Rice: ଚାଉଳ ଗ୍ରହଣ ବନ୍ଦ କରିଦେଇଛନ୍ତି: ୧୦.୧୫ ଲକ୍ଷ ଟନ୍ କ୍ରୟ ପରେ ବନ୍ଦ
ଚାଉଳ ଗ୍ରହଣ ବନ୍ଦ କରିଦେଇଛି ରାଜ୍ୟ ଖାଦ୍ୟଶସ୍ୟ ଭଣ୍ଡାର। ଚଳିତ ବର୍ଷ ଆବଶ୍ୟକତା ଅନୁସାରେ, ଯୋଗାଣ ନିଗମ ଚାଉଳ କ୍ରୟ କରିସାରିଥିବାରୁ ଆଉ ଚାଉଳ ଗ୍ରହଣ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ଯୋଗାଣ ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବଲପୁର (ଗାର୍ଗୀ ଶତପଥୀ): ଚାଉଳ ଗ୍ରହଣ ବନ୍ଦ କରିଦେଇଛି ରାଜ୍ୟ ଖାଦ୍ୟଶସ୍ୟ ଭଣ୍ଡାର। ଚଳିତ ବର୍ଷ ଆବଶ୍ୟକତା ଅନୁସାରେ, ଯୋଗାଣ ନିଗମ ଚାଉଳ କ୍ରୟ କରିସାରିଥିବାରୁ ଆଉ ଚାଉଳ ଗ୍ରହଣ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ଯୋଗାଣ ନିଗମ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଏହାକୁ ବିଶ୍ବାସ କରାଯାଇ ପାରୁ ନାହିଁ। ଏତେ ବଡ଼ ନିଷ୍ପତ୍ତି ପରେ ରାଜ୍ୟ ଯୋଗାଣ ନିଗମ ମଧ୍ୟ ଏହାକୁ ନେଇ ଅହରହ ବୈଠକ କରୁଛି। ଆବଶ୍ୟକ କ୍ଷେତ୍ରରେ ଏହାକୁ ବାତିଲ କରିବା ପାଇଁ ମଧ୍ୟ କିଛି ଅଧିକାରୀ ମତ ଦେଉଥିବା ଜଣାପଡ଼ିଛି। ଅନ୍ୟଦିଗରେ ଅଚାନକ ଭାବରେ ଶସ୍ୟ ଭଣ୍ଡାର ଚାଉଳ ନେବା ବନ୍ଦ କରିଦେବାରୁ ଧାନ ସଂଗ୍ରହ ବ୍ୟବସ୍ଥା ସହିତ ବିଭିନ୍ନ ପ୍ରକାର ଖାଦ୍ୟ ଯୋଜନାକୁ ପ୍ରଭାବିତ ଏବଂ କେନ୍ଦ୍ର ଉପରେ ନିର୍ଭରଶୀଳତାକୁ ବଢ଼ାଇବା ନେଇ ଆଶଙ୍କା ରହିଛି। ଯୋଗାଣ ନିଗମର ସୂଚନା ଅନୁସାରେ, ଚଳିତ ବର୍ଷ ୭୭ ଲକ୍ଷ ୪୮ ହଜାର ୦୮୩ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି।
ନିୟମ ଦୃଷ୍ଟିରୁ ଏଥିରୁ ୫୨ ଲକ୍ଷ ୪୯ ହଜାର ୮୮୭ ମେଟ୍ରିକ ଟନ୍ କଷ୍ଟମମିଲିଂ ଚାଉଳ ଉତ୍ପାଦିତ ହେବ। ଏଥିରୁ ରାଜ୍ୟ ଖାଦ୍ୟଶସ୍ୟ ଭଣ୍ଡାର ୧୦ ଲକ୍ଷ ୧୫ ହଜାର ୮୨୭ ମେଟ୍ରିକ୍ ଟନ୍ ଚାଉଳ ଗ୍ରହଣ ପରେ ଅଚାନକ ବନ୍ଦ କରିଦେଇଛି। ଆଶ୍ଚର୍ଯ୍ୟଜନକ ଭାବରେ ସର୍ବାଧିକ ଧାନ ଉତ୍ପାଦନ କରୁଥିବା ବରଗଡ଼ ଜିଲ୍ଲାରୁ ଦ୍ବିତୀୟ ସର୍ବନିମ୍ନ ଅର୍ଥାତ ମାତ୍ର ୬୪୮୦ ମେଟ୍ରିକ ଟନ୍ ଚାଉଳ ରାଜ୍ୟ ଖାଦ୍ୟଭଣ୍ଡାର ନେଇଛି। ତାହା ଘଟଣାକୁ ଆହୁରି ରହସ୍ୟାବୃତ କରିଛି। ଫଳରେ ବରଗଡ଼ ଉପରେ ନିର୍ଭରଶୀଳ ଅନ୍ୟ ୫ ଜିଲ୍ଲାକୁ ଚାଉଳ ଯୋଗାଣ ବନ୍ଦ ହେବାର ଆଶଙ୍କା ରହିଛି। ଆଇସିଡିଏସ୍, ଜେଲ୍, ସ୍କୁଲ୍ ଏମ୍ଡିଏମ୍ ଚାଉଳ ପାଇଁ କେନ୍ଦ୍ର ଉପରେ ନିର୍ଭରଶୀଳ ହେବା ନେଇ ଆଶଙ୍କା ରହିଛି।
ସୌଜନ୍ୟ ସମ୍ବାଦ




