Scheme after scheme: ଯୋଜନା ପରେ ଯୋଜନା ତଥାପି ଥମୁନି ଦାଦନ ସୁଅ: ହଟ୍ସ୍ପଟ୍ ‘ଗୋଲାମୁଣ୍ଡା’
ନୂଆଁଖାଇର ଖୁସି ଯେତେବେଳେ ଫିକା ପଡ଼ିଆସେ, ଠିକ ସେତିକିବେଳେ କଳାହାଣ୍ଡିର ଅନେକ ଗାଁରେ ଆରମ୍ଭ ହୁଏ ଆଉ ଏକ ଯନ୍ତ୍ରଣାଦାୟକ ଯାତ୍ରା। ଘରେ ତାଲା ପକାଇ ପରିବାର ସହ ଲୋକେ ବାହାରି ପଡ଼ନ୍ତି ଅଜଣା ସହର ଅଭିମୁଖେ।

ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି): ନୂଆଁଖାଇର ଖୁସି ଯେତେବେଳେ ଫିକା ପଡ଼ିଆସେ, ଠିକ ସେତିକିବେଳେ କଳାହାଣ୍ଡିର ଅନେକ ଗାଁରେ ଆରମ୍ଭ ହୁଏ ଆଉ ଏକ ଯନ୍ତ୍ରଣାଦାୟକ ଯାତ୍ରା। ଘରେ ତାଲା ପକାଇ ପରିବାର ସହ ଲୋକେ ବାହାରି ପଡ଼ନ୍ତି ଅଜଣା ସହର ଅଭିମୁଖେ। କାହାର ଗନ୍ତବ୍ୟସ୍ଥଳ ହାଇଦ୍ରାବାଦ ତ କାହାର ଛତିଶଗଡ଼, ମୁମ୍ବାଇ, ତାମିଲନାଡୁ, ଗୁଜରାଟ, କେରଳ। ଯୋଜନା ପରେ ଯୋଜନା ହେଉଛି, ୧୦୦ ଦିନର କାମ ୩୦୦ ଦିନକୁ ବଢୁଛି, ମଜୁରି ବଢ଼ୁଛି; ହେଲେ କଳାହାଣ୍ଡିରୁ ଦାଦନ ଧାରା ଥମିବାର ନାଁ ନେଉନି।
‘ଦାଦନ ବସ୍’ରେ ଯାଉଛନ୍ତି ହଜାର ହଜାର ଶ୍ରମିକ
କଳାହାଣ୍ଡିଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ର ମାନଝରି ଗାଁ ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ନୂଆଁଖାଇ ପରେ ଏହି ଗୋଟିଏ ଗାଁରୁ ପ୍ରାୟ ୨ ହଜାର ଲୋକ ଘରେ ତାଲା ପକାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଆନ୍ତି। ଏହା କେବଳ ମାନଝରି ଗାଁର କରୁଣ କଥା ନୁହେଁ, ଅନ୍ୟ ଗାଁଗୁଡ଼ିକରୁ ମଧ୍ୟ ଦାଦନଙ୍କ ସୁଅ ରାଜ୍ୟ ବାହାରକୁ ଛୁଟୁଛି। ଦାଦନ ରୋକିବାକୁ ଚଳିତବର୍ଷ ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ଦାଦନପ୍ରବଣ ବ୍ଲକ୍ରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ହେଲେ ଏହାର ବିଶେଷ ପ୍ରଭାବ ଲୋକଙ୍କ ଉପରେ ପଡ଼ୁନଥିବା ବେଳେ ଦାଦନ ସର୍ଦ୍ଦାରମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି। ଗୋଲାମୁଣ୍ଡା ବ୍ଲକ୍ ଦାଦନ ଚାଲାଣର ହଟ୍ସ୍ପଟ୍ ପାଲଟିଛି। କେନ୍ଦ୍ର ସରକାର ଜିଲ୍ଲାର ୫ଟି ବ୍ଲକ୍କୁ ଦାଦନପ୍ରବଣ ଭାବେ ଚିହ୍ନଟ କରି ୩୦୦ ଦିନର କାମ ଯୋଗାଇବା