Social media policy: ଖୁବ୍ଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି: ମୁଖ୍ୟମନ୍ତ୍ରୀ
ଓଡ଼ିଶା ସୂଚନା ସେବା କ୍ଷେତ୍ରରେ ବହୁ ପଛରେ ରହିଛି। ଏହାକୁ ଆଗକୁ ନେବା ପାଇଁ ସାମାଜିକ ଗଣମାଧ୍ୟମରେ ଅଧିକ ଫୋକସ୍ କରିବାକୁ ହେବ। ଆଜିର ଯୁବବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଓ ଏଆଇ ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି।

ଭୁବନେଶ୍ବର: ଓଡ଼ିଶା ସୂଚନା ସେବା କ୍ଷେତ୍ରରେ ବହୁ ପଛରେ ରହିଛି। ଏହାକୁ ଆଗକୁ ନେବା ପାଇଁ ସାମାଜିକ ଗଣମାଧ୍ୟମରେ ଅଧିକ ଫୋକସ୍ କରିବାକୁ ହେବ। ଆଜିର ଯୁବବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଓ ଏଆଇ ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି। ତେଣୁ ସରକାରୀ ସଞ୍ଚାର ବା ଯୋଗାଯୋଗ ପାଇଁ ସାମ୍ପ୍ରତିକ ସମୟର ଏହି ଅତ୍ୟାଧୁନିକ ଟ୍ରେଣ୍ଡ୍ଗୁଡ଼ିକୁ ଆପଣାଇବାକୁ ପଡ଼ିବ। ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ସୂଚନା ଓ ସଞ୍ଚାର ପାଇଁ ଏକ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ନୀତି ପ୍ରଣୟନ କରାଯିବ। ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ସୂଚନା ସେବା ଅଧିକାରୀଙ୍କ ପାଇଁ ଆୟୋଜିତ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍ଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ମୋର ସୋସିଆଲ ମିଡିଆ କେତେ ଅଗ୍ରସର; ତାହାକୁ ପ୍ରଧାନମନ୍ତ୍ରୀ ଦେଖୁଛନ୍ତି। ପ୍ରଧାନମନ୍ତ୍ରୀ ଦେଇଥିବା ରିପୋର୍ଟରେ ମୁଁ କେତେ ତଳେ ରହିଛି ତାହା ଦେଖି ମୁଁ ତାଜୁବ୍। ଏଥିରେ ଉନ୍ନତି ଆଣିବା ଓ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଓ ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି।
ସୌଜନ୍ୟ ସମ୍ବାଦ




