ଭୁବନେଶ୍ବର (ଚୌଧୁରୀ ଅମିତାଭ ଦାସ): ଚଳିତ ବର୍ଷର ବଜେଟ ଅଧିବେଶନ ୨୨ ଦିନ ବସିଥିଲା। ସେଥିରୁ ୧୬ ଦିନ ଆଦୌ ଗୃହ କାର୍ଯ୍ୟ ହୋଇ ପାରିନଥିଲା। ଏପରିକି ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ୯ ଦିନ ମଧ୍ୟରୁ ଦିନଟିଏ ବି ଗୃହ ଚାଲି ନଥିଲା। ସଦ୍ୟସମାପ୍ତ ମୌସୁମୀ ଅଧିବେଶନରେ ଏହି ଧାରା ଆଉ ପାଦେ ଆଗେଇଲା। ୫ ଦିନ ଗୃହ ଚାଲିଲା। ସେଥିରୁ ଗୋଟିଏ ଦିନ ବି ଆଲୋଚନା ହେଲାନି। ବଡ଼ ପ୍ରସଙ୍ଗରେ ବିତର୍କ କିପରି ହୁଏ, ତାହା ରାଜ୍ୟବାସୀ ଜାଣିପାରିଲେନି।
ଦେଶର ଗଣତନ୍ତ୍ର ଯେତିକି ପୁରୁଣା ହେଉଛି, ଗଣତନ୍ତ୍ରର ମନ୍ଦିର ବିଧାନସଭା ସେତିକି ସେତିକି ଅଲୋଡ଼ା ପରମ୍ପରାକୁ ଆହୁରି ମଜଭୁତ କରୁଛି। ଆଇନ ପ୍ରଣୟନ ଦେଶ ତଥା ରାଜ୍ୟର ସ୍ବାର୍ଥ ପାଇଁ ଗୃହରେ ବିତର୍କ ହେବା ଯେପରି ଇତିହାସ ପାଲଟିଗଲାଣି। ଏବେ ଗୋଟିଏ ଗୋଟିଏ ଅଧିବେଶନ ବିନା ବିତର୍କରେ ସରିବା
ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି। ବିଧାନସଭାରେ ଆଇନ ପ୍ରଣୟନ କରାଯିବା ବେଳେ ଶାସକ-ବିରୋଧୀଙ୍କ ମଧ୍ୟରେ ବିତର୍କ ହେବା ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା। ଏହା ଦ୍ବାରା ରାଜ୍ୟବାସୀ ସତ, ମିଛ କ’ଣ ଜାଣିପାରିବେ। କିନ୍ତୁ ସେହି ଧାରାକୁ ଅଘୋଷିତ ଭାବେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଗଲାଣି। ବିରୋଧୀ ଦଳର ଅନୁପସ୍ଥିତିରେ ଶାସକ ଦଳ ସଭ୍ୟଙ୍କ ପ୍ରଶଂସାଗାନ ଭିତରେ ବିଲ୍ ପାରିତ ହେଉଛି। ଲାଗୁଛି ଯେମିତି ବିଲଟି ପୂରା ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି। ଯଦି ଆଇନ ପ୍ରଣେତାମାନଙ୍କର କିଛି ମତ ରହିବ ନାହିଁ ଏବଂ ଅଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ଚିଠା ବିଲ୍ ଚୂଡ଼ାନ୍ତ, ତେବେ ଅଧିବେଶନ ଡାକିବାର କି ଆବଶ୍ୟକତା ରହୁଛି, ତାହା ବୁଝାପଡ଼ୁନି। ଏହା ନିଶ୍ଚିତ ଭାବେ ଜନପ୍ରତିନିଧିମାନଙ୍କ ପାଇଁ ଲଜ୍ଜାର ବିଷୟ। ମୌସୁମୀ ଅଧିବେଶନର ଶେଷ ଦିବସରେ ଏମିତି ଚାରିଟି ବିଲ୍ ପାରିତ ହେଲା।
ସୌଜନ୍ୟ ସମ୍ବାଦ