Bumrah: ବୁମ୍‌ରାଙ୍କ ଖରାପ ପ୍ରଦର୍ଶନ ନେଇ ମୁହଁ ଖୋଲିଲେ ମାହେଲା

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର କ୍ରମାଗତ ପରାଜୟ ଜାରି ରହିଛି। ଏପରି ଖରାପ ପ୍ରଦର୍ଶନର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ ହେଉଛି ଦଳର ପ୍ରମୁଖ ଦ୍ରୁତ ବୋଲର୍‌ ଯଶପ୍ରୀତ ବୁମରା ଆଶାନୁରୂପ ପ୍ରଦର୍ଶନ ନ କରିବା। ବୁମରା ପାଞ୍ଚଟି ମ୍ୟାଚ୍‌ ଖେଳିସାରିଥିଲେ ବି ଓ୍ବିକେଟ୍‌ହୀନ ରହିଛନ୍ତି। ତେବେ ଏ ନେଇ ମୁହଁ ଖୋଲିଛନ୍ତି ଦଳର ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେ। ସେ ସ୍ବୀକାର କରିଛନ୍ତି ଯେ ବୁମ୍‌ରା ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। କିନ୍ତୁ ନିଜ ବୋଲରଙ୍କୁ ସମର୍ଥନ କରି ସେ କହିଛନ୍ତି ଯେ ବୁମ୍‌ରା ଥରେ ଓ୍ବିକେଟ୍‌ ନେବା ଆରମ୍ଭ କଲେ ଆଉ ଅଟକିବେ ନାହିଁ।

ଗଣମାଧ୍ୟମକୁ ସେ କହିଛନ୍ତି, ବୁମ୍‌ରା ଓ୍ବିକେଟ୍‌ ନ ପାଇବାର କାରଣ ହେଉଛି ପାଓ୍ବାରପ୍ଲେରେ ଦୁଇ ଓପନିଂ ବୋଲର୍‌ ଟ୍ରେଣ୍ଟ୍‌ ବୋଲ୍ଟ ଓ ଦିପକ ଚହରଙ୍କ ଖରାପ ପ୍ରଦର୍ଶନ। ପାଓ୍ବାର୍‌ପ୍ଲେର ଛଅ ଓଭରରେ ଏହି ଦୁଇ ବୋଲର୍‌ ଓ୍ବିକେଟ୍‌ ପାଉନାହାନ୍ତି, ଏହି କାରଣରୁ ବିପକ୍ଷ ବ୍ୟାଟରମାନେ ଅଧିକ ରନ୍‌ ସଂଗ୍ରହ କରୁଛନ୍ତି ଓ ବୁମ୍‌ରାଙ୍କୁ ଅଧିକ ସତର୍କତାର ସହ ଖେଳୁଛନ୍ତି। ଏଣୁ ବୁମ୍‌ରା ଖରାପ ବୋଲିଂ କରୁଛନ୍ତି ବୋଲି କୁହାଯାଇପାରିବ ନାହିଁ। ସେ ଥରେ ଓ୍ବିକେଟ୍‌ ନେବା ଆରମ୍ଭ କଲେ ତାଙ୍କୁ ଅଟକାଇବା କଷ୍ଟକର ହୋଇପଡ଼ିବ। ଦଳ ପାଖରେ ଅନ୍ୟ ଭଲ ବୋଲର ବି ଅଛନ୍ତି, କିନ୍ତୁ ଆହତ ସମସ୍ୟା ଯୋଗୁଁ ସମସ୍ତଙ୍କୁ ଏକାଠି କରିପାରିନାହୁଁ। ସେମାନେ ଫେରିବା ପରେ ସ୍ଥିତିରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