The Path of Shri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାମ-ବନଗମନ ପଥ

ଶ୍ରୀଶ୍ରୀଲୋକନାଥ ଦେବ: ସମଗ୍ର ପୃଥିବୀରେ ଯେପରି ଶ୍ରୀଜଗନ୍ନାଥ ପୂଜିତ, ସେହିପରି ସାରା ଭାରତରେ ଶ୍ରୀକ୍ଷେତ୍ରରେ ଥିବା ଶ୍ରୀଶ୍ରୀଲୋକନାଥ ଦେବ ମଧ୍ୟ ପୂଜିତ। କଥିତ ଅଛି, ଏହି ବିଷ୍ଣୁକ୍ଷେତ୍ର ଏକଦା ଶୈବକ୍ଷେତ୍ର ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲା। ଏହାର ପ୍ରମାଣ ସ୍ବରୂପ ଶ୍ରୀକ୍ଷେତ୍ରରେ ଅସଂଖ୍ୟ ଶିବମନ୍ଦିର ବିରାଜିତ। କିନ୍ତୁ ସେ ମଧ୍ୟରେ ଶ୍ରୀଲୋକନାଥଙ୍କର ସ୍ଥାନ ସ୍ବତନ୍ତ୍ର। ଶ୍ରୀଜଗନ୍ନାଥ ଜଗତର ନାଥ ଏବଂ ଶ୍ରୀଲୋକନାଥ ଲୋକଙ୍କର ନାଥ। ଶଙ୍ଖକ୍ଷେତ୍ରର ପଶ୍ଚିମ ଦିଗରେ ସେ ବିରାଜମାନ। ଭାରତରେ ପ୍ରତିଷ୍ଠିତ ପ୍ରାଚୀନ ଶିବଲିଙ୍ଗଙ୍କ ମଧ୍ୟରୁ ଏହା ଅନ୍ୟତମ। ‘ବାମଦେବସଂହିତା’ (୩୨/୪୮)ରେ ଉଲ୍ଲେଖ ଅଛି- ଏହିଠାରେ ମୋର ମୂର୍ତ୍ତି ଧାରଣ କରି ଲୋକେଶ୍ବର (ଲୋକନାଥ) ନାମରେ ଖ୍ୟାତ ହୋଇଥିବା ପ୍ରଭୁଙ୍କ ନିକଟକୁ ଯିବ। ପ୍ରାଚୀନ କାଳରେ ମୋର ପ୍ରିୟ ଭକ୍ତ ରାମଚନ୍ଦ୍ର ଏହି ଲିଙ୍ଗଙ୍କୁ ସ୍ଥାପନ କରିଥିଲେ।

ଜମ୍ବେଶ୍ବରଙ୍କୁ ସ୍ଥାପନ କରି ପୂଜନ କଲା ପରେ, ସମ୍ମୁଖରେ ଏକ ବିସ୍ତୃତ ନାରିକେଳ ବନ ଦର୍ଶନ କରି ରାମଚନ୍ଦ୍ର ସେ ମଧ୍ୟକୁ ଯିବାକୁ ଇଚ୍ଛା ପ୍ରକାଶ କଲେ। ସେଠାରେ ରାତ୍ରିକାଳରେ  ବିଶ୍ରାମ କଲା ପରେ ପ୍ରଭାତରେ ସ୍ନାନାଦି ସମାପନ‌  କରି ସେ ଶିବପୂଜା  ନିମିତ୍ତ ଆୟୋଜନ କରିବାକୁ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ। ଲକ୍ଷ୍ମଣ ଜାଣନ୍ତି, ଶ୍ରୀରାମ ଦେବଦେବ ମହାଦେବଙ୍କୁ ଜଳ ଅର୍ପଣ ନ କରିବା ପର୍ଯ୍ୟନ୍ତ ନିଜେ ଜଳପାନ ମଧ୍ୟ କରନ୍ତି ନାହିଁ। ତେଣୁ ଲକ୍ଷ୍ମଣ ଶିବପୂଜା ନିମିତ୍ତ ଆବଶ୍ୟକୀୟ ପୁଷ୍ପାଦି ଚୟନ କରି ଆଣିବା ସହିତ ଏକ ଲାଉତୁମ୍ବ ଧରି ଆସିଲେ। ଲିଙ୍ଗ ଆକାରର ଲାଉଟିକୁ ଭୂମିରେ ପୋତି ରୁଦ୍ରମନ୍ତ୍ର ପାଠ କରିବାକୁ ଆରମ୍ଭ କରିବାରୁ ଲାଉଟି ଜୀବନ୍ୟାସ ପାଇ ଏକ ଲିଙ୍ଗରେ ପରିଣତ ହୋଇଗଲା ଏବଂ ସେହି ଲିଙ୍ଗରୁ ପତିତପାବନୀ ଗଙ୍ଗା ବାହାରି ସଂପୂର୍ଣ୍ଣ ଲିଙ୍ଗଙ୍କର ଜଳାଭିଷେକ କରିଦେଲେ। ଆନନ୍ଦ ମନରେ ରାମ ଲିଙ୍ଗଙ୍କର ପୂଜା କରି ତାହାର ନାମକରଣ କଲେ ଲାଉକେଶ୍ବର। ଏହି ଲାଉକେଶ୍ବର ସମୟାନ୍ତରେ ଲୋକେଶ୍ବର ତଥା ଲୋକନାଥରେ ପରିଣତ ହେଲେ। ସର୍ବଦା ତାଙ୍କର ମସ୍ତକରୁ ଗଙ୍ଗା ପ୍ରବାହିତ ହେବାରୁ ସେ ଜଳ ମଧ୍ୟରେ ବୁଡ଼ି ରହିଲେ।

