Rishabh Pant: ଭାରତ-ନ୍ୟୁଜିଲାଣ୍ଡ ଅନଅଫିସିଆଲ୍ ଟେଷ୍ଟ; ପ୍ରଥମ ୨ ମ୍ୟାଚରୁ ଓହରିଲେ ପନ୍ତ, ଏହି ଷ୍ଟାରଙ୍କୁ ଡାକରା

ନୂଆଦିଲ୍ଲୀ,୧୩/୧୦; ନ୍ୟୁଜିଲାଣ୍ଡ ଏ’ ଓ ଭାରତ ଏ’ ମଧ୍ୟରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ୩ମ୍ୟାଚ ବିଶିଷ୍ଟ ଅନଫିସିଆଲ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚରୁ ରିଷଭ ପନ୍ତ ବାଦ ପଡ଼ିଛନ୍ତି । ସେ ଗତ ଇରାନୀ କପ୍ରେ ଆହତ ହୋଇଥିଲେ । ପନ୍ତଙ୍କ ସ୍ଥାନରେ ଝାଡ଼ଖଣ୍ଡ ୱିକେଟ୍ କିପର କୁମାର କୁଶାଗ୍ରଙ୍କୁ ଦଳରେ ସାମିଲ କରାଯାଇଛି । ରଣଜୀ ଚାମ୍ପିଅନ୍ ଜମ୍ମୁ ଓ କାଶ୍ମୀର ବିପକ୍ଷ ଇରାନୀ କପ୍ ମ୍ୟାଚରେ ପନ୍ତ ଅବଶିଷ୍ଟ ଭାରତ ଏକାଦଶ ଦଳର ନେତୃତ୍ୱ ନେଇଥିଲେ । ମ୍ୟାଚ ଶେଷ ହେବା ପରେ ସେ ସିଧା ଜାତୀୟ କ୍ରିକେଟ୍ ଏକାଡେମୀ (ଉତ୍କର୍ଷ କେନ୍ଦ୍ର)ରେ ପହଞ୍ଚି ଚିକିତ୍ସିତ ହେଉଛନ୍ତି ।
ଅନଫିସିଆଲ ଟେଷ୍ଟ ସିରିଜ ପୂର୍ବରୁ ସେ ଫିଟ୍ ହେବାର ସମ୍ଭାବନା ରହିଥିଲା । ମାତ୍ର ସଦ୍ୟ ପ୍ରକାଶିତ ଫିଟ୍ନେସ୍ ରିପୋର୍ଟ ଅନୁଯାୟୀ ତାଙ୍କୁ ସମ୍ପୂର୍ଣ୍ଣ ମ୍ୟାଚ ଫିଟ୍ନେସ ଫେରି ପାଇବାକୁ ସମୟ ଲାଗିବ । ତୃତୀୟ ମ୍ୟାଚ ବେଳକୁ ସେ ଫିଟ୍ ହେବେ ବୋଲି ବିସିସିଆଇ ଘୋଷଣା କରିଛି । ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ଏ’ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଦଳରେ ମୋଟ୍ ୬ଜଣ ପେସ୍ ବୋଲରଙ୍କୁ ସ୍ଥାନ ମିଳିଛି । ଇରାନୀ କପ୍ରେ ଚମତ୍କାର ପ୍ରଦର୍ଶନ ପରେ ମୁକେଶ ଚୌଧୁରୀ, ଆକାଶ ଦୀପ ଓ ମୁକେଶ କୁମାର ଏ’ ଦଳରେ ସ୍ଥାନ ହାସଲ କରିଛନ୍ତି । ଏମାନଙ୍କ ବ୍ୟତୀତ ଆକିବ ନବି, ୟଶ ରାଠୋଡ଼ ଓ ଅଂଶୁଲ କାମ୍ବୋଜ ସାମିଲ ରହିଛନ୍ତି । ଅକ୍ଟୋବର ୨୪ରୁ ୨୭ ତାରିଖ ମଧ୍ୟରେ ଲିଙ୍କନ ଠାରେ ପ୍ରଥମ ଅନଫିସିଆଲ ଟେଷ୍ଟ ଖେଳାଯିବ । ଏହାପରେ ଅକ୍ଟୋବର ୩୧ରୁ ନଭେମ୍ବର ୩ ତାରିଖ ମଧ୍ୟରେ ଖ୍ରୀଷ୍ଟଚର୍ଚ୍ଚ ଠାରେ ଦ୍ୱିତୀୟ ଓ ନଭେମ୍ବର ୭ରୁ ୧୦ ତାରିଖ ମଧ୍ୟରେ ଲିଙ୍କନ ଠାରେ ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ ।
ସୌଜନ୍ୟ ପ୍ରମେୟ




