ଜାତୀୟ

Son Kills Father: ଦୃଶ୍ୟମ୍ ଦେଖି ବାପାଙ୍କୁ ହତ୍ୟା କଲ୍ ପୁଅ, ଧରା ପକାଇଲା ପତ୍ନୀଙ୍କୁ କରିଥିବା ଫୋନ୍ କଲ୍

ବିହାର, ୦୫/୧୦: ବିହାରର ସମସ୍ତିପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲିଉଡ୍ କ୍ରାଇମ୍ ଥ୍ରିଲର ‘ଦୃଶ୍ୟମ୍’କୁ ଦେଖି ଜଣେ ବ୍ୟକ୍ତି ନିଜ ବାପାଙ୍କୁ ହତ୍ୟା ଲାଗି ଯୋଜନା କଲେ । ଏଥିଲାଗି ପ୍ରାୟ ୨୦୦୦ କିଲୋମିଟର ଦୂର ସୁରଟରୁ ଟ୍ରେନ୍ ଧରି ସେ ଘରେ ପହଞ୍ଚିଲେ । ମୁଖ୍ୟ ଦ୍ୱାର ନିକଟରେ ଶୋଇଥିବା ପିତାଙ୍କୁ କୁରାଢ଼ୀରେ ହତ୍ୟା କରି ରାତାରାତି ସୁରଟ ଫେରିଗଲେ । ତାଙ୍କର ଏହି ବର୍ବରକାଣ୍ଡ ବିଷୟରେ କେହି କେବେ ଜାଣିପାରିବେ ନାହିଁ ବୋଲି ସେ ଭାବିଥିଲେ । କିନ୍ତୁ ପତ୍ନୀଙ୍କୁ କରିଥିବା ଏକ ଫୋନ୍ କଲ୍ ତାଙ୍କୁ ଧରା ପକାଇ ଦେଇଛି ।

ହତ୍ୟାକାଣ୍ଡଟି ଜୁଲାଇ ୨୬ ତାରିଖ ବିଳମ୍ବିତ ରାତ୍ରିର । ସେଦିନ ସମସ୍ତିପୁର ଜିଲ୍ଲାର ଦରୱା ଗାଁରେ ନିଜ ଘର ବାହାରେ ଶୋଇଥିବା ରଘୁବୀର ସାହନି(୫୦)ଙ୍କୁ କେହି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ । ରଘୁବୀରଙ୍କ ମୁଣ୍ଡ ଉପରେ କୁରାଢ଼ୀ ଦ୍ୱାରା ବାରମ୍ବାର ଆକ୍ରମଣ କରାଯାଇଥିଲା । ତାଙ୍କର ମୃତ୍ୟୁ ପରେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଶବକୁ ପୋଷ୍ଟମର୍ଟମ ଲାଗି ପଠାଇଥିଲା । ଫରେନସିକ୍ ଟିମ୍ ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହି କାଣ୍ଡ ବାହାର ଲୋକ ନୁହଁ, ବରଂ ରଘୁବୀରଙ୍କ କେହି ଘନିଷ୍ଠ ସଂପର୍କୀୟ କରିଥିବା ପୁଲିସ ଆଶଙ୍କା କଲା । ଏହାପରେ ମୃତକଙ୍କ ପରିଜନମାନଙ୍କ ଗତିବିଧି ଉପରେ ନଜର ରଖାଗଲା । ଶେଷରେ ପୁଅ ଶିବଶଙ୍କରଙ୍କ ଉପରେ ପୁଲିସର ସନ୍ଦେହ ଦୃଢ଼ୀଭୂତ ହେଲା । ପୁଲିସ ମୁତାବକ, ପିତାଙ୍କ ସହ ତାଙ୍କର ଜମି ବିକ୍ରିକୁ ନେଇ ବିବାଦ ଥିଲା । ରଘୁବୀର ତାଙ୍କ ପତ୍ନୀଙ୍କୁ ମଧ୍ୟ ଗାଳି ଦେଉଥିଲେ । ସେଥିଯୋଗୁ ବାଧ୍ୟହୋଇ ଶିବଶଙ୍କର ପତ୍ନୀଙ୍କୁ ନେଇ ସୁରଟରେ ଯାଇ ରହୁଥିଲେ । ଏପରିକି ସେ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ବି ସାମିଲ ହୋଇନଥିଲେ । ଏହାପରେ ପୁଲିସ ସନ୍ଦେହ ଆଧାରରେ ଶିବଶଙ୍କରଙ୍କୁ ପଚରାଉଚରା କରିଥିଲା । ଜେରାବେଳେ ସେ ପିତାଙ୍କୁ ହତ୍ୟା କରିଥିବା ମାନିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button