ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ବୈଭବଙ୍କ କୋଚ୍! କହିଲେ, ଟିମ୍ ଇଣ୍ଡିଆରେ ଚାଲିଛି ଏକଛତ୍ରବାଦ

ନୂଆଦିଲ୍ଲୀ,୧୨/୧୦: ମାତ୍ର ୧୫ ବର୍ଷ ବୟସରେ ନିଜ ବ୍ୟାଟିଂର ଜଲୱା ଦେଖାଇ ଚର୍ଚ୍ଚାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍ ଇଣ୍ଡିଆରେ ସୁଯୋଗକୁ ଅପେକ୍ଷା କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜର ପ୍ରଥମ ତିନିଟି ମ୍ୟାଚରେ ତାଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ଏପରିକି ଦଳରେ ରହି ଖେଳାଳିଙ୍କୁ ପାଣି ଦେଉଥିବା ବୈଭବଙ୍କୁ ଦେଖି ଭାବପ୍ରବଣ ହୋଇପଡ଼ିଛନ୍ତି ତାଙ୍କ ବାଲ୍ୟ ପ୍ରଶିକ୍ଷକ ମନୀଷ ଓଝା । ସେ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇବା ସହ ଏହାର କାର୍ଯ୍ୟଶୈଳୀକୁ ଏକଛତ୍ରବାଦୀ ମାନସିକତା ବୋଲି କହିଛନ୍ତି ।
ବୈଭବଙ୍କୁ ବେଞ୍ଚରେ ବସାଇବାକୁ ନେଇ କ୍ଷୁବ୍ଧ କୋଚ୍:
ସ୍ପୋର୍ଟସ୍ ନାଓ ସହ ଆଲୋଚନା ବେଳେ ମନୀଷ ଓଝା କହିଛନ୍ତି ଯେ ବୈଭବ ସୂର୍ଯ୍ୟବଂଶୀ ଏକ ଝଡ଼ ଭଳି । ତାଙ୍କ ସହ ମୁକାବିଲା କରିବାକୁ ଯିଏ ଚେଷ୍ଟା କରିବ, ଶେଷରେ ସେ ଭାଙ୍ଗିପଡ଼ିବ । ଆଜି ନହେଲେ ମଧ୍ୟ କାଲି ଏହା ଘଟିବ ବୋଲି ସେ ମତ ଦେଇଛନ୍ତି । ଭାରତୀୟ ଦଳର ବର୍ତ୍ତମାନର ମ୍ୟାନେଜମେଣ୍ଟ ଖେଳାଳିଙ୍କୁ ବେଞ୍ଚରେ ବସାଇ ରଖିଲେ ସେମାନେ ପ୍ରସ୍ତୁତ ହୋଇଯିବେ ବୋଲି ଭାବୁଥିବା ମନୀଷ ଅଭିଯୋଗ କରିଛନ୍ତି । ତାଙ୍କ ମତରେ, ଆଗାମୀ ପିଢ଼ିର ଖେଳାଳିଙ୍କୁ ପ୍ରସ୍ତୁତ କରିବାକୁ ହେଲେ ସେମାନଙ୍କୁ ମଇଦାନକୁ ଓହ୍ଲାଇବାର ସୁଯୋଗ ଦେବା ଆବଶ୍ୟକ ।
ସୌଜନ୍ୟ ପ୍ରମେୟ




