ରାଜ୍ୟ

Rail service for Kandhamal: କନ୍ଧମାଳକୁ ରେଳ ସେବା ସ୍ବପ୍ନ

କନ୍ଧମାଳକୁ ରେଳ ସଂଯୋଗ ନେଇ ସରକାର ଦେଖାଇଥିବା ସ୍ବପ୍ନ ଓ ବାସ୍ତବ ଚିତ୍ର ଅଲଗା। ସରକାର କେତେବେଳେ ଗୋପାଳପୁର-ରେଢ଼ାଖୋଲ ଭାୟା ଫୁଲବାଣୀ କଥା କହୁଛନ୍ତି ତ କେତେବେଳେ ଖୋର୍ଦ୍ଧା-ବଲାଙ୍ଗୀର ଲିଙ୍କ୍‌ ଲାଇନ କଥା କହୁଛନ୍ତି।

ଫୁଲବାଣୀ: କନ୍ଧମାଳକୁ ରେଳ ସଂଯୋଗ ନେଇ ସରକାର ଦେଖାଇଥିବା ସ୍ବପ୍ନ ଓ ବାସ୍ତବ ଚିତ୍ର ଅଲଗା। ସରକାର କେତେବେଳେ ଗୋପାଳପୁର-ରେଢ଼ାଖୋଲ ଭାୟା ଫୁଲବାଣୀ କଥା କହୁଛନ୍ତି ତ କେତେବେଳେ ଖୋର୍ଦ୍ଧା-ବଲାଙ୍ଗୀର ଲିଙ୍କ୍‌ ଲାଇନ କଥା କହୁଛନ୍ତି। ପୁଣି କେତେବେଳେ ତାଳଚେର-ଲାଞ୍ଜିଗଡ଼ ଭାୟା ଫୁଲବାଣୀ ପ୍ରକଳ୍ପ କଥା କୁହାଯାଉଛି। ହେଲେ ଏ ସମସ୍ତ ପ୍ରକଳ୍ପର ଭାଗ୍ୟ ଯେମିତି ଚକ୍ରବ୍ୟୁହରେ ଫସିଛି। ଗୋପାଳପୁର-ରେଢ଼ାଖୋଲ ଭାୟା ଫୁଲବାଣୀ ରେଳ ପ୍ରକଳ୍ପ ଏବେ ପ୍ରହେଳିକା ପାଲଟିଛି। ଏହି ପ୍ରକଳ୍ପର ଚୂଡ଼ାନ୍ତ ଡିପିଆର୍‌ (ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏହି ଡିପିଆର୍‌କୁ ଅଟକାଇ ରଖିଛି ବୋଲି କୁହାଯାଉଛି। ଏହି ପ୍ରକଳ୍ପର ପ୍ରାଥମିକ ସର୍ଭେରେ ଫୁଲବାଣୀ ସାମିଲ ଥିଲା। ପରେ କିନ୍ତୁ ସଂଶୋଧିତ ସର୍ଭେରେ ଫୁଲବାଣୀ ବାଦ୍‌ ପଡ଼ିବାରୁ ଜନଅସନ୍ତୋଷ ଉଗ୍ର ହୋଇଥିଲା। ଶେଷରେ ଏହି ପ୍ରକଳ୍ପରେ ଫୁଲବାଣୀକୁ ପୁଣି ସାମିଲ କରାଯାଇଥିଲା।

ପ୍ରସ୍ତାବିତ ତାଳଚେର-ଲାଞ୍ଜିଗଡ଼ ଭାୟା ଫୁଲବାଣୀ ରେଳ ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ଏହା ଅନୁଗୁଳ ଜିଲ୍ଲାର ତାଳଚେର ଖଣି ଓ ଶିଳ୍ପାଞ୍ଚଳ ସହ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଶିଳ୍ପାଞ୍ଚଳକୁ ଯୋଡ଼ିପାରିବ। ଏହି ରେଳ ଲାଇନ୍‌ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା ଆଦି ଅଞ୍ଚଳ ଦେଇ ଯିବ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି। ଅନୁଗୁଳ ଜିଲ୍ଲାର ତାଳଚେର ଶିଳ୍ପାଞ୍ଚଳରୁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଶିଳ୍ପାଞ୍ଚଳ ମଧ୍ୟରେ ରେଳ ପ୍ରକଳ୍ପ ପାଇଁ ଗତ ୨୦୧୫-୧୬ ମସିହାରେ ରେଳବାଇ ବୋ‌ର୍ଡ ପକ୍ଷରୁ ଏକ ଆର୍‌ଇଟି ଓ ପିଇଟି ସର୍ଭେ କରାଯାଇଥିଲା। ଏବେ ଏହି ପ୍ରକଳ୍ପ ଶୀତଳଭଣ୍ଡାରରେ। ଏହି ରେଳପ୍ରକଳ୍ପ ଦେଇ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା, ଫୁଲବାଣୀ, ଫିରିଙ୍ଗିଆ, କ.ନୂଆଗାଁ, ବାଲିଗୁଡ଼ା ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କନ୍ଧମାଳ ଜିଲ୍ଲାର ଶତକଡ଼ା ଅଶୀ ଭାଗ ଅଞ୍ଚଳକୁ ରେଳଧାରଣା ସଂଯୁକ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ରାଜନୈତିକ ଇଛାଶକ୍ତିର ଅଭାବ କାରଣରୁ ଏହି ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଯେମିତି ଆଗେଇବା କଥା ଆଗେଇ ପାରିନି। ସେହିଭଳି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଚାରିଛକ ନିକଟରୁ ଏକ ସଂଯୁକ୍ତ ଲାଇନ୍‌ ଫୁଲବାଣୀ ପର୍ଯ୍ୟନ୍ତ ଦିଆଯିବା ନେଇ ସର୍ଭେ କାର୍ଯ୍ୟ ସରିଛି। କିନ୍ତୁ ଏହାର ବାସ୍ତବତା ନେଇ ଏବେ ବି ଫୁଲବାଣୀବାସୀ ଦ୍ବନ୍ଦ୍ବରେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button