Sonam Wangchuk’s Tribal House : ୱାଙ୍ଗଚୁକ୍ଙ୍କ ‘ଟ୍ରାଇବାଲ୍ ହାଉସ୍’ ବିଯୁକ୍ତ ତାପମାତ୍ରାରେ ବି ଉଷୁମ, ୟୁରୋପ-ଆମେରିକାରେ ଚର୍ଚ୍ଚା

ନୂଆଦିଲ୍ଲୀ ୨୯/୦୭: ମାଟିକାନ୍ଥ ଘର । କିନ୍ତୁ ସୁବିଧାରେ ଭିଲ୍ଲାଠାରୁ କମ୍ ନୁହେଁ । ଲଦାଖର ବିଯୁକ୍ତ ତାପମାତ୍ରାରେ ବି ଘର ଭିତର ଉଷୁମ । ବିନା ହିଟରରେ ମଧ୍ୟ ଭିତରେ ୧୮ରୁ ୨୦ ଡିଗ୍ରୀ ତାପମାତ୍ରା । ପାରମ୍ପରିକ ପାହାଡ଼ିଆ ବାସ୍ତୁକଳା ଏବଂ ପାଣିପାଗ ଅନୁକୂଳ ଆଧୁନିକ ଇଞ୍ଜିନିୟରିଂର ଏହା ଏକ ଚମତ୍କାର ଉଦାହରଣ । ତାପମାତ୍ରାର ପ୍ରାକୃତିକ ନିୟନ୍ତ୍ରଣ ପାଇଁ ସବୁ ବ୍ୟବସ୍ଥା ଖଞ୍ଜାଯାଇଛି । ଘର ତିଆରିରେ ସିମେଣ୍ଟ ଓ କଂକ୍ରିଟ ବଦଳରେ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ସୂର୍ଯ୍ୟ କିରଣରେ ଘର ଗରମ ହେଉଛି । ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ପାଇଖାନା ରହିଛି ।
୨୬ ଦିନ ଅନଶନ କରି ଦେଶବ୍ୟାପୀ ଚର୍ଚ୍ଚା ସାଉଁଟିଥିବା ଜଳବାୟୁ କର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍ଙ୍କର ଏହି ‘ଟ୍ରାଇବାଲ୍ ଘର’ ଏବେ ବେଶ୍ ଚର୍ଚ୍ଚାରେ । ଜଳବାୟୁ କର୍ମୀ ହିସାବରେ ସେ ନିଜ ଘରକୁ ବାସ୍ତବରେ ପରିବେଶ ଅନୁକୂଳ ବନାଇଛନ୍ତି । ପରିବେଶ ପାଇଁ ଏହା ଦୃଷ୍ଟାନ୍ତ ସାଜିଛି । ଆମେରିକା ଓ ୟୁରୋପରେ ବି ଏହାକୁ ନେଇ ଚର୍ଚ୍ଚା ହେଉଛି । ଗବେଷଣା ବି କରାଯାଉଛି ।
ୱାଙ୍ଗଚୁକ୍ଙ୍କୁ ଲୋକେ ଜଣେ ଇଞ୍ଜିନିୟର, ଶିକ୍ଷା ସଂସ୍କାରକ ଏବଂ ପରିବେଶ ସଂରକ୍ଷକ ଭାବେ ଜାଣନ୍ତି । କିନ୍ତୁ ତାଙ୍କର ଲଦାଖସ୍ଥିତ ଘରକୁ ବହୁତ କମ୍ ଲୋକ ପାଖରୁ ଦେଖିଛନ୍ତି । ରହିବା ପାଇଁ ଏହା କେବଳ ଏକ ଘର ନୁହେଁ । ବରଂ ପ୍ରକୃତିକୁ ବୁଝି ଘର ନିର୍ମାଣ କଲେ ସ୍ୱଳ୍ପ ସମ୍ବଳରେ ମଧ୍ୟ ଆରାମଦାୟକ ଜୀବନ ବଞ୍ଚିହେବ ବୋଲି ଏହା ଶିଖାଉଛି । ଏହି ନିଆରା ଘର ‘ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ୍ସ ଲଦାଖ (ଏଚ୍ଆଇଏଏଲ୍)’ ପରିସରରେ ନିର୍ମାଣ ହୋଇଛି । ଏହାର ଛୋଟବଡ଼ ସମସ୍ତ ଅଂଶକୁ ପରିବେଶକୁ ଧ୍ୟାନରେ ରଖି ଡିଜାଇନ କରାଯାଇଛି । ଏଠାରେ ଆଧୁନିକ ସୁବିଧା ସାଙ୍ଗକୁ ପାରମ୍ପରିକ ଲଦାଖୀ ଭାବନା ବି ଖୁନ୍ଦି ହୋଇଛି । ଏହି କାରଣରୁ ଘରଟି ଆଜି ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି ।