ପାଇଁ ଧାର୍ଯ୍ୟ କରିଛନ୍ତି। ତଥାପି ରୋଜଗାର ପାଇଁ ଲୋକଙ୍କୁ ଅନ୍ୟ ରାଜ୍ୟମୁହାଁ ହେବାକୁ ପଡ଼ୁଛି। ଦାଦନ ସର୍ଦ୍ଦାରଙ୍କ ମାଧ୍ୟମରେ କଳାହାଣ୍ଡିରୁ ହାଇଦ୍ରାବାଦ, ଛତିଶଗଡ଼, ମୁମ୍ବାଇ, ତାମିଲନାଡୁ, ଗୁଜରାଟର ସୁରତ ଓ ରାଜକୋଟ, କେରଳ ସମେତ ବିଭିନ୍ନ ରାଜ୍ୟକୁ ଶ୍ରମିକମାନେ କାମ କରିବାକୁ ଯାଉଛନ୍ତି। ଅନେକ ସମୟରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତଦେହ ମଧ୍ୟ ଭିଟାମାଟିକୁ ଫେରୁଛି।
କଳାହାଣ୍ଡି ଜିଲ୍ଲା ପ୍ରଶାସନର ୨୦୨୫-୨୬ ମସିହା ଡିଡିଏମ୍ପି ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୪୦,୯୨୮ ଜଣ ପ୍ରବାସୀ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧,୬୦୯ ଜଣ ପୁରୁଷ ଓ ୯,୩୧୯ ଜଣ ମହିଳା। ତେବେ ବେସରକାରୀ ଭାବେ କଳାହାଣ୍ଡିରୁ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ରାଜ୍ୟ ବାହାରକୁ ଯାଉଥିବା କୁହାଯାଉଛି। କୋଭିଡ୍ ସମୟରେ ପ୍ରାୟ ୬୦ ହଜାର ଶ୍ରମିକ କଳାହାଣ୍ଡିକୁ ଫେରିଥିଲେ। ସରକାରୀ ତଥ୍ୟ ଅନୁଯାୟୀ ଗୋଲାମୁଣ୍ଡା ବ୍ଲକ୍ରୁ ୭,୧୯୮, ଧର୍ମଗଡ଼ରୁ ୬,୪୦୪, ଭବାନୀପାଟଣାରୁ ୪,୩୮୨, ଜୁନାଗଡ଼ରୁ ୩,୭୯୬, ନର୍ଲାରୁ ୩,୩୫୧ ଏବଂ କେସିଙ୍ଗା ବ୍ଲକ୍ରୁ ୨,୬୭୫ ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇଥିବା ନେଇ ପଞ୍ଜୀକୃତ ହୋଇଛନ୍ତି। ଦାଦନ ସମସ୍ୟାର ଗମ୍ଭୀରତା ଗୋଲାମୁଣ୍ଡା ବ୍ଲକ୍ର ଚିତ୍ରରୁ ସ୍ପଷ୍ଟ ହେଉଛି। ୨୦୨୫ ଡିସେମ୍ବରରେ ଏହି ବ୍ଲକ୍ରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ଦାଦନ ଖଟିବାକୁ ଯାଇଛନ୍ତି। ପରିବାର ସହ ଦାଦନ ଯିବାରୁ ଏହାର ସିଧାସଳଖ ପ୍ରଭାବ ପିଲାଙ୍କ ଉପରେ ପଡ଼ୁଛି। ଡିଡିଏମ୍ପି ରିପୋର୍ଟ ଅନୁଯାୟୀ ଶୂନରୁ ୬ ବର୍ଷ ବୟସର ୧,୮୬୫ ଜଣ ଏବଂ ୭ରୁ ୧୪ ବର୍ଷ ବୟସର ୧,୬୩୮ ଜଣ ଶିଶୁଙ୍କୁ ମିଶାଇ ମୋଟ ୩,୫୦୩ ଜଣ ଶିଶୁ ରାଜ୍ୟ ବାହାରେ ରହୁଛନ୍ତି। ଏହି ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ଅଧିକାରକୁ ନେଇ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଛି।
ସୌଜନ୍ୟ ସମ୍ବାଦ




