ଅନୁଗୁଳ: ଦୁଇ ସପ୍ତାହ ହେଲା ସଂଜ ହେଲେ କୋଶଳା ଗାଁ ମଝିରେ ଆରମ୍ଭ ହେଉଛି ଲୋକଙ୍କ ମେଳି। ସାରା ରାତି ଲାଗି ରହୁଛି ଗହଳିଚହଳି। ଶହ ଶହ ଲୋକ ଉଜାଗର ହୋଇ ରାସ୍ତା ଉପରେ ବସି ରହୁଛନ୍ତି। ଗାଁ ମଝିରେ କୋଇଲା ଟ୍ରକ୍ ନ ଛାଡ଼ିବା ପାଇଁ ଲୋକମାନେ ଏହି ଆନ୍ଦୋଳନ ଚଳାଇଛନ୍ତି। ଜୀବନ ଦେବୁ ପଛେ, କୋଇଲା ଟ୍ରକ୍ ଚଲାଇଦେବୁନି ବୋଲି ଲୋକମାନେ ଶପଥ ନେଇ ରାସ୍ତାକୁ ଓହ୍ଲାଇଥିଲା ବେଳେ ଏହା ପ୍ରତି ସ୍ଥାନୀୟ ଲୋକଙ୍କ ସମର୍ଥନ ବି ବଢ଼ୁଛି। ଖଣି ବିରୋଧୀ ଏହି ଆନ୍ଦୋଳନ ଏବେ ଛେଣ୍ଡିପଦା ଅଞ୍ଚଳର ଗାଁରୁ ଗାଁକୁ ଡେଇଁଲାଣି।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ରେ ଏକ ଡଜନରୁ ଅଧିକ କୋଇଲା ଖଣି ଖନନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ଭିତରେ ୫ଟି ଖଣିରୁ କୋଇଲା ଉତ୍ତୋଳନ ଚାଲିଛି। କିନ୍ତୁ କୋଲ୍ କରିଡର ନ କରାଯିବାରୁ କୋଇଲା ଉତ୍ତୋଳନ କରାଯିବା ପରେ ଏବେ ବଡ଼ ସମସ୍ୟା ଛିଡ଼ା ହୋଇଛି। ଖୋଳା ହୋଇଥିବା କୋଇଲା କେଉଁ ରାସ୍ତା ଦେଇଯିବ ତା’ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଏପଟେ କୋଇଲା ଟ୍ରକ୍କୁ ଗାଁ ଭିତରେ ନଛାଡ଼ିବା ପାଇଁ ଛେଣ୍ଡିପଦା ବ୍ଲକ୍ର ପ୍ରାୟ ୨୦ଟି ଗାଁର ଲୋକେ ରାତିରେ ଶୋଉ ନାହାନ୍ତି। ରାତିରେ କୋଇଲା ଟ୍ରକ୍ ଯିବ ବୋଲି ପ୍ରଚାର ହେବା ପରେ ଲୋକମାନେ ଠେଙ୍ଗାବାଡ଼ି ଧରି ଜଗି ରହୁଛନ୍ତି।
ଛେଣ୍ଡିପଦା ପାଖରେ ଥିବା ନୈନି କୋଲ୍ ବ୍ଲକ୍ରୁ ବାଲିପଟ୍ଟା ଦେଇ କୋଇଲା ପରିବହନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଲୋକମାନେ ଏହାକୁ ବିରୋଧ କରିବାରୁ ଏହା ସ୍ଥଗିତ ରହିଥିଲା। ପରେ କୋଶଳା ଦେଇ କୋଇଲା ନେବାକୁ ପ୍ରଶାସନ ଅନୁମତି ଦେଇଥିଲା। ଚଳିତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କୋଶଳା ଗାଁଦେଇ କୋଇଲା ପରିବହନ କରିବାକୁ ଏଥିରେ ଉଲ୍ଲେଖ ଥିଲା। ଆଉ ଏହା ହିଁ କୋଶଳାବାସୀଙ୍କୁ ତତାଇ ଦେଇଛି। ଗାଁ ଭିତରେ କୋଇଲା ଟ୍ରକ୍ ଚଳାଚଳ ନକରିବାକୁ ଦୀର୍ଘଦିନ ହେଲା ଦାବି କରୁଥିଲେ ମଧ୍ୟ ପ୍ରଶାସନ ଏକପାଖିଆ ନିର୍ଦ୍ଦେଶାନାମା ଜାରି କରିବାରୁ ଗାଁ ମଝିରେ କୋଶଳାବାସୀ ରାତିରେ ଜଗିଛନ୍ତି। ନିତି ପାଖାପାଖି ହଜାରେ ପୁରୁଷ ଓ ମହିଳା ରାସ୍ତାରେ ବସି ରହିଛନ୍ତି। ଏହା ଜାଣିବା ପରେ ନଇନି କୋଲ୍ ବ୍ଲକ୍ରୁ ବାହାରିଥିବା ୭୯ଟି କୋଇଲା ଟ୍ରକ୍ ଛେଣ୍ଡିପଦାରେ ଅଟକି ରହିଛି। ଏହାକୁ ଅନ୍ୟ କେଉଁ ରାସ୍ତା ଦେଇ ରେଲୱେ ସାଇଡିଂକୁ ନେବାକୁ ଉଦ୍ୟମ ହେଉଥିବା ଖବର ପାଇ ପାଖାପାଖି ବାଲିପଟ୍ଟା, ବ୍ରାହ୍ମଣବିଲି, ବରପଦା, ଚାଙ୍ଗୁଡ଼ିଆ, କୁକୁରପେଟା, ଦୁର୍ଗାପୁର, ଟେଣ୍ଟୁଲୋଇ, କୋରଡ଼ା ଆଦି ପଞ୍ଚାୟତବାସୀ ମଧ୍ୟ ଗାଁ ଜଗିଲେଣି। ଏନେଇ କୋଶଳା ଗାଁ ସଂପାଦକ ସିଦ୍ଧାର୍ଥ ଶଙ୍କର ସାହୁ କହିଛନ୍ତି, ପ୍ରଶାସନ ଆଇନକୁ ମୋଡ଼ି ଗାଁ ଭିତରେ କୋଇଲା ପରିବହନ ପାଇଁ ଅନୁମତି ଦେଇଛନ୍ତି। ଗାଁ ଦେଇ କୋଇଲା ନ ନେଇ ବାଇପାସ୍ ରାସ୍ତା ନିର୍ମାଣ ହେଉ। କୋଇଲା ପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଇପାରିବେ ନାହିଁ ବୋଲି ସେ କହିଛନ୍ତି। ଏପଟେ ଟ୍ରକ୍ରେ କୋଇଲା ବୋଝେଇ ହୋଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବାରୁ ଏହା ଖଣି କର୍ତ୍ତୃପକ୍ଷ, ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି।
ସୌଜନ୍ୟ ସମ୍ବାଦ
