
ୱାସିଂଟନ/ପ୍ୟାରିସ: ପ୍ରଶାନ୍ତ ମହାସାଗରୀୟ ଜଳରାଶିରେ ସୃଷ୍ଟି ହୋଇଥିବା ଅସ୍ୱାଭାବିକ ସାମୁଦ୍ରିକ ଉଷ୍ମତା ବା ‘ଏଲ୍ ନିନୋ’ ଆସନ୍ତା ୨୦୨୭ ମସିହା ପ୍ରାରମ୍ଭ ପର୍ଯ୍ୟନ୍ତ ସକ୍ରିୟ ରହି ସାରା ବିଶ୍ୱରେ ପ୍ରଳୟଙ୍କରୀ ପ୍ରଭାବ ପକାଇପାରେ ବୋଲି ପାଣିପାଗ ବିଜ୍ଞାନୀ ଏବଂ ବୈଶ୍ୱିକ ସଂସ୍ଥାଗୁଡ଼ିକ ଚେତାବନୀ ଦେଇଛନ୍ତି। ଆମେରିକାର ପ୍ରମୁଖ ପାଣିପାଗ ସଂସ୍ଥା ‘କ୍ଲାଇମେଟ୍ ପ୍ରେଡିକ୍ସନ୍ ସେଣ୍ଟର’ର ଆକଳନ ଅନୁଯାୟୀ, ୨୦୨୭ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ। ବିଶ୍ବ ପାଣିପାଗ ସଂଗଠନ(ଡବ୍ଲୁଏମ୍ଓ) ମଧ୍ୟ ଏହି ଅସ୍ୱାଭାବିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି।
ସାଧାରଣତଃ ଏଲ୍ ନିନୋ ୯ ରୁ ୧୨ ମାସ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ, କିନ୍ତୁ ଚଳିତ ଥର ଏହା ଦୀର୍ଘ ସମୟ ଧରି ରହିବାକୁ ଥିବାରୁ ଏହା ଇତିହାସର ସବୁଠାରୁ ଦୀର୍ଘସ୍ଥାୟୀ ଜଳବାୟୁ ସଙ୍କଟ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି। ‘ନର୍ଥ ଆମେରିକାନ୍ ମଲ୍ଟି-ମଡେଲ୍ ଏନସେମ୍ବଲ୍’ ପକ୍ଷରୁ ଜାରି ପୂର୍ବାନୁମାନ ଦର୍ଶାଇଛି ଯେ, କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ପୃଷ୍ଠର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରି ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ବୃଦ୍ଧି ପାଇପାରେ, ଯାହା ଏକ ଭୟଙ୍କର ‘ସୁପର ଏଲ୍ ନିନୋ’ର ସଙ୍କେତ ଦେଉଛି। ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ‘ଫିଚ୍ ରେଟିଂସ’ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଏହି ଦୀର୍ଘସ୍ଥାୟୀ ପ୍ରଭାବ ଯୋଗୁଁ ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବା ସହ ସାଂଘାତିକ ମୁଦ୍ରାସ୍ଫୀତି ସୃଷ୍ଟି ହେବା ଆଶଙ୍କା ରହିଛି।
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପୂର୍ବରୁ ହିଁ ସାରର ମୂଲ୍ୟ ବୃଦ୍ଧି ପାଇ ବିଶ୍ୱ କୃଷି କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ, ଏବେ ଏଲ୍ ନିନୋ ଯୋଗୁଁ ଏସିଆ, ଆଫ୍ରିକା ଓ ଅଷ୍ଟ୍ରେଲିଆରେ ମରୁଡ଼ି ଏବଂ ଦକ୍ଷିଣ ଆମେରିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବା ଭୟ ରହିଛି। ସାମୁଦ୍ରିକ ତାପମାତ୍ରା ହ୍ରାସ ପାଇବା ପରେ ମଧ୍ୟ ଏହାର ଦୀର୍ଘକାଳୀନ ପ୍ରଭାବ ମୃତ୍ତିକାର ଆଦ୍ରତା, ଜଳାଶୟ ଏବଂ ଚାଷ ବ୍ୟବସ୍ଥା ଉପରେ ଦେଖିବାକୁ ମିଳିବ, ଯାହା ପ୍ରବାଳ ପ୍ରାଚୀର ନଷ୍ଟ କରିବା ସହ ମତ୍ସ୍ୟ ଚାଷକୁ ବ୍ୟାହତ କରିବ।
ଭାରତ ପାଇଁ ଏଲ୍ ନିନୋ ସବୁବେଳେ ଏକ ବଡ଼ ଚିନ୍ତାର ବିଷୟ, କାରଣ ଏହା ସିଧାସଳଖ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ପ୍ରଭାବିତ କରିଥାଏ। ଯେଉଁ ବର୍ଷ ଏଲ୍ ନିନୋ ସକ୍ରିୟ ରହେ, ସେହି ବର୍ଷ ଭାରତରେ ମୌସୁମୀ ଦୁର୍ବଳ ହୁଏ ଏବଂ ଦେଶ ମରୁଡ଼ିର ସମ୍ମୁଖୀନ ହୋଇଥାଏ। ଏହାର ପ୍ରଭାବରେ ସମଗ୍ର ଦକ୍ଷିଣ ଏସିଆରେ ଅନିୟମିତ ବର୍ଷା, ସ୍ୱଳ୍ପ ବୃଷ୍ଟିପାତ ଏବଂ ପ୍ରଚଣ୍ଡ ଗରମ ଅନୁଭୂତ ହେବ। ଏହାଫଳରେ ବର୍ଷା ଉପରେ ନିର୍ଭର କରୁଥିବା ଫସଲ, ଜଳସେଚନ ବ୍ୟବସ୍ଥା, ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ପାନୀୟ ଜଳ ଯୋଗାଣ ଗମ୍ଭୀର ଭାବେ ପ୍ରଭାବିତ ହେବ।
କୃଷି କ୍ଷେତ୍ରରେ କ୍ଷତି ଯୋଗୁଁ ଭାରତୀୟ ବଜାରରେ ଚାଉଳ, ଗହମ, ଡାଲି ଏବଂ ପନିପରିବା ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇପାରେ। ଭାରତ ବ୍ୟତୀତ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକରେ ଚାଉଳ ସଙ୍କଟ ଦେଖାଦେଇପାରେ। ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭଳି ବିପଦ ଦେଖାଦେବାକୁ ଥିବା ବେଳେ ଆଫ୍ରିକାରେ ଜଳାଭାବ ଓ ଫସଲହାନି ଦେଖାଯିବ। ଯେଉଁ ଦେଶଗୁଡ଼ିକ ଖାଦ୍ୟ ସାମଗ୍ରୀ ଆମଦାନୀ ଉପରେ ନିର୍ଭର କରନ୍ତି, ସେମାନେ ପରିବହନ ଏବଂ ଶକ୍ତି ଖର୍ଚ୍ଚ ବୃଦ୍ଧି ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହେବେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱର ନୀତି ନିର୍ଦ୍ଧାରକମାନଙ୍କୁ ଆଗୁଆ ପ୍ରସ୍ତୁତି କରିବା ସହ ଖାଦ୍ୟ ମୂଲ୍ୟର ଅସ୍ଥିରତାକୁ ରୋକିବା ଏବଂ ମାନବୀୟ ସଙ୍କଟର ସାମ୍ନା କରିବାକୁ ଆହ୍ୱାନ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