ପରବର୍ତ୍ତୀ କାଳରେ, ଏକାଦଶ ଶତାବ୍ଦୀରେ ତାଙ୍କର ମନ୍ଦିର ନିର୍ମିତ ହୋଇଥିବାର ଜଣାଯାଏ। ଏହି ଶିବଲିଙ୍ଗଙ୍କୁ ବର୍ଷର ଗୋଟିଏ ଦିନ ଅର୍ଥାତ୍‌ ଫାଲଗୁନ କୃଷ୍ଣ ଏକାଦଶୀ ତିଥିରେ‌ କେବଳ ଭକ୍ତମାନେ ଦର୍ଶନ କରିଥାନ୍ତି। ଶ୍ରୀଜଗନ୍ନାଥଙ୍କର ଅନେକ ନୀତିକାନ୍ତି ସହିତ ଏହି ମନ୍ଦିର ଜଡ଼ିତ। ଶ୍ରୀଲୋକନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭଣ୍ଡାର ରକ୍ଷକ ଅଟନ୍ତି। ଯେତେବେଳେ ଶ୍ରୀଜଗନ୍ନାଥଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୁଏ ପଞ୍ଚପାଣ୍ଡବଙ୍କ ମଧ୍ୟରେ ସେ ସେଥିରେ ଅଂଶ ଗ୍ରହଣ କରନ୍ତି। ସେହି ଭାବରେ ଶ୍ରୀଲୋକନାଥଙ୍କୁ ଭୀମ ଭାବରେ ଗ୍ରହଣ କରାଯା‌ଏ।

ଲୋକନାଥ ମନ୍ଦିରର ପୁରୋଭାଗରେ ଦେବୀ ପାର୍ବତୀଙ୍କ ନାମରେ ପାର୍ବତୀ ସରୋବର ରହିଛି। କାର୍ତ୍ତିକ ସୋମବାର, ବୈଶାଖ ସୋମବାର ଓ ଶ୍ରାବଣ ସୋମବାରରେ ଏଠାକୁ ବହୁ ଭକ୍ତ ଆସିଥାଆନ୍ତି। ଶିବରାତ୍ରି ଏହି ମନ୍ଦିରର ବିଶେଷ ପର୍ବ। ଏହିଦିନ ହରିହରଙ୍କର ଏକତ୍ର ପୂଜା ଅନୁଷ୍ଠିତ ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶିବରାତ୍ରି ଦିନ ଉଜାଗର ରହି ଶ୍ରୀଲୋକନାଥ ମନ୍ଦିରକୁ ବିଜେ କରନ୍ତି। ଶ୍ରୀଲୋକନାଥ ସମସ୍ତ ରୋଗର ନିବାରକ ହେତୁ କୌଣସି ବ୍ୟକ୍ତିଙ୍କର ଶରୀରର କୌଣସି ଅଂଶରେ ପୀଡ଼ା ହେଲେ ତାଙ୍କର ସେହି ଅଂଶର ଏକ ପିତୁଳା ନିର୍ମାଣ କରି ସୁସ୍ଥ ହେଲେ ସେ ଲୋକନାଥଙ୍କୁ ଅର୍ପଣ କରିଥାନ୍ତି। ଏହି ମନ୍ଦିରର ସବୁଠାରୁ ବଡ଼ ବିଶେଷତ୍ବ  ହେଉଛି- ମନ୍ଦିରର ରୋଷଶାଳାରେ ପ୍ରସ୍ତୁତ କେତେକ ଭୋଗସାମଗ୍ରୀ ଦୈନିକ ଶ୍ରୀଜଗନ୍ନାଥଙ୍କଠାରେ ସମର୍ପିତ ହୋଇଥାଏ।
-ଡକ୍ଟର ତୁଳସୀ ଓଝା

 

 

 

 

ସୌଜନ୍ୟ ସମ୍ବାଦ