Odia soldier: ଆତଙ୍କବାଦୀଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ: ଅଙ୍ଗଦାନ କରି ଅମର ହୋଇଗଲେ ଭି.ତେଜା
ନାଗାଲାଣ୍ଡରେ ଦେଶ ପାଇଁ ବଳିଦାନ ଦେଇଛନ୍ତି ଆସାମ ରାଇଫଲ୍ସରେ କାର୍ଯ୍ୟରତ ଓଡ଼ିଆ ଯବାନ ରାୟଗଡ଼ା ସହରର ଭି. ତେଜା। ସୋମବାର ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି। ଦେଶସେବାକୁ ଜୀବନର ବ୍ରତ କରିଥିବା ତେଜା ଦୁଇବର୍ଷ ତଳେ ନିଜ ମୃତ୍ୟୁ ପରେ ଅଙ୍ଗଦାନ କରିବା ପାଇଁ ଘୋଷଣାପତ୍ରରେ ସ୍ବାକ୍ଷର କରିଥିଲେ।

ରାୟଗଡ଼ା: ନାଗାଲାଣ୍ଡରେ ଦେଶ ପାଇଁ ବଳିଦାନ ଦେଇଛନ୍ତି ଆସାମ ରାଇଫଲ୍ସରେ କାର୍ଯ୍ୟରତ ଓଡ଼ିଆ ଯବାନ ରାୟଗଡ଼ା ସହରର ଭି. ତେଜା। ସୋମବାର ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି। ଦେଶସେବାକୁ ଜୀବନର ବ୍ରତ କରିଥିବା ତେଜା ଦୁଇବର୍ଷ ତଳେ ନିଜ ମୃତ୍ୟୁ ପରେ ଅଙ୍ଗଦାନ କରିବା ପାଇଁ ଘୋଷଣାପତ୍ରରେ ସ୍ବାକ୍ଷର କରିଥିଲେ। ତାଙ୍କ ଇଚ୍ଛା ଅନୁଯାୟୀ ମୃତ୍ୟୁ ପରେ ବିଭିନ୍ନ ଅଙ୍ଗ ସ୍ଥାନୀୟ ଡାକ୍ତରଖାନାରେ ସଂରକ୍ଷିତ କରାଯାଇଥିବା ସାନଭାଇ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
ଅଙ୍ଗଦାନ କରି ଅମର ହୋଇଗଲେ ଭି.ତେଜା
ଗୁରୁବାର ଥିଲା ଜନ୍ମଦିନ, ଡିସେମ୍ବରରେ ବାହାଘର
ମୁଖ୍ୟମନ୍ତ୍ରୀ ଓ ରାୟଗଡ଼ା ବିଧାୟକଙ୍କ ଶୋକ
ରାୟଗଡ଼ା କତୁରୁ ଅଞ୍ଚଳର ବାସିନ୍ଦା ଭି. କେଶଭା ରାଓ ଓ ଭି. ଶୈଲଜାଙ୍କ ବଡ଼ପୁଅ ଭି.ତେଜା ଗୁରୁବାର ପାଳନ କରିଥାନ୍ତେ ୩୧ତମ ଜନ୍ମଦିନ। ଆସନ୍ତା ଡିସେମ୍ବର ୧୦ରେ ବାହାଘର ପାଇଁ ନିର୍ବନ୍ଧ ସରିଥିଲା। ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ନିଜ ସ୍ବପ୍ନର ଘର ମଧ୍ୟ ତିଆରି କରିଥିଲେ। ଏପରିକି ବାହାଘର ପାଇଁ ୫୦ଦିନର ଛୁଟି ମଞ୍ଜୁର ହୋଇସାରିଥିଲା। ଦୀପାବଳିରେ ଛୁଟି ନେଇ ଘରକୁ ଆସିଥାନ୍ତେ। କିନ୍ତୁ ଦେଖିଥିବା ସବୁ ସ୍ବପ୍ନ ଅଧୁରା ରହିଗଲା। ସୋମବାର ନାଗାଲାଣ୍ଡରେ ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହେବାରୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାର୍ଥିବ ଶରୀରକୁ ସ୍ବତନ୍ତ୍ର ହେଲିକପ୍ଟରରେ ବିଶାଖାପାଟଣା ଅାଣିବା ପରେ ଆଜି ରାତିରେ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ରାୟଗଡ଼ା ଅଣାଯାଇଛି। ଯେଉଁ ପୁଅର ବାହାଘର ପାଇଁ ଘରେ ପ୍ରସ୍ତୁତି ଚାଲିଥିଲା ଆଜି ସେହି ଘର କାନ୍ଦ ବୋବାଳିରେ ଫାଟି ପଡୁଛି। ଜନ୍ମଦିନର ଦିନକ ପୂର୍ବରୁ ପୁଅର ମରଶରୀରକୁ ଗ୍ରହଣ କରିଛନ୍ତି ପରିବାର। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ଶେଷକୃତ୍ୟ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ



