Home’ Invitation: ରାଷ୍ଟ୍ରପତିଙ୍କ ‘ଆଟ୍ ହୋମ୍’ ନିମନ୍ତ୍ରଣ, ୩ ମାସରେ ତିଆରି ହେଲା ସ୍ୱତନ୍ତ୍ର କାର୍ଡ

ନୂଆଦିଲ୍ଲୀ ୧୦/୦୮: ସ୍ୱାଧୀନତା ଦିବସରେ ଭାରତର ମହାମହିମ ରାଷ୍ଟ୍ରପତି ପ୍ରତିବର୍ଷ ‘ଆଟ୍ ହୋମ୍’ ରିସେପସନ୍ ଦେବାର ପରମ୍ପରା ରହିଛି । ଚଳିତବର୍ଷର ‘ଆଟ୍ ହୋମ୍’ ଡିନର ଲାଗି ଯେଉଁ ନିମନ୍ତ୍ରଣପତ୍ର ବନାଯାଇଛି ତାକୁ ୧୩୦ ଜଣ କାରିଗରଙ୍କ ଟିମ୍ ୩ ମାସର ଉଦ୍ୟମ ପରେ ପ୍ରସ୍ତୁତ କରିଛନ୍ତି । ଏହି ନିମନ୍ତ୍ରଣ କାର୍ଡରେ ଛତିଶଗଡ଼, ଗୋଆ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ସମୃଦ୍ଧ କଳା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ ହୋଇଛି । ରାଷ୍ଟ୍ରପତି ଭବନର ଅଧିକାରୀ ଏବଂ ଅହମ୍ମଦାବାଦର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍(ଏନ୍‌ଆଇଡି)ର ଟିମ୍ ମିଶି ଏହି କିଟ୍‌ର ଡିଜାଇନ୍ କରିଥିଲେ । ଏନ୍‌ଆଇଡି ନିର୍ଦ୍ଦେଶକ ଅଶୋକ ମଣ୍ଡଳଙ୍କ ଅନୁସାରେ, କିଟ୍‌କୁ ପ୍ରସ୍ତୁତ କରିଥିବା ଲୋକଙ୍କ ଟିମ୍‌ରେ ଏକଦା ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଛତିଶଗଡ଼ ବସ୍ତର ଅଞ୍ଚଳର ପ୍ରାୟ ୫୦ ଜଣ କାରିଗର ସାମିଲ । ନିମନ୍ତ୍ରଣ କିଟ୍‌ରେ ଛତିଶଗଡ଼ର ଢୋକରା କାଷ୍ଟିଂକୁ ସାମିଲ କରାଯାଇଛି । ଏହା ଦେଶର ସର୍ବପୁରାତନ ଧାତୁ ଢଳେଇ ପରମ୍ପରା ମଧ୍ୟରୁ ଅନ୍ୟତମ । ଲୁହାରୁ ପ୍ରସ୍ତୁତ ହେଉଥିବା ରାଜ୍ୟର ପିଟୱା ଶିଳ୍ପକୁ ମଧ୍ୟ କିଟ୍‌ରେ ସାମିଲ କରାଯାଇଛି । ଡିସ୍‌ପ୍ଲେ ଫ୍ରେମ ଏବଂ ଘଣ୍ଟି ବନାଇବା ଲାଗି ଏହାକୁ ବ୍ୟବହାର କରାଯାଏ ।

ନିମନ୍ତ୍ରଣ ପତ୍ରରେ ସ୍ଥାନିତ ଆଜୁଲେଜୋ ଟାଇଲ ଚିତ୍ରକଳାରେ ଗୋଆର ‘ଖାଜାନ’ ଭୂମିକୁ ଦର୍ଶାଯାଇଛି । ଏହା ହେଉଛି ଉପକୂଳବର୍ତ୍ତୀ ଆର୍ଦ୍ରଭୂମି ଯାହାକି ସ୍ଥାନୀୟ ବାସିନ୍ଦାଙ୍କୁ ଧାନ ଚାଷ, ମାଛ ଧରିବା ଏବଂ ଲୁଣ ଉତ୍ପାଦନ ଲାଗି ସହାୟତା କରିଥାଏ । ସେହିପରି ୱର୍ଲି ଚିତ୍ରକଳାରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଖାମ ନଦୀକୁ ପୁଣି ଜୀବନ୍ତ କରାଯିବା ପ୍ରଦର୍ଶିତ ହୋଇଛି । ଭୀଲ୍ ଚିତ୍ର ଜରିଆରେ ମଧ୍ୟପ୍ରଦେଶରେ ବିହନ ବଞ୍ଚାଯିବାର ପରମ୍ପରାକୁ ଦର୍ଶାଯାଇଛି । ଏହି ଆଦିବାସୀ କଳାରେ ପ୍ରକୃତି, ପୌରାଣିକ ଚରିତ୍ର ଏବଂ ଦୈନିନ୍ଦିନର ଜୀବନକୁ ଉପସ୍ଥାପନ ଲାଗି ବିନ୍ଦୁଗୁଡି଼କର ଜଟିଳ ପାଟର୍ନ ବନାଯାଇଥାଏ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button