ଘରଟିର ସବୁଠୁ ବିଶେଷତ୍ୱ ହେଉଛି ଏହାର କାନ୍ଥ । ସମ୍ପ୍ରତି ଅଧିକାଂଶ ଘର ସିମେଣ୍ଟ, କଂକ୍ରିଟ ଏବଂ ଇସ୍ପାତ ଦ୍ୱାରା ବନାଯାଉଛି । କିନ୍ତୁ ଏହି ଘରେ ମାଟି ଏବଂ ସ୍ଥାନୀୟ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ଲଦାଖରେ ଅନେକ ଶତାବ୍ଦୀ ଧରି ଏହି ପ୍ରକାର ଘର ନିର୍ମାଣ କରାଯାଉଛି । ମୁଖ୍ୟ କାରଣ ହେଉଛି ଏଠାକାର ପ୍ରତିକୂଳ ପାଣିପାଗ । ମୋଟା ମାଟିର କାନ୍ଥ ଗରମ ଦିନରେ ବି ଘରକୁ ଥଣ୍ଡା ରଖିଥାଏ ଏବଂ ବିଯୁକ୍ତ ତାପମାତ୍ରାରେ ଭିତରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଷୁମ ରଖେ । ଏହା ଫଳରେ ପୃଥକ ରୁମ୍ ହିଟର ଚଳାଇବା ଦରକାର ହୁଏନାହିଁ । ଘରର ସୋଲାର ଡିଜାଇନ ବି ଦୃଷ୍ଟି ଆକର୍ଷଣ କରେ । ଏହାର ବଡ଼ ବଡ଼ ଝରକା ଏଭଳି ଦିଗରେ ପ୍ରସ୍ତୁତ ହୋଇଛି, ଯାହାଦ୍ୱାରା ଦିନସାରା ଖରା ପଡ଼ିଥାଏ । ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଉତ୍ତାପ ମାଟିକାନ୍ଥରେ ଜମା ହୋଇ ରହିଥାଏ ଏବଂ ସନ୍ଧ୍ୟା ହେବା ପରେ ଧୀରେ ଧୀରେ ସାରା ଘରକୁ ଏହି ଉତ୍ତାପ ବ୍ୟାପିବାକୁ ଲାଗିଥାଏ । ଏହାଯୋଗୁ ଲଦାଖ ଭଳି ସାଙ୍ଘାତିକ ଥଣ୍ଡା ଜାଗାରେ ଘର ଭିତର ତାପମାତ୍ରା ଆରାମଦାୟକ ଅନୁଭୂତ ହୁଏ । ଏହାଦ୍ୱାରା ବିଜୁଳି ଏବଂ ଇନ୍ଧନ ସଞ୍ଚୟ ହୋଇଥାଏ ।
ବାହାରୁ ଦେଖିବାକୁ ଘରଟି ସମ୍ପୂର୍ଣ୍ଣ ପାରମ୍ପରିକ ଲଦାଖୀ ଘର ଭଳି ଲାଗିଥାଏ । କିନ୍ତୁ ଭିତରେ ପ୍ରବେଶ କରିବା କ୍ଷଣି ଆଧୁନିକ ସୁବିଧା ଦୃଷ୍ଟି ଆକର୍ଷଣ କରେ । ଘରକୁ ଆସୁଥିବା ନୂଆ ଅତିଥି ଏହାକୁ ଦେଖି ବିଭୋର ହୋଇଉଠନ୍ତି । ଏହାର ସୌନ୍ଦର୍ଯ୍ୟ ଏବଂ ବୈଶିଷ୍ଟ୍ୟକୁ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ । ଆରାମରେ ବସିବା ସ୍ଥାନ, ସୁନ୍ଦର କାଠ ଫର୍ନିଚର, ମଡ୍ୟୁଲାର କିଚେନ ଏବଂ ପରିବାର ସହ ବସି ଖାଇବାକୁ ଖୋଲା ସ୍ଥାନ ଏହାକୁ ସ୍ୱତନ୍ତ୍ର ବନାଉଛି । ସମସ୍ତ କକ୍ଷରେ ଜରୁରି ସୁବିଧା ମହଜୁଦ ।
ସୌଜନ୍ୟ ପ୍ରମେୟ




