Toll Gate: ଆଉ ଟୋଲ୍ ଗେଟରେ ଲାଗିବନି ଗାଡ଼ିର ଭିଡ଼…ଏପ୍ରିଲରୁ ଟୋଲ୍‌ ବୁଥ୍‌ରେ ନଗଦ ଟଙ୍କା ନିଷିଦ୍ଧ ! କେବଳ ଫାସ୍‌ଟ୍ୟାଗ୍‌…

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଟୋଲ୍‌ ଗେଟ୍‌ ଗୁଡ଼ିକରେ ନଗଦ ଟଙ୍କାରେ ପେମେଣ୍ଟ୍‌ କରିହେବନାହିଁ। ନଗଦ ପେମେଣ୍ଟ୍‌କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବିଚାର କରୁଛି। ଏନେଇ ଅବଶ୍ୟ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଟୋଲ୍‌ ବୁଥ୍‌ରେ କୌଣସି ଗାଡ଼ି ଅଟକି ରହୁ ବୋଲି ସରକାର ଚାହୁନାହାନ୍ତି। ସେଥିପାଇଁ ପ୍ରସ୍ତୁତ କରାଯାଇଥିବା ଏକ ବୃହତ୍‌ ଯୋଜନାର ଏହା ହେଉଛି ଅଂଶ। ଏଥିରେ ଗାଡ଼ିଗୁଡ଼ିକ ନିରବଚ୍ଛିନ୍ନ ଭାବେ ଟୋଲ୍‌ ବୁଥ୍‌ ଅତିକ୍ରମ କରିବ। କୌଣସି ଗୋଟିଏ ଗାଡ଼ି ଟୋଲ୍‌ ଦେବା ଲାଗି ଅଟକି ରହିବ ନାହିଁ। ଫଳରେ ଆଉ ଦେଶର କୌଣସି ଟୋଲ୍‌ ଗେଟ୍‌ରେ ଗାଡ଼ିର ଲମ୍ବା ଧାଡ଼ି କିମ୍ବା ଭିଡ଼ ଦେଖିବାକୁ ମିଳିବ ନାହିଁ।

ଆଗକୁ ଟୋଲ ପେମେଣ୍ଟ୍‌ ସ୍ବୟଂକ୍ରିୟ ହୋଇଯିବ। ଗାଡ଼ି ବୁଥ୍‌ ଅତିକ୍ରମ କରିବା ସମୟରେ ସେଠାରେ ଥିବା କ୍ୟାମେରା ଓ ଅନ୍ୟାନ୍ୟ ପ୍ରଯୁକ୍ତି ଜରିଆରେ ଟୋଲ ଶୁଳ୍କ କଟିଯିବ। ସରକାର ଉପଗ୍ରହ ଆଧାରିତ ପ୍ରଯୁକ୍ତିକୁ ଏଥିରେ ବ୍ୟବହାର କରିବା ବିଷୟରେ ମଧ୍ୟ ବିଚାର କରୁଛନ୍ତି। ଏହା ହେଲେ କେବଳ ଫାସ୍‌ଟ୍ୟାଗ୍‌ରେ ଥିବା ବାଲାନ୍ସ ହିଁ ଟୋଲ୍‌ ଗେଟ୍‌ ଅତିକ୍ରମ କରିବା ବେଳେ କଟିବ। ଅନ୍ୟ କୌଣସି ପ୍ରକାରରେ ଟୋଲ ସଂଗ୍ରହ କରାଯିବ ନାହିଁ। ଆସନ୍ତା ଏପ୍ରିଲରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଜାତୀୟ ରାଜପଥ ବ୍ୟବହାର କରୁଥିବା ଗାଡ଼ି ଚାଳକମାନଙ୍କୁ ସର୍ବଦା ଫାସ୍‌ଟ୍ୟାଗ୍‌ ଆକାଉଣ୍ଟ୍‌ରେ ପର୍ଯ୍ୟାପ୍ତ ବାଲାନ୍ସ ରଖିବାକୁ ପଡ଼ିବ।

ସରକାରଙ୍କ ଲକ୍ଷ୍ୟ ହେଉଛି କୌଣସି ଟୋଲ ବୁଥ୍‌ରେ ଗାଡ଼ି ଅଟକି ନରହୁ। ଯଦି ତାହା ସମ୍ଭବ ହେବ ତେବେ ଗାଡ଼ି ଅଟକି ରହିବା ସମୟରେ ଅପଚୟ ହେଉଥିବା ଇନ୍ଧନ ସଞ୍ଚୟ ହେବ। ଡିଜିଟାଲ ମାଧ୍ୟମ‌ରେ ପେମେଣ୍ଟ୍‌ ହେଲେ ତାହାର ସ୍ପଷ୍ଟ ଓ ସ୍ବଚ୍ଛ ରେକର୍ଡ ରହିବ। ସରକାର ଆଗାମୀ ଦିନରେ କାର୍ଯ୍ୟକାରୀ କରିବାକୁ ଯାଉଥିବା ବହୁ-ଲେନ ଅବାଧ ପ୍ରବାହ (ଏମ୍‌ଏଲ୍‌ଏଫ୍‌ଏଫ୍‌) ବ୍ୟବସ୍ଥାର ଏହା ଏକ ଅଂଶ। ବିଶ୍ବସ୍ତରୀୟ ପ୍ରଯୁକ୍ତିକୁ ଏଥିପାଇଁ ବ୍ୟବହାର କରାଯାଉଛି। ଏହି ବ୍ୟବସ୍ଥାକୁ ଦେଶର ୨୫ଟି ଟୋଲ୍‌ ପ୍ଲାଜାରେ ପରୀକ୍ଷଣ ମଧ୍ୟ କରାଯାଇଛି।

ସୌଜନ୍ୟ ସମ୍ବାଦ